‘ପେଥାଇ’ ଦୁର୍ବଳ ଆଜିଠୁ ପ୍ରବଳ ବର୍ଷା

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ପେଥାଇ’ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଏହା ସୋମବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡା‌ରେ ସ୍ଥଳଭାଗକୁ ଛୁଇଁବ। କିନ୍ତୁ ଏହା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଯିବ। ସ୍ଥଳଭାଗ ଛୁଇଁବା ପରେ ଏହା ଅବପାତରେ ପରିଣତ ହୋଇଯିବ। ହେଲେ ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପେଥାଇ ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ରାଜ୍ୟର ୪ଟି ଜିଲ୍ଲାରେ ଭୀଷଣ ବର୍ଷା ହେବାକୁ ଥିବାବେଳେ ମଙ୍ଗଳବାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ଓ ମଙ୍ଗଳବାର ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ କୋରାପୁଟରେ ଭୀଷଣ ବର୍ଷା ହେବାକୁ ଥିବାବେଳେ ଏହି ସମୟରେ୧୧୫ରୁ ୨୦୪ମିମି ପର୍ଯ୍ୟନ୍ତ ବର୍ଷା ହେବ। ମଙ୍ଗଳବାର ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ। ଏହି ସମୟରେ ୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ବାତ୍ୟା ଜନିତ ବର୍ଷା ପ୍ରଭାବରେ ୧୮ତାରିଖ ପର ଠାରୁ ରାଜ୍ୟରେ ରାତିର ତାପମାତ୍ରା କମିବ। ଏପରିକି ସର୍ବନିମ୍ନ ତାପମାତ୍ରା ତିନିରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ବାତ୍ୟା ପେଥାଇ ଉପରେ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଏବେ ଏହା ଶ୍ରୀଲଙ୍କାର ତ୍ରିଣୋମାଲି ଠାରୁ ୫୬୦କିମି, ଚେନ୍ନାଇ ଠାରୁ ୩୦୦କିମି, ଆନ୍ଧ୍ରପ୍ରଦେଶର କାକିନାଡା ଠାରୁ ୪୧୦କିମି, ମଛଲିପାଟଣମ୍ ଠାରୁ ୩୮୦କିମି ଦୂର‌େର ଅଛି। ଏହା ଏବେ ୨୬କିମି ବେଗରେ ଆସୁଥିବାବେଳେ ଆଜି ରାତିରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ଏହି ସମୟରେ ସମୁଦ୍ର ମଧ୍ୟ‌େର ୯୫ରୁ ୧୦୫କିମି ବେଗରେ ପବନ ବହିବ। କିନ୍ତୁ ଅନୁକୂଳ ପାଗ ନଥିବାରୁ ଭୀଷଣ ବାତ୍ୟା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯିବ। ସ୍ଥଳଭାଗ ଛୁଇଁବା ସମୟରେ ୭୦ରୁ ୮୦କିମି ବେଗରେ ଏବଂ ଏହା ପରେ ପରେ ୪୦ରୁ ୫୦କିମି ବେଗରେ ପବନ ବହିବ।

ସମ୍ବନ୍ଧିତ ଖବର