ବାତ୍ୟା ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ, ଓଡ଼ିଶା ପ୍ରତି ବିପଦ ନାହିଁ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହୋଇଛି । ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଏହି ଅବପାତ ଚେନ୍ନାଇଠାରୁ ୧୧୪୦ କିଲୋମିଟର ଦୂରରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଓ ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି ।

ଏହା ଆସନ୍ତା ୧୪ ତାରିଖରେ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୯୦-୧୦୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡିବ ନାହିଁ, ତେବେ ଦକ୍ଷିଣ ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହା ଉପକୂଳ ଅତିକ୍ରମ କରିବା ପରେ ଓଡ଼ିଶା ଆଡକୁ ମୁହାଁଇପାରେ । ଏପରି ହେଲେ ଓଡ଼ିଶାର କେତେକ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର