ଦୈତାରୀଙ୍କୁ ମିଳିଲା ସହାୟତା : ତିନିମାସର ୩୦ ହଜାର ଟଙ୍କା ଦେଲେ ସରକାର

ଅନ୍ୟ ୪ ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ବି ମିଳିଲା

ଭୁବେନଶ୍ବର/କେନ୍ଦୁଝର : ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା ଆର୍ଥିକ ସହାୟତା। ଗତ ଜୁଲାଇ ମାସରେ ରାଜ୍ୟ ସରକାର କରିଥିବା ଘୋଷଣା ଅନୁସାରେ ଆଜି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ମୋଟ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ତାଙ୍କୁ ପ୍ରଦାନ କରାଯାଇଛି। ଏଥିସହିତ, କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତୁଳସୀ ମୁଣ୍ଡା ଏବଂ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ସହାୟତା ମିଳିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାଏକ ନିଜ ଗାଁକୁ ପାଣି ଆଣିବା ପାଇଁ ୪ କିଲୋମିଟର ପାହାଡ଼ କାଟି ଗାଁ ଜମିକୁ ଜଳସେଚନର ବ୍ୟବସ୍ଥା କରିଥିଲେ। ଏଥିନେଇ ‘ସମ୍ବାଦ’ରେ ‘ଓଡ଼ିଶା ମାଉଣ୍ଟେନମ୍ୟାନ ଦୈତାରୀ’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ସେ ସାରା ରାଜ୍ୟ ଓ ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ଆଉ କାମଧନ୍ଦା ମିଳି ନ ଥିଲା। ଯେଉଁଥିପାଇଁ ତାଙ୍କର ସଂସାର ଚଳାଇବା କଷ୍ଟକର ହୋଇ ପଡ଼ିଥିଲା। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ‌ଦେବାକୁ ଘୋଷଣା କରିଥିଲେ। ଏହି ଘୋଷଣା ଶୁଣି ଦୈତାରୀ ଗତ ୬ ତାରିଖରେ ବ୍ୟାଙ୍କକୁ ଆସିଥିଲେ। ନିଜ ଜମାଖାତା ଦେଖିଥିଲେ। ଖାତାରେ କିନ୍ତୁ ଟଙ୍କା ନ ଥିଲା। ଖାଲି ଅକ୍ଟୋବର ମାସ କଥା ନୁହେଁ, ଗତ ଜୁଲାଇ ମାସଠୁ ସବୁ ମାସରେ ଗୋନାସିକା ଘାଟି ଅତିକ୍ରମ କରି ବ୍ୟାଙ୍କରେ ଜମା ଖାତାରେ ଟଙ୍କା ଖୋଜୁଥିବା ଦୈତାରୀ ସବୁଥର ନିରାଶ ହେଉଥିଲେ। ଏଥିନେଇ ‘ସମ୍ବାଦ’ରେ ଆଜି ‘ପ୍ରତିଶ୍ରୁତି ରଖି ପାରିଲେନି ସରକାର: ଏଯାଏ ମିଳିନି ଦୈତାରୀଙ୍କୁ ସହାୟତା’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାର ଆଜି ତୁରନ୍ତ ପଦ୍ମଶ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରିଛନ୍ତି। ଦୈତାରୀଙ୍କ ସମେତ କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ମଧ୍ୟ ଏହି ସହାୟତା ମିଳିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦୈତାରୀ ନାଏକଙ୍କ ସହିତ ରାଜ୍ୟର ଅନ୍ୟ ୫ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମଧ୍ୟ ତିନିମାସର ସହାୟତା ପ୍ରଦାନ କରାଯାଇଛି।

ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରତିକ୍ରିୟାରେ କହିଛନ୍ତି ଯେ, ଟଙ୍କା ଆସିବା ନେଇ ଖବର ପାଇଛି। ମାତ୍ର ବ୍ୟାଙ୍କ ଖାତା ‌ଦେଖିନାହିଁ। ଏଥିପାଇଁ ‘ସମ୍ବାଦ’କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଆର୍ଥିକ ସହାୟତା ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର