ମାର୍ଚ୍ଚ ସୁଦ୍ଧା କଟକରେ ପହଞ୍ଚିବ ବିଜୁଙ୍କ ‘ଡାକୋଟା’

୩ ଖଣ୍ଡ ହୋଇ ଟ୍ରଲରରେ ଆସିବ, ଆନନ୍ଦଭବନ ପଡିଆ ଅନୁଧ୍ୟାନ କଲେ ଜିଲ୍ଲାପାଳ,ବିଧାୟକ

କଟକ: ଆସନ୍ତା ଦୁଇମାସ ମଧ୍ୟରେ କଟକରେ ପହଞ୍ଚିବ ବିଜୁଙ୍କ ଡାକୋଟା । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିବା ପରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ,ବିଜୁଙ୍କ ଏହି ‘ଡାକୋଟା ଡିସି-୩’ ବିମାନକୁ କଟକରେ ଥିବା ବିଜୁଙ୍କ ଜନ୍ମସ୍ଥାନ ଆନନ୍ଦଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡିଆରେ ରଖାଯିବ । ଗତିକିଛି ଦିନ ତଳେ ଆନନ୍ଦଭବନ ବିଜୁ ସଂଗ୍ରହାଳୟରେ ପରିଣତ ହୋଇଛି । ତେଣୁ ବିଜୁଙ୍କ ପୁରୁଣାସ୍ମୃତିକୁ ଏଠାରେ ରଖିବାପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବାବେଳେ ଏଥି ପାଇଁ ଜମି ଦେବାକୁ ଜିଲ୍ଲାପ୍ରଶାସନ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛି । ରାଜସ୍ୱ ବିଭାଗଠାରୁ ଜମି ମିଳିବାପରେ ପୂର୍ତ୍ତ ବିଭାଗ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ସୂଚନା ଅନୁଯାୟୀ,କୋଲକାତାରେ ଥିବା ବିଜୁଙ୍କ ଏହି ପୁରୁଣା ବିମାନ କ୍ଷତବିକ୍ଷତ ଅବସ୍ଥାରେ ଥିବାବେଳେ ସେଠାରେ ତାହାକୁ ୩ ଖଣ୍ଡ କରାଯାଇ ଟ୍ରଲର ଯୋଗେ କଟକ ଅଣାଯିବ । କଟକରେ ପହଞ୍ଚିବାରେ ପୁଣିଥରେ ତାକୁ ଯୋଡାଯିବାକୁ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଆନନ୍ଦଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡିଆରେ ଆଜି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର,ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ,ସ୍ଥାନୀୟ କର୍ପୋରେଟର ରମଜାନ ଖାନ,କର୍ପୋରେଟର ରଞ୍ଜନ ବିଶ୍ୱାଳ, ତହସିଲ ପ୍ରଶାସନ ଏବଂ ପୂର୍ତ୍ତବିଭାଗର ବରିଷ୍ଠ ଯନ୍ତ୍ରୀ ପ୍ରମୁଖ ସେଠାକୁ ଯାଇ ସ୍ଥିତି ପରଖିଛନ୍ତି । ୭୦ ବର୍ଷର ଏହି ‘ଡାକୋଟା’ ସହ ପ୍ରବାଦପୁରୁଷ ବିଜୁଙ୍କର ଅତୀତର ସ୍ମତି ଓତଃପ୍ରେତ ଭାବେ ଜଡିତ । ଏହି ବିମାନ କାଶ୍ମୀରରେ ସେନା କାର୍ଯ୍ୟରେ ନିୟୋଜିତ ଥିବାବେଳେ ଉତ୍ତରପୂର୍ବ ଭାରତରେ ସେନା ଶରଣାର୍ଥୀଙ୍କୁ ସେବା ଯୋଗାଇ ଆସୁଥିଲା । ୧୯୪୭ ଜୁଲାଇ ୨୧ରେ ଏହି ‘ଡାକୋଟା ଡିସି-୩’ ବିମାନରେ ବିଜୁବାବୁ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ମହମ୍ମଦ ହାଟା ଏବଂ ପ୍ରଧାନମନ୍ତ୍ରୀ ସାହାରିୟରଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରି ରାତାରାତି ହିରୋ ପାଲଟି ଯାଇଥିଲେ । ପ୍ରଧାନମନ୍ତ୍ରୀ ଜବାରହାରଲାଲ ନେହେରୁଙ୍କୁ ନିର୍ଦ୍ଦେଶମତେ ୩୨ ବର୍ଷିୟ ଯୁବ ପାଇଲଟ ବିଜୁ ପଟ୍ଟନାୟକ ଯୁଦ୍ଧର ଭୟାବହତାକୁ ଖାତିର ନ କରି ଏହି ‘ଡାକୋଟା ଡିସି-୩’ ବିମାନରେ ଉପରାଷ୍ଟ୍ରପତି ମହମ୍ମଦ ହାଟା ଏବଂ ପ୍ରଧାନମନ୍ତ୍ରୀ ସାହାରିୟରଙ୍କୁ ବିଦ୍ରୋହୀ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଇଣ୍ଡୋନେସିଆ ସରକାର ଭୂମିପୂତ୍ର ଉପାଧିରେ ଭୂଷିତ କରିଥିଲେ । ୧୯୪୭ରେ ବିଜୁ ପଟ୍ଟନାୟକ କଳିଙ୍ଗ ଏୟାର ଲାଇନସ ପ୍ରତିଷ୍ଠା କରିବା ସମୟରୁ ଏହି ‘ଡାକୋଟା ଡିସି-୩’ କୋଲକାତା ବିମାନ ବନ୍ଦରରେ ରହିଆସୁଥିଲା । ତେବେ ‘ଡାକୋଟା ଡିସି-୩’କୁ ଓଡିଶା ଆଣିବା ପାଇଁ ସମାଜସେବୀ ଅନିଲ ଧୀର ୨ ବର୍ଷ ତଳେ ରାଜ୍ୟସରକାରଙ୍କ ନିକଟରେ ଦାବି କରିଥିଲେ ।

ସମ୍ବନ୍ଧିତ ଖବର