ଦଇତା ନିଯୋଗ ନିର୍ବାଚନ ୨୮ରେ

ଘ‌ନେଇଲା ବିବାଦ; ପ୍ରାର୍ଥିପତ୍ର ଦାଖଲ କରିବେନି ବିପକ୍ଷ ଗୋଷ୍ଠୀ, ପ୍ରଭାବିତ ହେବ ରଥଯାତ୍ରା

ପୁରୀ : ନିଯୋଗ ଭାଙ୍ଗିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ ଅକ୍ଷରେ ଅକ୍ଷରେ ପାଳନ କରିଛି ଦଇତା ନିଯୋଗ। ପୁରୁଣା କମିଟିକୁ ଭାଙ୍ଗି ଦେବା ପରେ ନୂତନ କମିଟି ତଥା କର୍ମକର୍ତ୍ତା ନିର୍ବାଚନ ପାଇଁ ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତି ମହାପାତ୍ର ଆଜି ଏକ ଚିଠି ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦେଇଛନ୍ତି। ଆସନ୍ତା ୨୮ ତାରିଖରେ ନିଯୋଗର ୧୫ ଜଣିଆ କମିଟି ପାଇଁ ନିର୍ବାଚନ କରିବାକୁ ସ୍ଥିର ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠି‌ରେ ଦଇତା ପତି ନିଯୋଗ ପକ୍ଷରୁ ୫୬ ଜଣ ଦଇତାଙ୍କ ଦସ୍ତଖତ ରହିଛି। ସୂଚନା ମୁତାବକ, ଆସନ୍ତା ୧୯ ତାରିଖ ସକାଳ ୧୦ରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଘରେ ପ୍ରାର୍ଥିପତ୍ର ଦାଖଲ ‌ହେବ। ପରଦିନ ୨୦ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ୨୮ ତାରିଖ ଅପରାହ୍ନ ୪ଟାରେ ନିର୍ବାଚନ ହୋଇ ସେହି ଦିନ ଫଳାଫଳ ଘୋ‌ଷଣା କରାଯିବ। ସ୍ଥାୟୀ ସଭାପତିଙ୍କର ଏ ଚିଠିକୁ ନେଇ ଦଇତା ନିଯୋଗର ଦୁଇ ଗୋଷ୍ଠୀ ମଧ୍ୟରେ ଦେଖା ଦେଇଥିବା ବିବାଦ ଆହୁରି ତୀବ୍ର ହୋଇଛି। ସଭାପତିଙ୍କ ଏହି ନିଷ୍ପତ୍ତି ଏକପାଖିଆ ଦର୍ଶାଇ ପ୍ରେମାନନ୍ଦ ଦାସ ମହାପାତ୍ର ଓ ତାଙ୍କ ଗୋଷ୍ଠୀ ନିର୍ବାଚନକୁ ଗ୍ରହଣ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଖାଲି ସେତିକି ନୁହେଁ, ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ରହିଥିବା ସେମାନେ ଅଭିଯୋଗ ଆଣିଛନ୍ତି। ମନ୍ଦିର ପ୍ରଶାସନ କଥାରେ ତରବରିଆ ଭାବେ ନିଯୋଗ ଭାଙ୍ଗିବା ଘଟଣାକୁ ମଧ୍ୟ ବିରୋଧ କରିଛନ୍ତି। ନିର୍ବାଚନ ହେଲେ ସମାନ୍ତରାଳ ଭାବେ ଦୁଇଟି ନିଯୋଗ ଚାଲିବ ବୋଲି ପ୍ରେମାନନ୍ଦ କହିଛନ୍ତି।

ପ୍ରେମାନନ୍ଦଙ୍କ କହିବାନୁସାରେ, ସାତ ଦିନ ପୂର୍ବରୁ ନୋଟିସ୍‌ କରାଯାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବାର ନିୟମ ଥିବା ବେଳେ ପତି ମହାପାତ୍ର ଏହି ନିୟମକୁ ପାଳନ କରିନାହାନ୍ତି। ତେଣୁ ଏ ନିର୍ବାଚନର ବୈଧତାକୁ ନେଇ ଆଇନର ଆଶ୍ରୟ ନିଆଯିବ‌ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗଣତାନ୍ତ୍ରିକ ପଦ୍ଧତି ଏବଂ ସଂଖ୍ୟାଗରିଷ୍ଠତାକୁ ଭିତ୍ତି କରି ଏହି ନିର୍ବାଚନ ହେବ ବୋଲି ପତି ମହାପାତ୍ର ଗୋଷ୍ଠୀ ମତ ରଖିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତାନ୍ତର ଓ ବାକ୍‌ଯୁଦ୍ଧ ଆଗାମୀ ରଥଯାତ୍ରା ନୀତିକୁ ପ୍ରଭାବିତ କରିବ ବୋଲି ଆଶଙ୍କା ଉପୁଜିଛି। ସୂଚନାଯୋଗ୍ୟ, ନିଯୋଗ ଉପ‌ରୁ ୬୬ ଜଣ ସଭ୍ୟ ଆସ୍ଥା ହରାଇଥିବା ଦର୍ଶାଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଡିସେମ୍ବର ୧୯ ତାରିଖରେ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ଚିଠି ଲେଖିଥିଲେ। ଏମିତିକି କର୍ମକର୍ତ୍ତା ନିର୍ବାଚନ ନ କଲେ ପାଳିଆ ପୁରସ୍କାର ମିଳିବ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ମନ୍ଦିର ପ୍ରଶାସନର ଚିଠିକୁ ଆଳ କରି ଦଇତା ନିଯୋଗ ଦୁଇ ଭାଗ ହୋଇ ଯାଇଥିବା ବେଳେ ଗତ ୧୧ ତାରିଖରେ ଦଇତା ନିଯୋଗର ଦୁଇ ଗୋଷ୍ଠୀ ପୃଥକ ପୃଥକ ବୈଠକ କରିଥିଲେ। ପତି ମହାପାତ୍ର ଗୋଷ୍ଠୀ ସଂଖ୍ୟା ଗରିଷ୍ଠତା ଦର୍ଶାଇ ନିଯୋଗକୁ ଭାଙ୍ଗି ଦେଇଥିଲେ, ମାତ୍ର ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ଗୋଷ୍ଠୀ ନିଯୋଗ ଭାଙ୍ଗିବାକୁ ବେଆଇନ୍ ବୋଲି କହିଥିଲେ। ଯାହାକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର