ତିତ୍‌ଲି ଚୂଡ଼ାନ୍ତ କ୍ଷତି ୨୭୭୯ କୋଟି

ଭୁବନେଶ୍ବର : ପ୍ରଳୟଙ୍କରୀ ବାତ୍ୟା ତିତଲି ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ଅପରାହ୍ଣରେ ଫେରିଛନ୍ତି। ସନ୍ଧ୍ୟାରେ ସଚିବାଳୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ପଦାଧିକାରୀମାନଙ୍କ ସହିତ ସେମାନଙ୍କର ଆଲୋଚନା ହୋଇଥିଲା। ଏହି ଅବସରରେ ରାଜ୍ୟ ସରକାର ୨୭୭୯ କୋଟିର କ୍ଷୟକ୍ଷତି ସଂପର୍କିତ ଚୂଡ଼ାନ୍ତ ସ୍ମାରକପତ୍ର କେନ୍ଦ୍ରୀୟ ପ୍ରତିନିଧି ଦଳକୁ ଦେଇଥିଲେ। ପୂର୍ବରୁ ସ୍ବତନ୍ତ୍ର ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟର ସୂଚନାନୁସାରେ ୫୮ଜଣଙ୍କ ମୃତ୍ୟୁ ଏବଂ ୧୯ଜଣ ବ୍ୟକ୍ତି ନିଖୋଜ ଏହିପରି ମୋଟ ମୃତ୍ୟୁ ସଂଖ୍ୟା ୭୭ ବୋଲି କୁହାଯାଇଥିଲା। କିନ୍ତୁ ଚୂଡ଼ାନ୍ତ ସ୍ମାରକପତ୍ରରେ ସେହି ସଂଖ୍ୟା ୭୧କୁ କମିଛି। ବୈଠକରେ ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କ୍ଷୟକ୍ଷତିର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ୧ ହଜାର କୋଟିର ଅଗ୍ରୀମ ସହାୟତା ଦାବି କରିଥିଲେ। ଆଜି ମୁଖ୍ୟ ସଚିବ ଏହି ଦାବିକୁ ଦୋହରାଇଥିଲେ। ଏହି କିସ୍ତି ବାବଦ ଅର୍ଥ ରାଜ୍ୟକୁ ଡିସେମ୍ବର ମାସରେ ମିଳିବା କଥା। କିନ୍ତୁ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଏହାକୁ ଯଥାଶୀଘ୍ର ପ୍ରଦାନ କରିବାକୁ ସେ କହିଥିଲେ। କେବଳ ଗଜପତି ଜିଲ୍ଲାରେ କିପରି ବନ୍ୟା ଓ ବର୍ଷା ବିତ୍ପାତ ଉପୁଜିଲା ସେ ନେଇ ବିସ୍ମୟ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର