ଓଡ଼ିଶା ଉପକୂଳରେ ୧୨୨ ଆଲର୍ଟ ସାଇରନ୍‌ ଟାୱାର୍‌

୬ଟି ଜିଲ୍ଲାର ୨୨ ବ୍ଲକକୁ ଦେଢ଼ ଘଣ୍ଟା ପୂର୍ବରୁ ମିଳିବ ବିପର୍ଯ୍ୟୟ ସୂଚନା, ଖର୍ଚ୍ଚ ହୋଇଛି ୭୫ କୋଟି, ଲୋକଙ୍କୁ ମୋବାଇଲ୍‌କୁ ପଠାଯିବ ମେସେଜ୍‌, ପୁରୀ ଜିଲ୍ଲାରେ ପ୍ରତିଷ୍ଠା ହେବ ୩ ହଜାର ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ

ଭୁବନେଶ୍ବର : ଏଣିକି ବାତ୍ୟା, ସୁନାମି, ବଜ୍ରପାତ ପରି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଲୋକଙ୍କୁ ଆଗୁଆ ସଚେତନ କରିବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ବିପର୍ଯ୍ୟୟ ପ୍ରାକ୍‌ ସୂଚନା ବିତରଣ ବ୍ୟବସ୍ଥା। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ଆଜି ରବୀନ୍ଦ୍ରମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଛନ୍ତି। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶା ଉପକୂଳବର୍ତ୍ତୀ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ, ୧୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର, ୧୧୩ଟି ବହୁମୁଖୀ ଆଶ୍ରୟ ସ୍ଥଳୀ ଏହା ଅଧୀନରେ ଆସୁଛି। ଏହି ପ୍ରକଳ୍ପ ପାଇଁ ୭୫ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବିଶ୍ବବ୍ୟାଙ୍କ ସହାୟତାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ତ୍ରୁଟିମୁକ୍ତ ଯୋଗାଯୋଗ ବ୍ୟବସ୍ଥା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଏଥିସହ ଭଏସ୍‌ ମେସେଜ୍‌ ଓ ମୋବାଇଲ୍‌ ମେସେଜ୍‌ ମାଧ୍ୟମରେ ଲୋକଙ୍କୁ ସତର୍କ କରାଯିବ।

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ‘ତିତ୍‌ଲି’ ସମୟରେ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ତୃତୀୟ ବୃହତ୍ତମ ପ୍ରାକୃତିକ ବିପର୍ଯ୍ୟୟ। ଯଦି ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ଉପକୂଳକୁ ମୃତ୍ୟୁ ଶୂନ୍ୟ କରିପାରିବା ତେବେ ଏହାର ଶ୍ରେୟ ପ୍ରତ୍ୟେକ ବ୍ୟକ୍ତି ଓ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥାକୁ ଯିବ। ଏବେ ସୁଦ୍ଧା ୮୭୯ ଆଶ୍ରୟ ସ୍ଥଳୀ, ୨୦ଟି ଓଡ୍ରାଫ୍‌ ୟୁନିଟ୍‌, ୩୩୯ ଅଗ୍ନିଶମ ୟୁନିଟ୍‌ କାର୍ଯ୍ୟ କରୁଛି। ଡପରଲ୍‌ ରାଡର ପ୍ରତିଷ୍ଠା, ପକ୍କା ହାଉସ୍‌, ମକ୍‌ ଡ୍ରିଲ୍‌ ପରି ବ୍ୟବସ୍ଥା ଦ୍ବାରା ବିପର୍ଯ୍ୟୟ ମୁକାବିଲ୍‌ କରାଯାଇପାରୁଛି। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଭୂସ୍ଖଳନ ହେବା ଦ୍ବାରା ଲୋକଙ୍କ ଜୀବନହାନି ହୋଇଛି। ତାହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ପାହାଡ଼ ଉପରେ ଥିବା ଗ୍ରାମବାସୀଙ୍କୁ ତଳକୁ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି। ସରକାରୀ କର୍ମଚାରୀଙ୍କ ସହ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ, ଓଏଫ୍‌ଡିସି ଓ ସ୍ବେଚ୍ଛ‌ାସେବୀମାନଙ୍କ ସହଯୋଗ ଦ୍ବାରା ‘ତିତ୍‌ଲି’ ପ୍ରଭାବିତ ଅଞ୍ଚଳରୁ କମ୍‌ ସମୟରେ ଗଛ କଟା ସରିଥିଲା। ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନା‌ରେ ବିକାଶର ହାର ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ମହେଶ୍ବର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌. ବାଳକ୍ରିଷ୍ଣନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ବତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇ କହିଲେ ୨୦୧୩ ଫାଇଲିନ୍‌ ବାତ୍ୟା ପରେ ଗଞ୍ଜାମ ଓ ଖୋର୍ଧା ଜିଲ୍ଲାର ଲୋକଙ୍କ ପାଇଁ ୧୭ ହଜାର ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ ‌ହୋଇଛି। ଆଗାମୀ ଦିନରେ ପୁରୀ‌ରେ ୩ ହଜାର ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ କରାଯିବ। ଏହି ଅବସରରେ ପ୍ରାକ୍‌ ସୂଚନା ବିତରଣ ବ୍ୟବସ୍ଥା ସମେତ ଦୁଇଟି ସଚେତନତା ପୁସ୍ତକ ଉନ୍ମୋଚିତ ହୋଇଥିଲା। ‘ତିତ୍‌ଲି’ ବାତ୍ୟା ପରବର୍ତୀ ସମୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷ, ସଂସ୍ଥା, ସ୍ବେଚ୍ଛାସେବୀ ସଙ୍ଗଠନକୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର