ଅମ୍ଫାନ ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ: ବାଲେଶ୍ବର ପହଁଚିଲେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ

ଖାଲି କରାଯିବ ବାତ୍ୟାପ୍ରବଣ ସଂଗରୋଧ କେନ୍ଦ୍ର

ବାଲେଶ୍ବର: ଅମ୍ଫାନ ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ। ଆଜି ବାଲେଶ୍ବର ସଦରର ଚାନ୍ଦିପୁର, ବଳରାମଗଡ଼ି, ବାହାବଳପୁର ସମେତ ବାଲିଆପାଳ, ଭୋଗରାଇ, ସୋର, ବାହାନାଗା, ରେମୁଣା ଆଦି ସାମୁଦ୍ରିକ ତଟବର୍ତ୍ତୀ ଅଞ୍ଚଳର ୩ କିମି ଦୂରତା ମଧ୍ୟରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ମାଇକରେ ପ୍ରଚାର କରାଯାଇଛି। ଏହା ସହ ମାଟି ଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପାଇଁ ‌ଯେପରି ସାମାଜିକ ଦୂରତା ବଜାୟ ରହିବ ସେଥିପ୍ରତି ମଧ୍ୟ ସଚେତନ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଗୋଟିଏ ସମୟରେ ସରକାରୀ ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲାରେ ଲାଗିଥିବା ବେଳେ ଏବେ ବାତ୍ୟା ମୁକାବିଲାକୁ କିପରି ସୁଚାରୁରୂପେ ପରିଚାଳନା କରିବେ ସେନେଇ ସମସ୍ତଙ୍କୁ ସଜାଗ କରାଯାଇଛି। ଜିଲ୍ଲାର ୧୪୦ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ୫୮ଟି ବାତ୍ୟା ଆଶ୍ରୟସ୍ଥଳୀକୁ କରୋନା ପାଇଁ ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି।

ତେବେ ବାତ୍ୟା ମୁକାବିଲା ପାଇଁ ସେଠାରେ ରହିଥିବା ଅନ୍ତେବାସୀଙ୍କ ମଧ୍ୟରୁ ଯେଉଁମାନଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ନ ଥିଲା ତାହା ଆଜି ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି। ଆସନ୍ତାକାଲି ସୁଦ୍ଧା ସେମାନଙ୍କ ରିପୋର୍ଟ ଆସିଲେ ସେ ଅନୁସାରେ ପଦକ୍ଷେପ ନିଆଯିବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ହୋମ ଆଇସୋଲେସନ କିମ୍ବା ସ୍ଥାନୀୟ ସ୍କୁଲରେ ରଖାଯିବ। ଏଥିପାଇଁ ୫୮୭ଟି ସ୍କୁଲକୁ ଚିହ୍ନଟ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ର ଦୁଇଟି ଦଳ ପ୍ରସ୍ତୁତ ହୋଇ ରହିଥିବା ବେଳେ ବାହାରୁ ଆଉ ଏକ ଦଳ ଅଣାଯାଇ ସେମାନଙ୍କୁ ଭୋଗରାଇ ଅଞ୍ଚଳରେ ମୁତୟନ କରାଯାଇଛି।

ଓଡ୍ରାଫ୍‌ର ମଧ୍ୟ ଆଉ ଏକ ଟିମ୍‌ ଆସନ୍ତାକାଲି ଆସିବ। ଜିଲ୍ଲାର ହେଡ୍‌କ୍ବାର୍ଟର ସମେତ ୧୨ଟି ବ୍ଲକରେ ଅଗ୍ନିଶମ ବାହିନୀକୁ ଆଲର୍ଟ କରାଯାଇଥିବା ବେଳେ ପରିସ୍ଥିତିକୁ ନଜରରେ ରଖି ଆଗୁଆ ବ୍ରହ୍ମପୁର ଓ ସମ୍ବଲପୁରରୁ ୧୫ ଦଳ ଅଗ୍ନିଶମ ବାହିନୀଙ୍କୁ ହେଡକ୍ବାର୍ଟରରେ ଆଣି ରଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ୩୭ଟି ପାୱାରବୋଟ୍‌, ଦେଶୀଡଙ୍ଗା ସମେତ ୨୪୩ଟି ଲାଇଫ୍‌ ଜ୍ୟାକେଟ୍‌ ମଧ୍ୟ ରହିଛି। ଖାଦ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଯୋଗା‌ଣ ବିଭାଗକୁ ନିର୍ଦୋ ଦିଆଯାଇଛି। ସେହିପରି ଭୋଗରାଇ, ଜଳେଶ୍ବର, ବାଲିଆପାଳ, ବସ୍ତା, ନୀଳଗିରି, ସୋର, ଖଇରା, ଔପଦାରେ ବ୍ଲକରେ ମଧ୍ୟ ଅଗ୍ନିଶମ ବିଭାଗ ସହ ଗୋଟିଏ ଲେଖାଏଁ ବୋଟ୍‌ ପ୍ରସ୍ତୁତ କରି ରଖାଯାଇଛି।

ସମ୍ବନ୍ଧିତ ଖବର