ବାରିପଦା: ମୟୂରଭଞ୍ଜରେ କମ୍ପନ ସୃଷ୍ଟି କରିଛି ବାତ୍ୟା ଅମ୍ଫାନ୍। ଏହା ପ୍ରଭାବରେ ଜିଲ୍ଲାର ସବୁ ସ୍ଥାନରେ ଭୀଷଣ ବର୍ଷା ସହିତ ପବନ ଅନୁଭୁତ ହୋଇଛି। ଗତକାଲି ମଧ୍ୟରାତ୍ରରୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ପାଗ ପୁରା କୋହଲା ରହିବା ସହିତ ବର୍ଷା ଲାଗିରହିଥିଲା। ଏହା ସହିତ ପବନ ମଧ୍ୟ ବହୁଥିଲା। ତେବେ ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ପବନର ବେଗ ବଢ଼ିଥିଲା। ଏହା ପ୍ରଭାବରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଗଛ ଉପୁଡ଼ିବା ସହିତ ଘର ଭାଙ୍ଗିବାର ଖବର ରହିଛି। ବିଶେଷକରି ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା, ବାରିପଦା ଆଦି ବ୍ଲକ୍ରେ ଅମ୍ଫାନ୍ର ପ୍ରଭାବ ବେଶ୍ ଅନୁଭୁତ ହୋଇଛି।
ଏଥିନେଇ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକୁ ମିଶାଇ ଜିଲ୍ଲାରେ ପ୍ରାୟ ୨୨ହଜାରରୁ ଊର୍ଧ୍ବ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଜିଲ୍ଲାରେ ପ୍ରାୟ ୯୫୫ରୁ ଊର୍ଧ୍ବ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି। କେବଳ ସଦରମହକୁମା ବାରିପଦାରେ ଅନେକ ସ୍ଥାନରେ ଗଛ ଭାଙ୍ଗିଥିବାର ଖବର ରହିଛି। ବାରିପଦାର ବେଲଗଡ଼ିଆ ପିଏଚ୍ଡି କଲୋନି ସରକାରୀ କ୍ବାର୍ଟର ଉପରେ ଗଛ ପଡ଼ିଥିବାର ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଏହାକୁ ସଫା କରାଯାଇଥିଲା।
ସେହିପରି ବାରିପଦା ସର୍କଲ୍ ଜେଲ୍ ଭିତରେ ମଧ୍ୟ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ବାରୁଣୀ ରୋଡ୍ ଚର୍ଚ୍ଚ ଛକ, ପଞ୍ଚମ ବାଟାଲିୟନ୍ ରୋଡ୍ ଉପରେ ଗଛ ପଡ଼ି ରାସ୍ତା ଅବୋଧ ହୋଇଥିଲା। ତେବେ ବାରିପଦା ଅଗ୍ନିଶମ ବାହିନୀ ପକ୍ଷରୁ ତ୍ବରିତ ପଦକ୍ଷେପ ସ୍ବରୂପ ଏହାକୁ ସଫା କରାଯାଇ ରାସ୍ତା ଖାଲି କରାଯାଇଛି। ଅମ୍ଫାନ୍ କିନ୍ତୁ ପାଚିଲା ଧାନ କ୍ଷେତ ଓ ପରିବା ଚାଷୀଙ୍କ ପାଇଁ କାଳ ସାଜିଛି। କାରଣ ଜିଲ୍ଲାରେ ଅଦ୍ୟାବଧି ପ୍ରାୟ ୧୨ଶହ ହେକ୍ଟର ଶସ୍ୟକ୍ଷେତ୍ରରେ ଧାନ କଟାହୋଇନି। ସେହିପରି ବିଲରେ କଞ୍ଚା ପରିବା ଏବେବି ରହିଛି। ତେଣୁ ଅମ୍ଫାନ୍ କାରଣରୁ ହେଉଥିବା ବର୍ଷା ଓ ପବନ ଧାନ ଓ ପରିବା ଚାଷକୁ କ୍ଷୟକ୍ଷତି କରିବା ସୁନିଶ୍ଚିତ।
ଆଗକୁ ଖରିଫ୍ ଋତୁ ଆସୁଥିବାବେଳେ ବିଲ କିନ୍ତୁ ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ଖରିଫ୍ ଚାଷକୁ ନେଇ ଚାଷୀଭାଇମାନେ ପ୍ରମାଦ ଗଣିଲେଣି। ତେବେ ଅମ୍ଫାନ୍ ପରେ କ୍ଷୟକ୍ଷତିର ଆକଳନ କରାଯାଇ ସ୍ବତନ୍ତ୍ର ରିଲିଫ୍ କମିଶନର୍ଙ୍କୁ ରିପୋର୍ଟ ଦିଆଯିବାନେଇ କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ସୂଚନା ଦେଇଛନ୍ତି। ଆଶ୍ରୟସ୍ଥଳରେ ରହିବାକୁ ଆସୁଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡ଼ା ଗୁଡ଼ ସହିତ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଉଛି। ସେହିପରି ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଥିବା ଜରୁରୀକାଳୀନ ଅଧିକାରୀ ଶ୍ରୀ ପତି କହିଛନ୍ତି। ଆଶ୍ରୟସ୍ଥଳରେ ଲୋକମାନଙ୍କୁ ମାସ୍କ ମଧ୍ୟ ବଣ୍ଟା ଯାଉଛି। ଜିଲ୍ଲାରେ ଥିବା ୧୦ଟି ଆଶ୍ରୟସ୍ଥଳ ମଧ୍ୟରୁ ଦୁଇଟି କ୍ବାରାଣ୍ଟିନ୍ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ଅନ୍ୟ ୮ଟି ଆଶ୍ରୟସ୍ଥଳ ସହିତ ବିଭିନ୍ନ ବିଦ୍ୟାଳୟ ଏବଂ ସରକାରୀ ପକ୍କା ଘର ଜିଲ୍ଲାରେ ଆଶ୍ରୟସ୍ଥଳ ଭାବେ କାର୍ଯ୍ୟ କରୁଛି। ତେବେ ଜିଲ୍ଲାରେ ଅମ୍ଫାନ୍ କାରଣରୁ କୌଣସି ଜୀବନ ହାନୀ ହୋଇନଥିବା ଜଣାପଡ଼ିଛି।
ଅମ୍ଫାନ୍ କାରଣରୁ ଜିଲ୍ଲାରେ ଆଜି ସକାଳୁ ବିଦ୍ୟୁତ ବ୍ୟାଘତ ଘଟିଛି। ପ୍ରାୟ ୬୦ଟି ବିଦ୍ୟୁତ ଖୁଣ୍ଟି ଏହି ବାତ୍ୟା କାରଣରୁ ପ୍ରଭାବିତ ହୋଇଛି। ସେହିପରି ୩୭ଟି ଷ୍ଟ୍ରକ୍ଚର ଓ ୧୬ଟି ସବ୍ଷ୍ଟେସନ୍ ପ୍ରଭାବିତ ହୋଇଛି। ବେତନଟୀ, ମୋରଡ଼ା, ଶୁଳିଆପଦା, ବାରିପଦା ଆଦି ବ୍ଲକ୍ରେ ବିଦ୍ୟୁତ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେସ୍କୋ ବାରିପଦା ଅଧୀକ୍ଷଣ ଯନ୍ତ୍ରୀ କ୍ଷୀରୋଦ ବେହେରା ସୂଚନା ଦେଇଛନ୍ତି। ଜିଲ୍ଲାରେ ୪ଟି ଓଡ୍ରାଫ୍ ଟିମ୍ ସହିତ ଗୋଟିଏ ଏନଡିଆର୍ଏଫ ଟିମ୍ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ତେବେ ଜିଲ୍ଲାରେ ସ୍ଥାନାନ୍ତରଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିବାର ଯଥେଷ୍ଟ ସମ୍ଭାବନ ରହିଛି। ଫନି ସମୟରେ ପ୍ରାୟ ୮୪ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଫନି କାରଣରୁ ଜିଲ୍ଲାରେ ୪ଜଣ ପ୍ରାଣ ହରାଇଥିଲେ। ଚଳିତ ଥର କିନ୍ତୁ ଜିରୋ କାଜୁଆଲ୍ଟି ପାଇଁ ଜିଲ୍ଲାପ୍ରଶାସନ ଲକ୍ଷ୍ୟ ରଖିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ମୟୂରଭଞ୍ଜବାସୀ ଫାଇଲିନ୍ ଏବଂ ଫନିର ବିଭୀଷିକା ପରେ ଅମ୍ଫାନ୍ର ପ୍ରକୋପକୁ ସାମ୍ନା କରିଛନ୍ତି। କରୋନା ଏବଂ ଅମ୍ଫାନ୍ ଭଳି ଦୁଇ ଦୁଇଟି ପ୍ରାକୃତିକ ବିପତ୍ତିକୁ ଏକାବେଳେ ସଫଳତାର ସହିତ ମୁକାବିଲା କରୁଥିବା ପରିଲକ୍ଷିତ ହୋଇଛି।