ଡି’ବ୍ରଦର୍ସ ଲିଙ୍କ୍‌ : ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଇଡିର ଜେରା

ଭୁବନେଶ୍ୱର : ଗ୍ୟାଙ୍ଗ୍‌ଷ୍ଟର ଡି’ବ୍ରଦର୍ସ ଲିଙ୍କ୍‌ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମାରାଥନ ଜେରା କରିଛି ପ୍ରବର୍ତନ ନିର୍ଦେଶାଳୟ(ଇଡି)। ସୋମବାର ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଣବଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି। ୨୦୦୫ରୁ ୨୦୧୦ ମଧ୍ୟରେ ଡି’ବ୍ରଦର୍ସ ସହ ବିଧାୟକ ପ୍ରଣବଙ୍କ ବ୍ୟାବସାୟିକ ଓ ଆର୍ଥିକ କାରବାର ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ଏହି ୫ ବର୍ଷ ମଧ୍ୟରେ ପ୍ରଣବଙ୍କ ଖଣି ଓ ପରିବହନ କମ୍ପାନି ଏବଂ ଡି’ବ୍ରଦର୍ସଙ୍କ ମଧ୍ୟରେ କେତେ ଟଙ୍କାର କାରବାରର ହୋଇଥିଲା ସେ ସଂପର୍କରେ ପଚରାଉଚରା ହୋଇଥିଲା। ଏହାର ଅଡିଟ୍‌ ରିପୋର୍ଟ ଏବଂ ଏ ସଂପର୍କିତ ବିଭିନ୍ନ କାଗଜପତ୍ର ପ୍ରଣବ ଦାଖଲ କରିଛନ୍ତି। ସେହିପରି ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ ପ୍ରଣବଙ୍କୁ ପଚରାଉଚରା କରାଯାଇଛି।

ପ୍ରକାଶ ଥାଉ କି, ବିଧାୟକ ପ୍ରଣବଙ୍କର ଗ୍ୟାଙ୍ଗ୍‌ଷ୍ଟର ଡି’ ବ୍ରଦର୍ସଙ୍କ ସହିତ ସମ୍ପର୍କ ଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ତାଙ୍କ ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି’ ବ୍ରଦର୍ସ ଲିଙ୍କ ରହିଥିବା ପ୍ରମାଣ ମିଳିବା ପରେ ଗତ ୧ ତାରିଖରେ ଇଡି କାର୍ଯ୍ୟାଳୟରେ ପକ୍ଷରୁ ବିଧାୟକଙ୍କୁ ସମନ କରାଯାଇଥିଲା। ଏଥିପାଇଁ ମେ’୭ ତାରିଖରେ ପ୍ରଣବଙ୍କୁ ହାଜର ହେବାକୁ କୁହାଯାଇଥିଲା। ତାଙ୍କ ଖଣି ଓ ପରିବହନ କମ୍ପାନି ଏବଂ ଡି’ବ୍ରଦର୍ସଙ୍କ ମଧ୍ୟରେ ହୋଇଥିବା କାରବାରର ସମସ୍ତ କାଗଜପତ୍ର ଦାଖଲ କରିବା ପାଇଁ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ପୂର୍ବରୁ ଇଡି ଡି’ବ୍ରଦର୍ସ ସମ୍ପର୍କରେ ଥିବା ଏକାଧିକ ବସ୍‌ ମାଲିକ, ଶିଳ୍ପପତି, ଖଣି ମାଲିକ, ବାଲି ମାଫିଆଙ୍କୁ ଡାକି ପଚରାଉଚରା କରି ସାରିଛି।

ଅନ୍ୟପଟେ ବିଧାୟକ ପ୍ରଣବ ଇଡିରେ ହାଜର ହେବା ପରେ ସେଠାରେ ବହୁ ବିଜେଡି ନେତାଙ୍କ ଭିଡ଼ ଜମିଥିଲା। ଜେରା ସମୟ ଯେତେ ବଢ଼ୁଥିଲା ପ୍ରଣବଙ୍କ ସମର୍ଥକଙ୍କ ଭିଡ଼ ସେତେ ଜମୁଥିଲା। ଅଧିକ ସମୟ ଜେରା ଯୋଗୁଁ ଅନେକ ନେତା ଚିନ୍ତାରେ ପଡ଼ିଯାଇଥିଲେ। ଆଉ ଏହାର କିଛି ସମୟ ପରେ କର୍ପୋରେଟର୍‌ଙ୍କଠରୁ ଆରମ୍ଭ କରି କିଛି ପ୍ରଭାବଶାଳୀ ନେତା ମଧ୍ୟ ଇଡି କାର୍ଯ୍ୟାଳୟ ନିକଟରେ ପହଞ୍ଚି ଯାଇଥିଲେ। ତେବେ ୬ଟାରେ ପ୍ରଣବ ଇଡି କାର୍ଯ୍ୟାଳୟରୁ ବାହରିବାମାତ୍ରେ ନେତାମାନେ ଆଶ୍ୱସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର