ଭୟଙ୍କର ହେଉଛି ତିତ୍‌ଲି : ଆଜି ସକାଳେ ଓଡ଼ିଶା ଛୁଇଁବ

ତାଣ୍ଡବ ରଚାଇବ ଉପକୂଳରେ, ପାଞ୍ଚଫୁଟ ଉଚ୍ଚରେ ଉଠିବ ଜୁଆର, ୫ ଜିଲ୍ଲାକୁ ଅଧିକ ବିପଦ, ୧୯ ରେଡ୍ ଆଲର୍ଟ, ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର
ଭୁବନେଶ୍ବର : ଅତି ପ୍ରଚଣ୍ଡ ରୂପ ଧାରଣ କରି ବାତ୍ୟା ‘ତିତଲି’ ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ବୁଧବାର ସକାଳ ସାେଢ ପାଞ୍ଚଟା ପରେ ପୂର୍ବାହ୍ନ ୧୦ଟା ମଧ୍ୟରେ ଯେ କୌଣସି ମୁହୂର୍ତରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟବର୍ତୀ ସ୍ଥାନରେ ମାଡ଼ ହେବ।

ପାଣିପାଗ ବିଜ୍ଞାନୀ ତିତଲିର ଭୟାବହତା ନେଇ ଯେଉଁ ଚିତ୍ର ଆଙ୍କୁଛନ୍ତି, ସେଥିରୁ ଜଣାପଡୁଛି ଯେ ଏହା ଉପକୂଳ ସ୍ପର୍ଶ କରିବା ବେଳକୁ ଘଣ୍ଟା ପ୍ରତି ୧୪୦ରୁ ୧୫୦ କିେଲାମିଟର ବେଗରେ ପବନ ପାଖାପାଖି ୬୦ କିେଲାମିଟର ଦୀର୍ଘ ଅଞ୍ଚଳକୁ ଗୁରାଣ୍ଡି ଦେବ। ସମୟ ସମୟରେ ଏହା ୧୬୫ କିେଲାମିଟର କିମ୍ବା ୧୭୦ କିେଲାମିଟର ବେଗରେ ଝଟକା ଦେଇପାରେ। ରିେପାର୍ଟ ‌ଲେଖା ହେହବା ବେଳକୁ ଗୋପାଳପୁର ଠାରୁ ୨୦୦ କିମି ଦୂରରେ ରହିଛି ‘ତିତଲି’।

ସ୍ଥଳଭାଗରେ ତିତଲି ସ୍ପର୍ଶ କରିବା ବେଳକୁ ଏହାର ପ୍ରଭାବ ଏତେ ଭୟଙ୍କର ହେବ ଯେ ପାଖାପାଖି ଦେଢ ମିଟର ବା ୫ଫୁଟ ଉଚ୍ଚର ଜୁଆର ଉଠିବ ସମୁଦ୍ରରେ। ଉପକୂଳ ଛୁଇଁବା ପରେ ବି ମଧ୍ୟାହ୍ନ ଯାଏ ବାତ୍ୟା ତାଣ୍ଡବ ରଚାଇବ ସ୍ଥଳ ଭାଗରେ। ପବନର ବେଗ ସେଯାଏ ଘଣ୍ଟାପ୍ରତି ୧୨୫ କିେଲାମିଟରରୁ ୧୩୫ କିେଲାମିଟର ରହିବ ଓ ସ୍ଥଳ ବିେଶଷରେ ଏହା ୧୫୦ କିେଲାମିଟର ଝଟକା େଦବ। ଅପରାହ୍ନ ସାେଢ ପାଞ୍ଚଟା ବେଳକୁ ଏହା ବାତ୍ୟାର ରୂପ ନେବ ଓ ପବନ ଘଣ୍ଟାପ୍ରତି ସର୍ବାଧିକ ୯୦ କିେଲାମିଟରକୁ ଛୁଇଁପାରେ। ତେବେ ସାମାନ୍ୟ ହେବା ପାଇଁ ଏହା ଆଉ ୨୪ ଘଣ୍ଟାରୁ ଅଧିକ ସମୟ ନେଇପାରେ।

ଏହାର ପରିଣାମରେ ଗଞ୍ଜାମ, ଗଜପତି,ଖୋର୍ଧା, ନୟାଗଡ, ପୁରୀ ଜିଲ୍ଲାରେ ବିତ୍ପାତ ଭୟ ବଢିଯାଇଛି। ଆସନ୍ତାକାଲି ରାଜ୍ୟର ମୋଟ ୧୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ, ଠାଏ ଠାଏ ଭୀଷଣ ବର୍ଷା େହବ। ଏସବୁ ଜିଲ୍ଲାେର ରେଡ୍ ଆଲର୍ଟ ଜାରି କରାଯାଇଛି। ୧୧୫ ମିଲିମିଟରରୁ ୨୦୪ ମିଲିମିଟର ବା ତା ଠାରୁ ଅଧିକ ବର୍ଷା େହାଇପାେର। ଏ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା,ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ବର ଜିଲ୍ଲା ରହିଛି।

ଯଦିଓ ଫାଇଲିନ୍ ଠାରୁ ପବନର ବେଗ କମ୍ ରହିବ ବୋଲି କୁହାଯାଉଛି, କିନ୍ତୁ ଅଧିକ ଅଞ୍ଚଳରେ କ୍ଷତି ଘଟାଇପାରେ ତିତଲି। ବାତ୍ୟାର ଭୀଷଣତା କାରଣରୁ ଗଞ୍ଜାମ, ଗଜପତି, ଖୋର୍ଧା, ନୟାଗଡ ଓ ପୁରୀ ଜିଲ୍ଲାେର କ୍ଷୟକ୍ଷତି ଅଧିକ ହୋଇପାେର। ଚାଳ ଘର ଉଡିଯାଇପାରେ ଓ ବଡ଼ ବଡ଼ ଗଛ ଉପୁଡିଯିବାର ଭୟ ମଧ୍ୟ ରହିଛି। ସେହିଭଳି ଟେଲିଫୋନ୍ ଟାଵାର, ବିଦ୍ୟୁତ ଖୁଣ୍ଟ ଉପୁଡିବା ସମ୍ଭାବନା ରହିଛି। ଅନ୍ୟସବୁ ଜିଲ୍ଲାରେ ପବନର ଗତି ୯୦ କିେଲାମିଟର ପର୍ଯ୍ୟନ୍ତ ଛୁଇଁପାରେ। ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ପବନ ଘଣ୍ଟା ପ୍ରତି ୭୦ କିେଲାମିଟର ବେଗରେ ବହିବ।

ଆେମରିକୀୟ ପାଣିପାଗ ସଂସ୍ଥା ଏହାକୁ ହରିକେନ୍ ୨ ବୋଲି ଚିହ୍ନଟ କରିଛନ୍ତି। େସମାନଙ୍କ ପୂର୍ବାନୁମାନ କହୁଛି, ବର୍ତମାନ ସମୁଦ୍ର ଭିତରେ ୧୬୫ କିେଲାମିଟର ଘଣ୍ଟାପ୍ରତି ପବନ ରହିଛି। ସ୍ଥଳଭାଗରେ ପହଞ୍ଚିବା ବେଳକୁ ପବନର ବେଗ ୧୭୫ କିେଲାମିଟର ହେବା ବିଚିତ୍ର ନୁେହଁ। ତେବେ ଆସନ୍ତାକାଲି ଅପରାହ୍ନ ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟରକୁ ଖସିଆସିବ।

ପାଣିପାଗ ବିଜ୍ଞାନୀଙ୍କ ସୂଚନାନୁସାରେ, ପାଖାପାଖି ୩୬ କିଲୋମିଟର ଲମ୍ବା ଗୋଲାକାର ଆଖି ଭିତରେ ଭୟଙ୍କର ବେଗରେ ବୁଲୁଛି ପବନ। ତଳ ଏବ˚ ଉପର ସ୍ତରକୁ ଘାଣ୍ଟି ଦେଉଛି। ଘଣ୍ଟାପ୍ରତି ୧୪୦ ରୁ ୧୫୦ କିେଲାମିଟର ବେଗରେ ପବନ ସଂପୃକ୍ତ ଅଞ୍ଚଳରେ ସମୁଦ୍ରକୁ ଅଶାନ୍ତ କରିେଦଲାଣି। ରିେପାର୍ଟ ଲେଖା ହେବା ବେଳକୁ ଗୋପାଳପୁର ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୬୦ କିେଲାମିଟର ଥିବା କୁହାଯାଉଛି। ସେହିଭଳି ଏହାର ପ୍ରଭାବରେ ଆଜି ସକାଳୁ ଆକାଶ ସମ୍ପୂର୍ଣ୍ଣ ମେଘୁଆ ରହିବା ସହିତ ଧୀରେ ଧୀରେ ବର୍ଷା ହେଉଛି। ରାତି ୧୧ଟା ପରେ ବର୍ଷା ଓ ପବନ ବଢିବ ବୋଲି ପାଣିପାଗ ବିଭାଗ କହୁଛି।

ଗତକାଲି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ କେନ୍ଦ୍ରୀଭୂତ ହୋଇ କ୍ରମଶଃ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା। ଆଜି ସକାଳେ ଏହା ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ଧାରଣ କରିଛି ଓ ଆଜି ମଧ୍ୟାହ୍ନ ସୁଦ୍ଧା ଅତି ଭୀଷଣ ଝଡ଼ବାତ୍ୟାରେ ପରିଣତ େହାଇଛି। ଘଣ୍ଟା ପ୍ରତି ୧୪ କିେଲାମିଟର ବେଗରେ ମାଡ଼ି ଆସୁଛି ଉପକୂଳକୁ। ଧୀରେ ଧୀରେ ଏହା ଅତି ତୀବ୍ର ଆକାର ଧାରଣ କରିବାେର ଲାଗିଛି।

କିଛି ପାଣିପାଗ ବିେଶଷଜ୍ଞଙ୍କ ମତ ହେଉଛି, ଯେହେତୁ ସମୁଦ୍ର ଉପରିଭାଗରେ ତାପମାତ୍ରା ହାରାହାରି ୩୦ ଡିଗ୍ରି ସେଲସିୟସ ରହିଛି, ଏଣୁ ତିତଲି ଅଧିକ ଶକ୍ତିଶାଳୀ ହେବା ଲାଗି ଖୋରାକ ପାଉଛି। ଏଣୁ ଏହା ସ୍ଥଳଭାଗକୁ ଛୁଇଁବା ପୂର୍ବରୁ ଏହା ଆହୁରି ଭୟାନକ ରୂପ େନବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଏମିତି ହେଲେ ପବନର ବେଗ ୧୯୦ କିେଲାମିଟର ପର୍ଯ୍ୟନ୍ତ ଛୁଇଁପାରେ।

ପରିସ୍ଥିତିକୁ ନଜରରେ ରଖି ଗୋପାଳପୁର ଓ ପୁରୀରେ ୧୦ ନମ୍ବର ଏବଂ ପାରାଦୀପ ଓ ଚାନ୍ଦବାଲିରେ ୯ ନମ୍ବର ବିପଦ ସଙ୍କେତ ଦିଆଯାଇଛି ଓ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି।

ଅନ୍ୟପକ୍ଷରେ ବାତ୍ୟାକୁ ନେଇ ଓଡ଼ିଶାରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିେଶଷକରି ଉପକୂଳ ଜିଲ୍ଲାମାନଙ୍କରେ ଲୋକମାେନ ଭୟଭୀତ ହୋଇପଡିଛନ୍ତି। ସମୁଦ୍ର କୂଳିଆ ଲୋକମାେନ ଘର ଛାଡିବା ଆରମ୍ଭ କରିଛନ୍ତି। ରାତି ସୁଦ୍ଧା ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଧା, ନୟାଗଡ, କେନ୍ଦ୍ରାପଡା ଆଦି ଅଞ୍ଚଳରୁ ନିରାପଦ ସ୍ଥାନକୁ ପ୍ରଶାସନ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରଖିଛି। ପାଖାପାଖି ୩ଲକ୍ଷ େଲାକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର