ଉପକୂଳବର୍ତ୍ତୀ ୧୨ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସାମାଜିକ ଦୂରତା ନିୟମ ପାଳନ ପୂର୍ବକ ନିରାପଦ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ

ଭୁବନେଶ୍ୱର: ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଉପକୂଳବର୍ତ୍ତୀ ଓ ତତ୍ସଂଲଗ୍ନ ୧୨ ଗୋଟି ଜିଲ୍ଲା ଯଥା (ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ)କୁ ସତର୍କ କରାଯାଇ ଅଛି ଏବଂ ସମ୍ଭାବ୍ୟ ବିପର୍ଯ୍ୟୟକୁ ପ୍ରଭାବପୂର୍ଣ୍ଣ ଭାବେ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ୧୨ ଗୋଟି ବିପଦସଙ୍କୁଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।ବିପଦସଂକୁଳ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡିକ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦେଶ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ସୁରକ୍ଷିତ ପକ୍କା ଛାତବିଶିଷ୍ଟ ସରକାରୀ କୋଠା ଘରକୁ ନିରାପଦ ଆଶ୍ରୟସ୍ଥଳ ଭାବରେ ବ୍ୟବହାର ପାଇଁ ଚିହ୍ନଟ କରିବାକୁ କୁହାଯାଇଛି ।

କୋଭିଡ୍-୧୯ ମୁକାବିଲା ପାଇଁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ କରାଯାଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବ୍ୟତୀତ ମୋଟ୍ ୬୦୦ ଟି ଆଶ୍ରୟସ୍ଥଳୀ ଏବଂ ୭୦୯୨ ଅନ୍ୟ ସ୍ଥାୟୀ କୋଠାକୁ ୧୨ ଟି ଜିଲ୍ଲାର ୧୨ ଲକ୍ଷ ବାତ୍ୟା ପ୍ରଭାବିତ ଜନସାଧାରଣଙ୍କୁ ସାମାଜିକ ଦୂରତା ନିୟମ ପାଳନ ପୂର୍ବକ ନିରାପଦ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ ରଖାଯାଇଛି ।

ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟଜଳ, ଆଲୋକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ସୁବିଧା ଉପଲବ୍ଧ କରିବା ନିମନ୍ତେ କୁହାଯାଇଛି । ଯେକୌଣସି ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀରେ ଟାୱାର ଲାଇଟ୍, ଚେନ୍ ସ ଏବଂ ଅନ୍ୟ ଜରୁରୀକାଳୀନ ଉପକରଣକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

୪୮୬ ଟି ଜେନେରେଟର ସେଟ୍, ୧୫୧୩ ଟି ଇନ୍ଫ୍ଲାଟେବୁଲ୍ ଟାୱାର ଲାଇଟ୍ ଏବଂ ୧୪୯୭ ଟି ଚେନ୍ ସ ଆଶ୍ରୟସ୍ଥଳୀ ସ୍ତରରେ ପ୍ରସ୍ତୁତ କରି ରଖାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନଡାଛପର ଘର, ଆଜବେଷ୍ଟସ୍ ଘର, ଟାଇଲ୍ ଘର ଏବଂ ଅନ୍ୟାନ୍ୟ ନୂଆଣିଆ ଚାଳଘର, କୁଡିଆ କିମ୍ବା ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟାନ୍ୟ ଚିହ୍ନଟ ନିରାପଦ କୋଠାକୁ ସ୍ଥାନାନ୍ତରଣ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ଆଜି ସୁଦ୍ଧା (୧୮.୦୫.୨୦୨୦) ସମସ୍ତ ସ୍ଥାନାନ୍ତରଣ କାମ ସଂପୂର୍ଣ୍ଣ କରିବେ । ଯଦି କେହି ରହିଯାଇଥାନ୍ତି ସେମାନଙ୍କୁ ୧୯ ତାରିଖ ପୂର୍ବାହ୍ନ ସୁଦ୍ଧା ନିଶ୍ଚିତ ଭାବେ ସ୍ଥାନାନ୍ତର କରିବେ ।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୌରାଞ୍ଚଳରେ ଲଗାଯାଇଥିବା ସମସ୍ତ ହୋଡିଂ ଏବଂ ଗ୍ରାମାଞ୍ଚଳର ରାସ୍ତା ପାଶ୍ୱର୍ରେ ଥିବା ସମସ୍ତ ହୋଡିଂକୁ ତୁରନ୍ତ ହଟେଇବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାର ପ୍ରଶାସନକୁ ବାତ୍ୟା ପରିଚାଳନା ପାଇଁ ସହଯୋଗ ଏବଂ ପରାମର୍ଶ ନିମନ୍ତେ ୪ ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର