ଭଦ୍ରକ: ଭଦ୍ରକ ଜିଲ୍ଲାବାସୀଙ୍କୁ କରୋନା କଲବଲ ସହ ମହାବାତ୍ୟାର ଭୟ ଅଧିକ ଘାରିଥିଲା। ମାତ୍ର ମହାବାତ୍ୟା ‘ଅମ୍ଫାନ’ର ଭୟ ଟଳି ଯାଇଛି। ଅମ୍ଫାନକୁ ନେଇ ଲୋକଙ୍କ ଭିତରେ ଯେଉଁ ଆତଙ୍କିତ ରହିଥିଲା ତାହା ଟଳି ଯାଇଛି। ଜିଲ୍ଲାରେ ଉପକୂଳ ଅଞ୍ଚଳ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ବିଶେଷ ଭାବେ କ୍ଷତି ହୋଇଛି। ସମୁଦ୍ରର ଜଳ ଧାମରା ମାଛଧରା ଜେଟି ଆଡେ ମାଡି ଆସିଥିଲା। ଗତକାଲି ରାତିଠାରୁ ଆଜି ଦିନ ତମାମା ଜିଲ୍ଲାର ଚାନ୍ଦବାଲି, ଧାମରା, ବାସୁଦେବପୁର, ତିହିଡି ଏରିଆରେ ପବନର ବେଗ ୮୦ କିଲୋମିଟର ଥିବା ବେଳେ ଚାନ୍ଦବାଲି ବ୍ଲକରେ ୬୭ ମିମି ବର୍ଷା ରେକର୍ଡ କରାଯାଇଛି।
ଅମ୍ଫାନ ପ୍ରଭାବରେ ଧାମରା- ବାସୁଦେବବପୁର ରାସ୍ତାରେ ବଡ ଗଡ ଗଛ ଉପୁଡି ପଡି ଥିବା ବେଳେ ଆରଡି- ଧୂଷୁରୀ ଓ ଆରଡି – ଭଦ୍ରକ ରାସ୍ତାରେ ଗଛ ଉପୁଡି ପଡିଛି। ତିହିଡି- ଚାନ୍ଦବାଲି ରାସ୍ତାରେ ଗଛ ଉପୁଡି ରାସ୍ତା ଉପରେ ପଡିଛି। ଏଇସବୁ ଗଛଗୁଡିକୁ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ କର୍ମଚାରୀମାନେ କାଟି ରାସ୍ତା ସଫା କରିଛନ୍ତି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ୪୩ ମିମି ବର୍ଷା ହୋଇଥିବା ନେଇ ରେକର୍ଡ କରାଯାଇଛି। ଆଜି ସକାଳେ ପବନ ଜୋର ବହିବାରୁ ତିହିଡି ବ୍ଲକର କାଆଁପଡା ପଞ୍ଚାୟତର ଦକ୍ଷିଣପାରି ଗ୍ରାମର ବଳରାମ ଦାସଙ୍କର ଏକ ବର୍ଷର ଶିଶୁ ପୁତ୍ର ଉପରେ କାନ୍ଥ ପଡିଯିବାରୁ ତାର ମୃତ୍ୟୁ ଘଟିଛି।
ବାତ୍ୟାର ପ୍ରକୋପରୁ ଲୋକଙ୍କୁ ରକ୍ଷା କରିବା ପାଇଁ ତଳିଆ ଅଞ୍ଚଳ ଓ ଚାଳ ଛପର ଘର କିମ୍ବା ବସ୍ତିବାସୀନ୍ଦାଙ୍କୁ ଗତକାଲି ଠାରୁ ଜିଲ୍ଲାର ୭ ଟି ବ୍ଲକ ଓ ୪ଟି ପୌରାଞ୍ଚଳରେ ମୋଟ ୨୬ ହଜାର ୧୭୪ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୩୬୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କର ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ସେହିପରି ବାତ୍ୟାର ପ୍ରଭାବ ବଢିବା ଦେଖି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୨୧୮ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନୀୟ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବାସ୍ଥ୍ୟ ବିଭାଗର ସହାୟତାରେ ବିଭିନ୍ନ ମେଡିକାଲକୁ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୬ଟି ସିଏସିରେ ୬୦ ଜଣ ମହିଳା ପିଲା ଜନ୍ମ କରିଥିବା ବେଳେ ସେମାନେ ସୁରକ୍ଷିତ ଅଛନ୍ତି। ବାତ୍ୟା ଓ ବର୍ଷାର ପ୍ରଭାବରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ସବୁ ରାସ୍ତା ଉପରେ ଉପୁଡି ପଡିବା ସହ ରାସ୍ତା ଅବରୋଧ ହୋଇ ରହିଥିଲା।
ଜିଲ୍ଲାରେ ମୁତୟନ ହୋଇଥିବା ୩ ଟି ଏନଡିଆରଏଫ ଟିମ, ୨ ଟି ଓଡ୍ରାଫ ଟିମ୍, ଦମକଳ ବାହିନୀ ଓ ପୁଲିସ ବିଭାଗର କର୍ମଚାରୀମାନେ ରାସ୍ତାରୁ ଗଛ କଟର ମେସିନ ସାହାର୍ଯ୍ୟରେ କାଟି ଉଠାଇଥିଲେ। ସେହିପରି ବାତ୍ୟା ପବନରେ ବାସୁଦେବପୁର, ଧାମରା, ଚାନ୍ଦବାଲି, ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ, ତିହିଡି ବ୍ଲକର ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ବଡିବା ସହ ରାସ୍ତାରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଛି। ଗତକାଲିଠାରୁ ଜିଲ୍ଲାରେ ବିଦ୍ୟୁତ୍ ସରୋବରାହ ବନ୍ଦ ରହିଛି। ଜିଲ୍ଲାବାସୀ ପବନ ଓ ବର୍ଷା ସହ ଅନ୍ଧାର ଭିତରେ ରହିଛନ୍ତି।ଜିଲ୍ଲାରେ ଧାମରାର ନିକଟବର୍ତ୍ତୀ ୮ ପଞ୍ଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ଗଛ ଉପୁଡି ପଡିଛି।
ବାସୁଦେବପୁର ଓ ଚାନ୍ଦବାଲି ଦୁଇ ବ୍ଲକର ୭୨ ଟି ପଞ୍ଚାୟତର ୯୧ ଟି ଗାଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ତିହିଡି ଓ ଭଦ୍ରକ ବ୍ଲକରେ ବଧ୍ୟ ବର୍ଷା ଓ ପବନ ଯୋଗୁଁ ଅନେକ ଲୋକଙ୍କର ବଡ ବଡ ନଡିଆ ଗଛ, ଆମ୍ବ ଗଛ ସବୁ ଉପୁଡି ପଡିଛି। ବାତ୍ୟା ବିତ୍ପାତ ଯୋଗୁଁ ଜିଲ୍ଲାର ପରିବା ଚାଷୀମାନେ ମଧ୍ୟ ବିଶେଷ ଭାବେ ଧତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ପରିବା ଚାଷ ଜମିରେ ବର୍ଷା ପାଣି ପଶି ଯାଇଥିବା ବେଳେ ପବନ ମାଡରେ ଗଛ ସବୁ ନଷ୍ଟ ହୋଇଛି। ତିହିଡି ବ୍ଲକର ଦୋଳସାହି, ବନ୍ତ ବ୍ଲକର ଗଣିଜଂଗ, ପଳସା, ଭଦ୍ରକ ବ୍ଲକର ଅର୍ଣ୍ଣପାଳ, ଜଳଙ୍ଗା ଓ କାଉପୁର ଆଦି ଅଞ୍ଚଳର ପରିବା ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ପରିବା ଚାଷୀଙ୍କର କଦଳୀଗଛ, ଅମୃତ ଭଙ୍ଗା, ସଜନା ଗଛ, ପୋଟଳ, କଲରା ଓ କାକୁଡି ଓ କଖାରା ଗଛ ସବୁ ନଷ୍ଟ ହୋଇଯାଇଛି। ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବ୍ଲକସ୍ତରୀୟ ଅଧିକାରୀ ଓ ନୋଡାଲ ଅଫିସରଙ୍କ ରିପୋର୍ଟ ମିଳିବା ପରେ ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତି କେତେ ହୋଇଛି। ତାହା ଜଣାପଡିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।