ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’: ସତର୍କ ସୂଚନା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ୱର: ବଙ୍ଗୋପସାଗର ଭିତରୁ ପ୍ରଳୟଙ୍କାରୀ ବାତ୍ୟା ‘ତିତ୍‌ଲି’ ମାଡି ଆସୁଛି। ଏଥି ପାଇଁ ଜିଲ୍ଲାପାଳମାନେ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି। ତିତ୍‌ଲି ଯୋଗୁଁ ଯେପରି କାହାର ମୃତ୍ୟୁ ନହୁଏ, ସେଥିପାଇଁ ସତର୍କ ରହିବାକୁ ସେ ଲେଖିଥିବା ଚିଠିରେ ଉଲ୍ଲେଖ ଅଛି। ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଉପକୂଳ ଲୋକଙ୍କୁ ଚିହ୍ନଟ କରି ସ୍ଥାନାନ୍ତର କରିବାକୁ ଏସ୍‌ଆରସିଙ୍କ ଚିଠିରେ ନିର୍ଦ୍ଦେଶ ହୋଇଛି। ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉ। ବୟସ୍କ, ମହିଳା, ଶିଶୁ ଓ ଦିବ୍ୟାଙ୍ଗମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ। ସେହିଭଳି ଆଶ୍ରୟସ୍ଥଳରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଓ ପାନୀୟଜଳ ମହଜୁଦ ରଖିବା ପାଇଁ କୁହାଯାଇଛି। ସେହିଭଳି ଅନ୍ୟ ଜିଲ୍ଲାପାଳମାନଙ୍କୁ ମଧ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ତିତ୍‌ଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଠାରୁ ୪ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସଚିବାଳୟ ଠାରେ ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରହିବ। ସେହିଭଳି ଏହି ସବୁ ଜିଲ୍ଲାମାନଙ୍କରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ମଧ୍ୟ ବନ୍ଦ ରହିବ। ତିତଲି ପରସ୍ଥିତି ଦେଖି ବୁଧବାର ଅନ୍ୟ ଜିଲ୍ଲାମାନଙ୍କରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ କି ନାହିଁ ତାହା ନିଷ୍ପତ୍ତି ହେବ।

ତିତ୍‌ଲି ସ୍ଥଳଭାଗକୁ ଛୁଇଁବା ବେଳକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ। ପବନର ବେଗ ଘଣ୍ଟା ପିଛା ୧୨୫ କିଲୋମିଟ ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ତିତ୍‌ଲି ପ୍ରଭାବରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯିବ। ବୁଧବାର ଓ ଗୁରୁବାର ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଛି। ବାତ୍ୟା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି ଯେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ସେହି ସବୁ ଜିଲ୍ଲା ପାଇଁ ରେଡ୍‌ ଓ୍ଵର୍ଣ୍ଣିଂ ଦିଆଯାଇଛି। ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି।ତେବେ ପରଦିନ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ୧୧ ତାରିଖରେ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ,ଖାର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ, ଗଞ୍ଜାମ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଢ଼େଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ଏହି ୧୫ଟି ଜିଲ୍ଲା ପାଇଁ ରେଡ ଓ୍ଵାର୍ଣ୍ଣିଂ ନୋଟିସ ଜାରି କରିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର