ଡାବୁଗାଁ ପୁଲିସର ଖୁଡୁଖୁଡି ଖେଳ ଉପରେ ଚଢ଼ାଉ, ଛତ୍ର ଭଙ୍ଗ ଦେଲେ ଜୁଆଡି

ଡାବୁଗାଁ : ଆଦିବାସୀଙ୍କ ପାରମ୍ପରିକ ଗଞ୍ଜା ଲଢ଼େଇ ଓ ଖୁଡୁଖୁଡି ଖେଳ ଏବେ ବିପଦ ସଙ୍କଟ ଦେଖା ଦେଇଛି। ଯହାଦ୍ଵାରା ପୁଲିସକୁ ସମ୍ମୁଖ ପଟୁ ବିରୋଧ କରି ପାରୁ ନ ଥିଲେ ସୁଦ୍ଧା ଏହି ଖେଳ ବନ୍ଦ କରିବାକୁ ଚେଷ୍ଟା କରୁଥିବା ପୁଲିସକୁ ଗାଁ ମୁଖିଆମାନଙ୍କ ବିରୋଧ ଭାସର ସମ୍ମୁଖୀନ ହେବାକୁ ପଡ଼ିଛି। ଡାବୁଗାଁ ଥାନା ଅଂଚଳରେ ଅପରାହ୍ନ ୪ଟା ପରେ କେତେକ ସ୍ଥାନରେ ଗଞ୍ଜା ଲଢେଇ ଓ ଖୁଡୁଖୁଡି ଜୁଆ ଖେଳ ଚାଲୁଛି। ବେନିୟମ ଭାବେ ଚାଲୁଥିବା ଏହି ଖୁଡୁଖୁଡି ଜୁଆ ଖେଳ ଉପରେ ଗତ କେତେ ଦିନ ହେଲା ଡାବୁଗାଁ ପୁଲିସ ଚଢ଼ାଉ ଜାରି ରଖିଛି। ଗତକାଲି ଡାବୁଗାଁ ଥାନା ଅନ୍ତର୍ଗତ ଭଣ୍ଡିମାଳ, ଘୋଡ଼ାଖୁଣ୍ଟା, ଚାରଗାଁ ଓ ଜାମୁଗୁଡ଼ା ଆଦି ଚାରୋଟି ସ୍ଥାନରେ ଖୁଡୁଖୁଡି ଖେଳ ଚାଲୁଥିବା ନେଇ ବିଶ୍ଵସ୍ଥ ସୂତ୍ରରୁ ଡାବୁଗାଁ ପୁଲିସକୁ ଖବର ଆସିବା ପରେ ଦୁଇଟି ଦଳ ହୋଇ ଉକ୍ତ ଖେଳ ଚାଲୁଥିବା ସ୍ଥାନ ଗୁଡ଼ିକରେ ପୁଲିସ ଚଢ଼ାଉ କରିଥିଲେ। ଏଥିରେ ଜୁଆଡିମାନେ ଛତ୍ରଭଙ୍ଗ ଦେଇ ସେହି ସ୍ଥାନରୁ ଚାଲି ଯାଇଥିଲେ। ଗତ ଫେବୃଆରୀ ମାସରେ ଡାବୁଗାଁ ଥାନା ଅଞ୍ଚଳ ଗରୁଡ ଗୁଡ଼ା, ଯୁନାପାଣି, ମହେନ୍ଦ୍ରି, ଜଟାବାଲ୍,ଲକଟିପଦର,ରାଉଳିଗୁଡ଼ା ଓ ଚାର ଗାଁ ଆଦି ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଖୁଡୁଖୁଡି ଖେଳ ଉପରେ ଡାବୁଗାଁ ପୁଲିସ ଚଢ଼ାଉ କରି ୨୭ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେମାନଙ୍କ ନିକଟରୁ ୭୦୯୦ ଟଙ୍କା ଏବଂ ଖୁଡୁଖିଦି ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ।

ଡାବୁଗାଁ ପୁଲିସର ଏପରି ଘନଘନ ଚଢ଼ାଉ ପରେ ଖୁଡୁଖୁଡି ଖେଳ ଖେଲାଉଥିବା ଜୁଆଡି ମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଗାଁ ଗହଳିରେ ଚାଲି ଆସୁଥିବା ଏହି ପାରମ୍ପରିକ ଖେଳକୁ ବନ୍ଦ କରିବା ସପକ୍ଷରେ ନାହାନ୍ତି ଗ୍ରାମର ମୁଖିଆମାନେ। ବେଆଇନ ଭାବେ ଜୁଆ ଖେଳର ରୂପ ନେଇଥିବା ଖୁଡୁଖୁଡି ଖେଳ ହେଉ କିମ୍ବା ଗଞ୍ଜା ଲଢେଇ ଖେଳ ହେଉ ଲୋକଙ୍କ ମନୋରଞ୍ଜନ କରିବା ସହ ସେହି ସ୍ଥାନରେ କିଛି ଛୋଟ ବ୍ୟବସାୟୀ ବ୍ୟବସାୟ କରି ବେଶ୍ ଦୁଇ ପଇସା ଅର୍ଜନ କରି ଗୁଜୁରାଣ ମେଣ୍ଟାଇବା ସୁଯୋଗ ପାଉଛନ୍ତି। ପାରମ୍ପରିକ ଖେଳକୁ ଜୁଆ ଖେଳର ରୂପ ଦେଉଥିବା ଜୁଆଡିମାନେ ଏଥିରେ ବେଶ୍ ଲାଭବାନ ହେଉଥିବା ବେଳେ ସାଧାରଣ ଲୋକେ ଜୁଆ ଖେଳି ସର୍ବସ୍ବାନ୍ତ ହେଉଛନ୍ତି। ଆଗାମୀ ଦିନରେ ମଧ୍ୟ ବେନିୟମ ଭାବେ ଚାଲୁଥିବା ଖୁଡୁଖୁଡି ଖେଳ ଉପରେ ଚଢ଼ାଉ ଜାରି ରହିବ ବୋଲି ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ପ୍ରକାଶ କରିଥିବା ବେଳେ ପୁଲିସ ଏହି ଖେଳକୁ ବନ୍ଦ କରିବା ଦିଗରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର