ତାଜା କଲା ଫାଇଲିନ୍ ସ୍ମୃତି : ମାଡ଼ି ଆସୁଛି ‘ତିତ୍‌ଲି’

ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା, ୮୦ କିମି ବେଗରେ ହୋଇପାରେ ପବନ, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ‌ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ୧୮ ଘଣ୍ଟା ମଧ୍ୟରେ ଏହା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତାକାଲି ଏହା ବାତ୍ୟା ରୂପ ନେଇ ୧୦ ତାରିଖ ସକାେଳ ଉପକୂଳ ଛୁଇଁପାରେ।

ପାଣିପାଗ ବିଜ୍ଞାନୀମାେନ ଏମିତି ପୂର୍ବାନୁମାନ କରି ଓଡ଼ିଶା ପୂଜା ଉତ୍ସାହରେ ଭଟ୍ଟା ପକାଇ ଦେଇଛନ୍ତି। ଦକ୍ଷିଣ ଓ ଉପକୂଳ ଓଡ଼ିଶାବାସୀଙ୍କ ମନରେ ପାଞ୍ଚବର୍ଷ ତଳର ଫାଇଲିନ୍ ସ୍ମୃତିକୁ ମଧ୍ୟ ଏହା ସତେଜ କରିେଦଇଛି। ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଯଦି ବାସ୍ତବ ରୂପ ନିଏ, ଦତବେ ଏହି ବାତ୍ୟାର ନାମ ‘ତିତ୍‌ଲି’ ରଖାଯିବ।

ପାଣିପାଗ ବିଜ୍ଞାନୀମାେନ ଏବେ ଯାଏ ସମ୍ଭାବ୍ୟ ବାତ୍ୟାର ଭୟାବହତା ସଂପର୍କରେ ସ୍ପଷ୍ଟ ଚିତ୍ର ଆଙ୍କିନଥିଲେ ହେଁ, ଏହା ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବିେଶଷ ପ୍ରଭାବିତ କରିବ ବୋଲି ସଙ୍କେତ ମିଳୁଛି। ଘଣ୍ଟାପ୍ରତି ୭୦ରୁ ୮୦ କିେଲାମିଟର ବେଗରେ ପବନ ବହି ଓ ସ୍ଥଳ ବିେଶଷରେ ଏହା ଘଣ୍ଟା ପ୍ରତି ୯୦ ରୁ ୧୦୦ କିେଲାମିଟର ବେଗରେ ଝଟକା ଦେଇପାରେ। ୧୧ ତାରିଖରୁ ଏହାର ପ୍ରଭାବ ହ୍ରାସ ପାଇବ। ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିବା ଆଶଙ୍କାକୁ ଟାଳି ହେବ ନାହିଁ।

ସମ୍ଭାବ୍ୟ ବାତ୍ୟାର ସ୍ଥିତି ସଂପର୍କରେ ସୂଚାଇ ପାଣିପାଗ ବିଜ୍ଞାନୀ କହିଛନ୍ତି, ଅବପାତ ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଅପରାହ୍ନ ସୁଦ୍ଧା ଗୋପାଳପୁରଠାରୁ ୬୮୦ କିମି ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟଣମ୍‌ଠାରୁ ୬୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୭ କିମି ବେଗରେ ଏ‌ହା ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି। ୧୦ ତାରିଖ ସକାଳ ସୁଦ୍ଧା ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଉଛି, ଅବପାତ ଅଧିକ ଘନୀଭୂତ ହେବା ପରେ ଆସନ୍ତାକାଲି ଡିପ୍‌ ଡିପ୍ରେସନ୍‌ର ରୂପ ନେବ। ଅର୍ଥାତ୍ ମଙ୍ଗଳବାରେ ଅପରାହ୍ନଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଓ ପବନ ଆରମ୍ଭ ହେବ। ଘଣ୍ଟା ପ୍ରତିି ୪୫ରୁ ୫୦ କିମି ବେଗରେ ପବନ ବୋହିପାରେ। ବାତ୍ୟା‌ ରୂପ ନେବା ପରେ ୧୦ ତାରିଖ ଭୋରରୁ ବର୍ଷା ପରିମାଣ ବଢ଼ିବ। ବାତ୍ୟା ସ୍ଥଳ ଭାଗ ଛୁଇଁବା େବଳକୁ ପବନ ଘଣ୍ଟାପ୍ରତି ୭୦ରୁ ୮୦ କିମିକୁ ବଢିପାରେ।

ବାତ୍ୟାର ପ୍ରକୋପ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ଅଧିକ ପଡ଼ିବ। ଏଥିସହ ଉତ୍ତର ଓଡ଼ିଶା‌େର ବି ୭୫ କିମି ବେଗରେ ପବନ ହେବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ୧୦ ଓ ୧୧ ତାରିଖ ପାଇଁ ରେର୍ଡ ଆଲର୍ଟ ଜାରି କରାଯାଇଛି। ୯ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୦ ଓ ୧୧ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବିଶେଷକରି ପୁରୀ, ଗଞ୍ଜାମ, ‌ଗଜପତି, ଖୋର୍ଧା, ନୟାଗଡ଼, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଜିଲ୍ଲାରେ ଅଧିକ ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁଯାୟୀ ‌୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳ ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ। ଗୋପାଳପୁର ନିକଟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ପ୍ରଭାବରେ ୧୦ ଓ ୧୧ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ପବନର ବେଗ ୬୦ରୁ ୮୦ କିମି ଭିତରେ ରହିବ। ଅତିବେଶିରେ ଶହେ କିମି ପର୍ଯ୍ୟନ୍ତ ହୋଇପାରେ।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ‌ଯେ ଯାହା ଜଣାପଡ଼ୁଛି ୧୦ ତାରିଖ ସକାଳ ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବ। ଏବେ ତାହା ଓଡ଼ିଶା ମୁହାଁ ହୋଇଛି। ୧୧ ତାରିଖ ସକାଳ ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପଟନମ୍‌ ମଧ୍ୟରେ ସ୍ଥଳ ଭାଗ ନିକଟବର୍ତ୍ତି ହେବ। ତାହା ଆଭ୍ୟନ୍ତରୀଣ ଓଡ଼ିଶାକୁ ନ ଯାଇ କୂଳେ କୂଳେ ପୁରୀ, ପ‌ାରାଦୀପ, ବାଲେଶ୍ବର, କେନ୍ଦ୍ରାପଡ଼ା, ଆଦି ଜିଲ୍ଲା ସଂଲଗ୍ନରେ ଗତି କରି ପଶ୍ଚିମବଙ୍ଗ ଓ ବାଲାେଂଦଶ ଆଡକୁ ଅଗ୍ରସର ହେବ। ଏ କ୍ଷେତ୍ରରେ ବାତ୍ୟା ହେଲେ ସୁଦ୍ଧା ପବନର ବେଗ ୪୫ରୁ ୫୫ କିମି ଭିତରେ ରହିବ। କିନ୍ତୁ ଅଧିକ ବର୍ଷା ହେବ। ପୁରୀଠାରୁ ବାଲେଶ୍ବର ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଶ୍ରୀ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଯଦି ସମ୍ଭାବ୍ୟ ବାତ୍ୟା ଗୋପାଳପୁରର ଦକ୍ଷିଣ‌େର ଉପକୂଳ ସ୍ପର୍ଶ କରିବ ତେବେ ଗଜପତି ଜିଲ୍ଲାରେ ବର୍ଷା ହେବ। ୧୦ ଓ ୧୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଭୁବନେଶ୍ବର, ୧୧ରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ବାଲେଶ୍ବରରେ ବର୍ଷାର ପ୍ରକୋପ ଅଧିକ ରହିବ। ‌ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ମଧ୍ୟ ହୋଇପା‌େର ଗଞ୍ଜାମ ଉପକୂଳ ନିକଟକୁ ଆସିବା ପରେ ବାତ୍ୟା ଦିଗ ପରିବର୍ତନ କରି ବାଲେଶ୍ବରଠାରୁ ଦୀଘା ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିପାରେ। ତେବେ ବର୍ତମାନ ଜଣାପଡ଼ୁଛି ଯେ ବାତ୍ୟାଚକ୍ରର ଉତ୍ତର ପୂର୍ବ ଅଂଶ ଅଧିକ ସକ୍ରିୟ ରହିଛି। ତେଣୁ ବର୍ଷା ଅଧିକ ରହିବ। ତେବେ ମଙ୍ଗଳବାର ବାତ୍ୟାର ଚିତ୍ର ସ୍ପଷ୍ଟ ଜଣାପଡ଼ିବ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୧୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ କୁହାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ୭୨ ଘଣ୍ଟା ମଧ୍ୟରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାକୁ ଥିବାରୁ ସମସ୍ତ ଜିଲ୍ଲାପାଳ ସଜାଗ ରହିବାକୁ କୁହାଯାଇଛି। କୌଣସି ବି ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ଜିଲ୍ଲା କଣ୍ଟ୍ରୋଲ ରୁମ୍‌କୁ ୨୪ ଘଣ୍ଟା ଖୋଲା ରଖିବାକୁ କୁହାଯାଇଛି। ଏଥିସହ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିଦେର୍ଶ ଦିଆଯାଇଛି।

ଏହି ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର