ତିତ୍‌ଲି ପ୍ରଭାବରେ ବର୍ଷା ଆରମ୍ଭ : ବର୍ଷାକୁ ନେଇ ସତର୍କତା ଜାରି

ଭୁବନେଶ୍ୱର : ପାଖେଇ ଆସୁଛି ବାତ୍ୟା ତିତ୍‌ଲି। ଆସନ୍ତାକାଲି ଭୋର ସମୟରେ ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ଗୋପାଳପୁରଠାରୁ ୧୩୦ କିଲୋମିଟରରେ ଦୂରରେ ଉପକୂଳ ଆଡକୁ ଗତି କରିଛୁ ତିତ୍‌ଲି। ଏହାର ପ୍ରଭାବରେ ଏବେ ଗୋପାଳପୁରରେ ବର୍ଷା ସାଙ୍ଗକୁ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରେ ଲାଗିଛି। ଏଥିସହିତ ଭୁବନେଶ୍ୱର ସମେତ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ସକାଳେ ବାତ୍ୟା ତିତ୍‌ଲି ସ୍ଥଳଭାଗ ଛୁଇଁବା ପରେ ୧୬୫ କିଲୋମିଟର ବେଗରେ ବହିବା ସହ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ। ତିତ୍‌ଲିର ପ୍ରଭାବକୁ ଦେଖି ୮ ଜିଲ୍ଲାରେ ରେଡ୍‌ଓ୍ଵାର୍ଣ୍ଣିଂ ସହ ୭ ଜିଲ୍ଲାରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତିତ୍‌ଲି ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତରପୂର୍ବ ଓଡ଼ିଶା ଦିଗକୁ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ବହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ। ଏହାସହ ଆଭ୍ୟନ୍ତର ଓଡ଼ିଶାରେ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଜାରି ରହିବ ବୋଲି ଜଣାପଡିଛି।

ତିତ୍‌ଲି ଯେତେଯେତେ ଉପକୂଳ ଆଡକୁ ଆଗଉଛି ଏହାର ପ୍ରଭାବ ସେତେସେତେ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ବର୍ତ୍ତମାନଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପବନ ସହ ବର୍ଷା। ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏନେଇ ଗୋପାଳପୁର, ପୁରୀ. ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ତଟବର୍ତ୍ତୀ ଅଂଚଳରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସାରିଲାଣି। ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସତର୍କ କରିଛନ୍ତି ଜିଲ୍ଲା ପ୍ରଶାସନ। ଜିରୋ କାଜୁଆଲିଟି ପାଇଁ ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି ସରକାର। ଗଂଜାମ ଅଧିକ ପ୍ରଭାବିତ ହେବାକୁ ଥିବାରୁ ୫ଟି ବ୍ଲକରେ ଜାରି କରାଯାଇଛି ହାଇଆଲର୍ଟ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ।

ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲ୍ଲାରେ ଜାରି କରାଯାଇଛି ରେଡ୍‌ୱାର୍ଣିଂ। ରେଡ୍‌ ୱାର୍ଣିଂ ଜିଲ୍ଲା ଗୁଡିକୁ ଏନ୍‌ଡିଆରଏଫ ଏବଂ ଓଡ୍ରାଫ୍‌ ଟିମ୍‌କୁ ପଠାଇ ଦିଆଯାଇଛି। ସେପଟେ ତିତ୍‌ଲି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ମାଗିଛନ୍ତି ରାଜ୍ୟ ସରକାର। ସେନାବାହିନୀ ଓ ଆକାଶବାହିନୀକୁ ସଜାଗ କରାଯାଇଛି। ଦରକାର ପଡିଲେ ଯେକୌଣସି ମୂହୁର୍ତରେ ସେମାନଙ୍କର ସହାୟତା ନିଆଯାଇପାରେ।

ସମ୍ବନ୍ଧିତ ଖବର