ଠିକଣା ସମୟରେ ୱାର୍ନିଂ ସିଷ୍ଟମ୍ ଫେଲ୍‌ : ୪ଟି ସ୍ଥାନରେ ବାଜିଲାନି ସାଇରନ୍, ଉପକୂଳବର୍ତ୍ତୀ ଲୋକ ପାଇଲେନି ବାତ୍ୟା ସୂଚନା

ବ୍ରହ୍ମପୁର : ଗତ ୨୦ବର୍ଷ ମଧ୍ୟରେ ୬ଟି ବାତ୍ୟାକୁ ସାମ୍ନା କରିଛି ଗଞ୍ଜାମ ଜିଲ୍ଲା। ବାତ୍ୟା ପ୍ରବଣ ଗଞ୍ଜାମ ଜିଲ୍ଲାର ଉପୂକଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସଠିକ୍‌ ସୂଚନା ଦେବା ଲାଗି କାର୍ଯ୍ୟକାରୀ ହୋଇଛି ଅର୍ଲି ୱାର୍ନିଂ ଡିସେମି‌ନେସନ ସିଷ୍ଟମ(ତ୍ବରିତ ଚେତାବନୀ ପ୍ରସାରଣ ବ୍ୟବସ୍ଥା)। କିନ୍ତୁ ଗତ ବାତ୍ୟା ଫନି ଠିକ୍‌ ପୂର୍ବରୁ ଗଞ୍ଜାମ ଜିଲ୍ଲାର ୪ଟି ଅଞ୍ଚଳରେ ଏହି ବ୍ୟବସ୍ଥା ଫେଲ୍‌ ମାରିଲା। ପ୍ରାଶାସନିକ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଥିବା ନଜରକୁ ଆସିଛି। ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଜିଲ୍ଲା ପ୍ରଶାସନ ଏ ଯାଏଁ ଗୁରୁତ୍ବ ଦେଇ ନ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୧୮ ଠାରୁ ରାଜ୍ୟର ଉପକୂଳବର୍ତ୍ତୀ ୬ଟି ଜିଲ୍ଲା ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୮୨କୋଟି ଟଙ୍କା ବ୍ୟୟରେ ଅର୍ଲି ୱାର୍ନିଂ ଡିସେମିନେସନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଏହି ବ୍ୟବସ୍ଥାରେ ସମୁଦ୍ର କୂଳରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଦିଆ ଯାଇପାରିବ। ଏହାସହିତ ସେଥିରେ ରହିଥିବା ସାଇରନ୍‌ ବ୍ୟବସ୍ଥା ଦ୍ବାରା ଉପକୂଳ ବାସୀଙ୍କୁ ସତର୍କ କରାଯାଇ ପାରିବ। ଏହି ବ୍ୟବସ୍ଥା ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୨୨ଟି ବ୍ଲକ ଅର୍ନ୍ତଗତ ୧୨୦୫ଟି ଗ୍ରାମରେ କାର୍ଯ୍ୟକାରୀ ହୋଇଛି। ଏହି ସବୁ ଅଞ୍ଚଳରେ ସମୁଦାୟ ୧୨୨ଟି ସାଇରନ୍‌ ଟାୱାର ସ୍ଥାପନ କରାଯାଇଛି। ଟାୱାରା ଗୁଡିକ ପୁଲିସ ଥାନା, ସ୍କୁଲ ଗୃହ ଓ ବାତ୍ୟା ଆଶ୍ରୟ ସ୍ଥଳ କୋଠା ଗୁଡିକରେ ସ୍ଥାପନ ହୋଇଛି। ଏହି ବ୍ୟବସ୍ଥାରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି ଏବଂ ଗଞ୍ଜାମ ଉପୂକଳବର୍ତ୍ତୀ ବ୍ଲକ। ଏହି ଚାରିଟି ବ୍ଲକର ୨୦ଟି ସ୍ଥାନରେ ଅର୍ଲି ୱାର୍ନିଂ ଡିସେମିନେସନ ସିଷ୍ଟମ ଟାଓ୍ବାର ଲଗାଯାଇଛି। ବତ୍ୟା ପୂର୍ବରୁ ଏହି ବ୍ୟବସ୍ଥା ଠିକ୍‌ ରହିଥିବା ପ୍ରଶାସନ କହିଥିଲା। କିନ୍ତୁ ଠିକଣା ସମୟରେ ଜିଲ୍ଲାର ୪ଟି ସ୍ଥାନରେ ଏହି ବ୍ୟବସ୍ଥା ଫେଲ୍‌ ମାରିଲା। ଜିଲ୍ଲାର କଣ୍ଟିଆଗଡ଼, ପ୍ରୟାଗୀ, ବଡ଼ ଆର୍ଯ୍ୟପଲ୍ଲୀ ଓ ସାନ ଏକସିଙ୍ଗି ଠାରେ ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ବଡ଼ ଆର୍ଯ୍ୟପଲ୍ଲୀ ସ୍ଥିତ ଟାଓ୍ବାର ଯନ୍ତ୍ରାଂଶ ଗତ ଜାନୁଆରି ୨୨ ତାରିଖରେ ନିଆଁ ଲାଗି ନଷ୍ଟ ହୋଇ ଯାଇଥିବା ବେଳେ ତାହାକୁ ବାତ୍ୟା ପୂର୍ବରୁ ସଜଡ଼ା ଯାଇ ନ ଥିଲା। ଫଳରେ ବାତ୍ୟା ସମୟରେ କାମରେ ଆସିଲା ନାହିଁ। ଅନ୍ୟ ତିନୋଟି ସ୍ଥାନରେ ବାତ୍ୟା ଆଶ୍ରୟ ସ୍ଥଳରେ ଏହି ସାଇରନ୍‌ ଟାୱାର ଲଗାଯାଇଛି। କିନ୍ତୁ ବାତ୍ୟା ଆଶ୍ରୟ ସ୍ଥଳର ବିଜୁଳି ସଂ‌ଯୋଗ ଛିନ୍ନ ହୋଇଯାଇଛି। ବିଜୁଳି ନ ଥିବାରୁ ସେଠାରେ ସାଇରନ୍‌ ଅଚଳ ଥିଲା। ବାତ୍ୟା ପୂର୍ବରୁ ଉକ୍ତ ୩ ଆଶ୍ରୟ ସ୍ଥଳରେ ତ୍ବରିତ ବିଜୁଳି ସଂଯୋଗ ଦେବା ଲାଗି ଗଞ୍ଜାମ ବ୍ଲକ ସାଉଥକୋ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ ବିଦ୍ୟୁତ ସଂଯୋଗ ନ ଦେବାରୁ ଉକ୍ତ ବ୍ୟବସ୍ଥା ଫେଲ୍‌ ମାରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର