ତିତ୍‌ଲି ଭିଜାଇଲା ୫ ‌କୋଟି : ୩ ଜିଲ୍ଲାରେ ବହୁ ଏଟିଏମ୍‌ ଅଚଳ, ବ୍ୟାଙ୍କ ପୂଜା ଛୁଟି ବାତିଲ

କ୍ଷତିଗ୍ରସ୍ତ ପରିବାରକୁ ନଗଦ ହଜାରେ ଟଙ୍କା

ଭୁବନେଶ୍ବର : ପ୍ରଳୟଙ୍କରୀ ବାତ୍ୟା ତିତ୍‌ଲି ଓ ପରବର୍ତୀ ବର୍ଷା ଓ ବନ୍ୟା ଛାଡ଼ିଯାଇଛି ସତ, କିନ୍ତୁ ଗୋଟିକ ପରେ ଗୋଟିଏ ନୂଆ ବିପଦ ଛିଡ଼ା କରୁଛି। ବର୍ତମାନ ବାତ୍ୟା ପ୍ରଭାବିତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି। ତିତ୍‌ଲି ବାତ୍ୟା ଭିଜାଇ ନଷ୍ଟ କରିଦେଇଛି ଆସ୍କାର ବ୍ୟାଙ୍କ ଚେଷ୍ଟରେ ଥିବା ନଗଦ ୫ କୋଟି ଟଙ୍କା। ଯଦି ବ୍ୟାଙ୍କରେ ବାତ୍ୟା ସମୟରେ ୫୦୦ କି ୨୦୦୦ ଟଙ୍କିଆ ବଡ଼ ବଡ଼ ନୋଟ୍‌ ଥାନ୍ତା, ନଷ୍ଟ ପରିମାଣ ଅଧିକ ହେବା ସୁନିଶ୍ଚିତ ଥିଲା। ପାଣି ପଶି ଅନେକ ସଂଖ୍ୟକ ବ୍ୟାଙ୍କ, ଏଟିଏମ୍‌ ଅଚଳ। ଏବେ ବି ନଗଦ ଟଙ୍କାର ଅଭାବ ସାଙ୍ଗକୁ ବ୍ୟାଙ୍କ, ଏଟିଏମ୍‌ରେ ବିଦ୍ୟୁତ୍‌, ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ। ଏସବୁ ସମସ୍ୟା ବାତ୍ୟା ବିପନ୍ନଙ୍କ ଉଦ୍ଧାର ଓ ଥଇଥାନ କ୍ଷେତ୍ରରେ ବାଟ ଓଗାଳିଛି।

ଏଭଳି ସଙ୍ଗିନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଥିବା ସବୁ ବ୍ୟାଙ୍କ ସମସ୍ତ କାର୍ଯ୍ୟ ଦିବସରେ ଖୋଲା ରଖିବାକୁ ଉଭୟ ସରକାରୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଜଣେ କର୍ମଚାରୀ ଥିବା ବ୍ୟାଙ୍କ ଶାଖାଗୁଡ଼ିକ ମଧ୍ୟ ଖୋଲା ରହିବ। ଯଦି କେହି ଅଧିକାରୀ ବା କର୍ମଚାରୀ ଛୁଟିରେ ଥିବେ, ତାଙ୍କ ବଦଳରେ ଅନ୍ୟ ଜଣଙ୍କୁ ସେହି ସ୍ଥାନରେ ରଖାଯିବ, ଯାହାଫଳରେ ବ୍ୟାଙ୍କ କାର୍ଯ୍ୟ ଯେପରି ପ୍ରଭାବିତ ନ ହେବ। ରାଜ୍ୟପାଳଙ୍କ ଆଦେଶ ମୁତାବକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ‌ ନେଇ ନେଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଆଇନ(ଏନ୍‌ଆଇଏ)ର ଧାରା ୨୫ ବଳରେ ଏହି ୩ଟି ଜିଲ୍ଲାର ସମସ୍ତ ବ୍ୟାଙ୍କର ୧୭ (ଅଷ୍ଟମୀ) ଓ ୧୯ ତାରିଖ(ବିଜୟା ଦଶମୀ) ଛୁଟିକୁ ବାତିଲ କରିବା ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ୩ ଟି ଜିଲ୍ଲାରେ ନଗଦ ଟଙ୍କାର ବ୍ୟାପକ ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ଦ୍ବାରା ବାତ୍ୟା, ବନ୍ୟା ବିପନ୍ନଙ୍କୁ ରିଲିଫ ଓ ଥଇଥାନ ଜନିତ ସହାୟତା ପ୍ରଦାନ ନେଇ ସମସ୍ୟା ଉପୁଜିଛି। ପ୍ରତି ବିପନ୍ନଙ୍କୁ ୨ ହଜାର ଟଙ୍କା ‌ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତିି। ଏହା ବଢ଼ାଇ ଦେଇଛି ସରକାରଙ୍କ ଉଦ୍‌ବେଗ। ଗଞ୍ଜାମ ଜିଲ୍ଲା ପାଇଁ ପ୍ରାୟ ୨୦୦ କୋଟି ଆବଶ୍ୟକ ହେଉଥିବା ବେଳେ ଗଜପତି ଓ ରାୟଗଡ଼ା ଜିଲ୍ଲା ନିମନ୍ତେ ୫୦ କୋଟି ଲେଖାଏଁ ନଗଦ ଟଙ୍କା ଦରକାର। ଏଥିପାଇଁ ଅନ୍ତତଃ ପକ୍ଷେ ୫୦୦ ଟଙ୍କିଆ ନୋଟ୍‌ ଚାହୁଁଛନ୍ତି ସରକାର। ଜିଲ୍ଲାପାଳମାନେ ଆକାଉଣ୍ଟ ବ୍ୟବସ୍ଥା କରିବା ଫଳରେ ବିଡିଓମାନେ ଅର୍ଥ ଉଠାଇ ହିତାଧିକାରୀମାନଙ୍କୁ ବାଣ୍ଟିପାରିବେ।

ଏହି ପରିପ୍ରେକ୍ଷୀରେ ଆଜି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ବର, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ଓ ଇନ୍‌ଷ୍ଟିଚ୍ୟୁନାଲ୍‌ ଫାଇନାନ୍ସ ନିର୍ଦେଶକ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସଚିବାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ ରିଜର୍ଭ ବ୍ୟାଙ୍କର ଭୁବନେଶ୍ବର ଡିଜିଏମ୍‌ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ଥିବା ୧୧ଟି ଚେଷ୍ଟରେ ପ୍ରାୟ ୫୦୦ କୋଟି ଉପଲବ୍ଧ ଥିବା ବେଳେ ଗଜପତିରେ ପ୍ରାୟ ୬୫ କୋଟି ଗଚ୍ଛିତ ରହିଛି। ଏସବୁ ଜିଲ୍ଲାର ବ୍ୟାଙ୍କ ଶାଖାଗୁଡ଼ିକୁ ଅଧିକ ନଗଦ ଟଙ୍କା ଯୋଗାଇଦେବାକୁ ଡିଜିଏମ୍‌ଙ୍କୁ ଅନୁରୋଧ କରାଯାଇଛି। ଯେଉଁ ବ୍ୟାଙ୍କଗୁଡ଼ିକରେ ବିଦ୍ୟୁତ୍‌ ଶକ୍ତି ଓ ଇଣ୍ଟରନେଟ୍‌ ସଂଯୋଗ ବିଚ୍ଛିନ୍ନ ସେହି ଶାଖାଗୁଡ଼ିକରେ ବିକଳ୍ପ ବ୍ୟବସ୍ଥା କରିବାକୁ ବ୍ୟାଙ୍କ ପଦାଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଷ୍ଟେଟ୍‌ ବ୍ୟାଙ୍କ ଶାଖାଗୁଡ଼ିକରେ ଆବଶ୍ୟକ ସ୍ଥଳେ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ଯନ୍ତ୍ର ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଡିଜିଏମ୍‌ ଟଙ୍କା ଯୋଗାଣକୁ ସୁରକ୍ଷିତ ରଖିବାକୁ ସଶସ୍ତ୍ର ପୁଲିସ ବାହିନୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହି ଜିଲ୍ଲାଗୁଡ଼ିକର ବିଡିଓମାନେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ତଥ୍ୟ ସହିତ ଆକାଉଣ୍ଟ ନମ୍ବର ବ୍ୟାଙ୍କ ଅଧିକାରୀମାନଙ୍କୁ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

କ୍ଷତିଗ୍ରସ୍ତ ପରିବାରକୁ ନଗଦ ହଜାରେ ଟଙ୍କା

ଭୁବନେଶ୍ବର : ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ଏକ ହଜାର ଟଙ୍କା ଓ ୫୦ କେଜି ଚାଉଳ ଦିଆଯିବ। କେବଳ ସେତିକି ନୁେହଁ, ଅଢ଼େଇ ଲିଟର କିରାସିନି ବି।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଜି ଗଜପତି ଜିଲ୍ଲା ବୁଲି ପରିସ୍ଥିତି ସଂପର୍କରେ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ପରିବାରକୁ ୩ହଜାର ଟଙ୍କାର ରିଲିଫ୍ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଆଜି କୁହାଯାଇଛି, ବାକି ଦୁଇ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତିତ୍‌ଲି କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲାରୁ ଅନୁଧ୍ୟାନ କରି ଫେରିବା ପରେ ମୁଖ୍ୟଶାସନ ସଚିବ ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିେଲ। ବୈଠକରେ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି, ପରିସ୍ଥିତିରେ ଦ୍ରୁତ ପରିବର୍ତନ ହେଉଛି ଓ ସ୍ବାଭାବିକ ଆଡକୁ ଯାଉଛି। ଆସନ୍ତାକାଲି ସୁଦ୍ଧା ପଲିଥିନ ବଣ୍ଟନ ସରିବ। ପାରଳାଖେମୁଣ୍ଡି ଓ କାଶୀନଗରରେ ବିଦ୍ୟୁତ ସଂଯୋଗ ସାରିବା ଲାଗି ନିର୍ଦେଶ ଦିଆଯାଇଛି। ଅନ୍ୟାନ୍ୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ସୁଦ୍ଧା ଏହି କାର୍ଯ୍ୟ ସରିବା ଲାଗି କୁହାଯାଇଛି। ତେବେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ଥାନଗୁଡିକରେ ବିଦ୍ୟୁତ ସ୍ଥିତି ସ୍ବାଭାବିକ ହେହବାକୁ ଦୁଇ ତିନି ଦିନ ସମୟ ଲାଗିବ।

ସେହିଭଳି ବାତ୍ୟା ଓ ପରବର୍ତୀ ବନ୍ୟାରେ ଧାନ ଓ ଅଣ ଧାନ ଫସଲ ଏବଂ ସଡକ ଯୋଗାଯୋଗରେ ବ୍ୟାପକ କ୍ଷତି ଘଟିଛି। ପୂର୍ତ ବିଭାଗ କାର୍ଯ୍ୟ ଶେଷ ହୋଇଥିଲେ ହେଁ, ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ପାଇଁ ତିନି ଦିନ ସମୟ ଲାଗିବ। ଏଥିପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ।

ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ବିଭାଗ ପ୍ରାରମ୍ଭିକ କ୍ଷୟକ୍ଷତି ରିେପାର୍ଟ ସରକାରଙ୍କୁ ଦେବା କଥା। ଏନେଇ କିଛି ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚାଇଛି ଯେ ୧୬ଟି ଜିଲ୍ଲାର ୧୧୪ଟି ବ୍ଲକର ୫୭ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ ଓ ଅଣ ଧାନ ଚାଷରେ ବ୍ୟାପକ କ୍ଷତି ଘଟିଛି। ୧ଲକ୍ଷ ୪୮ ହଜାର ହେକ୍ଟର ଧାନ ଫସଲ, ୬୫ ହଜାର ହେକ୍ଟର ଅଣ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗଞ୍ଜାମ ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ପ୍ରଦାନ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର