ବାତ୍ୟା ରୂପ ନେଲା ‘ପେଥାଇ’ : ଆଜିଠୁ ୬ ଜିଲ୍ଲା‌ରେ ବର୍ଷା, ୧୮ରୁ ଶୀତ ବଢ଼ିବ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି। ଏହା ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ପ୍ରାୟ ୯୦୦ କିମି ଦୂରରେ ଅଛି। ଏହା ବଙ୍ଗୋପସାଗରର ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବ। ସୋମବାର ଅପରାହ୍ଣରେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ଏବଂ ୧୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ରବିବାରଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପେଥାଇ ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ରବିବାରଠୁ ବର୍ଷା ହେବ। ଡିସେମ୍ବର ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୭୦ କିମି ରହିବ। ୧୮ ତାରିଖରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ। ପେଥାଇ ପାଇଁ ସମସ୍ତ ବନ୍ଦରରେ ଏକ ନମ୍ବର ସତର୍କ ସୂଚନା ଜାରି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅମଳ ହୋଇ ବିଲରେ ପଡ଼ିଥିବା ଫସଲକୁ ସୁରକ୍ଷା ଦେବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଯୁଗ୍ମ ରିଲିଫ କମିସନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।

ଅପରପକ୍ଷେ ବାତ୍ୟା ପ୍ରଭାବରେ ସାରା ରାଜ୍ୟରେ ପାଗ କୋହଲା ରହିବା ସହ ଥଣ୍ଡା ପବନ ବହିବ। ଦିନବେଳା ବି ଶୀତ ଅନୁଭୂତ ହେବ। କିନ୍ତୁ ୧୮ତାରିଖରୁ ଅଧିକ ଶୀତ ଅନୁଭୂତ ହେବ। ଏହା ପରଠାରୁ ସପ୍ତାହ ପର୍ଯ୍ୟନ୍ତ ପାରଦ ଦିନକୁ ଏକରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର