ଦଇତା ନିଯୋଗ ଦୁଇ ଫାଳ

ନିଯୋଗ ଭାଙ୍ଗିବା, ରଖିବା ନେଇ ଦୁଇ ଗୋ‌ଷ୍ଠୀ ମୁହାଁମୁହିଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ପହଞ୍ଚିଲା ଦସ୍ତଖତ

ପୁରୀ : ବ୍ୟକ୍ତିଗତ କଳି ଓ ଆରୋପକୁ ନେଇ ଶ୍ରୀମନ୍ଦିର ଦଇତାପତି ନିଯୋଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ଦଇତା ନିଯୋଗକୁ ଭାଙ୍ଗି ସାନି ନିର୍ବାଚନ ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ନିଯୋଗ ଠିକ୍ ଚାଲିଛି, ଭାଙ୍ଗିବାର ଆବଶ୍ୟକତା ନ ଥିବା କହି ଦଇତାଙ୍କ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି। ସେମାନେ ମଧ୍ୟ ମୁଖ୍ୟ ପ୍ରଶାସକଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଆଗାମୀ ଦିନରେ ବିଶୃଙ୍ଖଳା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଗୋଟିଏ ଗୋଷ୍ଠୀ ବାଇ ଲ’ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠିକୁ ଆଳ କରି ନିର୍ବାଚନ ସପକ୍ଷରେ ମତ ରଖିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ପ୍ରଶାସନର ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ପ୍ରଶାସନ ଡିଭାଇଡ୍‌ ଆଣ୍ଡ୍ ରୁଲ୍‌ ପଲିସି (ବିଭାଜନ ନୀତି) ଆପଣାଇ ନିଯୋଗକୁ ଭାଗ ଭାଗ କରି ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି। ମାଛକୁ ଗୋଳି ପାଣି ସୁହାଇଲା ଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଯୋଗ ଭାଙ୍ଗିବା ଓ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ଲେଖିଥିବା ଚିଠିକୁ ଦଇତା ନିଯୋଗର ବରିଷ୍ଠ ସେବକ ଆଳ କରିଛନ୍ତି। ଏହି ବାହାନାରେ ଦଇତା ନିଯୋଗର କିଛି ସଭ୍ୟ ଦସ୍ତଖତ ସଂଗ୍ରହ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଦଇତା ନିଯୋଗ ପଞ୍ଜୀକରଣ ହେବା ପରଠାରୁ ବାଇ ଲ’ ମୁତାବକ ନିର୍ବାଚନ ହୋଇନାହିଁ। ଜଣେ ନିର୍ଦିଷ୍ଟ ବ୍ୟକ୍ତି ବର୍ଷ ବର୍ଷ ଧରି ନିଯୋଗ କର୍ମକର୍ତ୍ତା ପଦବିରେ ଥିବାରୁ ନିଯୋଗ ଭାଙ୍ଗି ଦିଆଯିବା ଉଚିତ ବୋଲି ଏହି ଗୋଷ୍ଠୀ ମତ ରଖିଛନ୍ତି। ଅନ୍ୟପକ୍ଷରେ ନିଯୋଗରେ ସବୁ ଠିକ୍‌ଠାକ୍‌ ଚାଲିଥିବାରୁ ନିର୍ବାଚନର କୌଣସି ଆବଶ୍ୟକତା ନାହିଁ ବୋଲି ଅନ୍ୟ ଗୋଷ୍ଠୀ ସଫେଇ ଦେଇଛି। ଏହାକୁ ପ୍ରଶାସନର ଷଡଯନ୍ତ୍ର ବୋଲି ନିଯୋଗର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିଯୋଗ ଭାଙ୍ଗିବା ସପକ୍ଷ‌ରେ ଜଗନ୍ନାଥଙ୍କ ରଥର ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ପୁଅ ରାଜ ସ୍ବାଇଁ ମହାପାତ୍ର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ଏହି କାମରେ ଅନ୍ୟ ଜଣେ ବାଡଗ୍ରାହୀଙ୍କ ପରିବାରର ପ୍ରଚ୍ଛନ୍ନ ସମର୍ଥନ ଦେଉଛନ୍ତି। ସେହିଭଳି ନିଯୋଗ ନ ଭାଙ୍ଗିବାକୁ ବର୍ତ୍ତମାନର ନିଯୋଗ ସଂପାଦକ ପ୍ରେମାଦାସ ମହାପାତ୍ର ଓ ସଭାପତି ଥିବା ରାମକୃଷ୍ଣ ଦାସ ମହାପାତ୍ରଙ୍କ ପରିବାର ନେତୃତ୍ବ ନେଉଛନ୍ତି। ନିଯୋଗ ଭାଙ୍ଗିବା ଓ ରଖିବାକୁ ନେଇ ଏବେ ଦଇତା ନିଯୋଗ ଦୁଇଫାଳ ହେବାକୁ ଯାଉଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର ତଥା ସେବା ପରମ୍ପରାକୁ ସୁରକ୍ଷିତ ରଖିବା ଲାଗି ୧୦ଟି ସର୍ତ୍ତ ମାନିବାକୁ ପଡିବ ଓ ଏଥି ପାଇଁ ନିଯୋଗମାନଙ୍କୁ ଅଣ୍ଡରଟେକିଂ ଦେବାକୁ ପଡିବ ବୋଲି ଆମିକସ୍‌ କ୍ୟୁରି ନିର୍ଦ୍ଦେଶ ଦେଇଥି‌ଲେ। ସେହି ଅନୁସାରେ, ତିନି ମାସ ମଧ୍ୟରେ ନିଯୋଗର କର୍ମକର୍ତ୍ତା ନିର୍ବାଚନ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗକୁ ଚିଠି ଲେଖିଥିଲେ। ଏମିତିକି କର୍ମକର୍ତ୍ତା ନିର୍ବାଚନ ନ କଲେ ପାଳିଆ ପୁରସ୍କାର ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର