ରକ୍ଷଣାବେକ୍ଷଣ ଅଭାବରୁ ଭୂତ କୋଠି ପାଲଟିଛି ଡାକବଙ୍ଗଳା

ନନ୍ଦପୁର : ନନ୍ଦପୁର ବ୍ଲକ ପାଡୁଆ ସ୍ଥିତ ପୂର୍ତ ବିଭାଗ ଡାକ ବଙ୍ଗଳା ରକ୍ଷଣାବେକ୍ଷଣ ଅଭାବରୁ ଭୂତ କୋଠି ପାଲଟିଛି। ଦୀର୍ଘ ବର୍ଷ ତଳେ ପାଡୁଆରେ ପୂର୍ତ ବିିଭାଗ ପକ୍ଷରୁ ଡାକ ବଙ୍ଗଳା ନିର୍ମାଣ କରାଯାଇଥିଲା। ବିଭିନ୍ନ ସରକାରୀ ଅଧିକାରୀ ଏହି ଅଞ୍ଚଳ ଗସ୍ତ କରିବା ପରେ ଏହି ଡାକ ବଙ୍ଗଳାରେ ରାତ୍ରି ଯାପନ କରିବା ସହ ସରକାରୀ କାର୍ଯ୍ୟ କରୁଥିଲେ। ଏହି ଡାକ ବଙ୍ଗଳାରେ ବିଭିନ୍ନ ସଭା ସମିତି ସହ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ନିର୍ଭର କରୁଥିଲେ। ଏହି ଡାକ ବଙ୍ଗଳାରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଉଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଡାକ ବଙ୍ଗଳାର କବାଟ, ଝରକା ଚୋରି ହେବା ସହ କେବଳ ଘରର ଆଜବେଷ୍ଟସ ଓ ସିମେଣ୍ଟ କାନ୍ଥ ମୂକ ସାକ୍ଷୀ ଭାବେ ରହିଛି। ଦିନରେ ଏଠାରେ ମଦ୍ୟପ ଓ ରାତିରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁୁଛି। ଏହି ଡାକ ବଙ୍ଗଳାର ପୁନରୁଦ୍ଧାର ନିମନ୍ତେ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ଲୋକେ ବିଭିନ୍ନ ସମୟରେ ଦାବି କରିଛନ୍ତି। କିନ୍ତୁ ଏହାର ପୁନରୁଦ୍ଧାର ନିମନ୍ତେ ପୂର୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଶୀଘ୍ର ଏହି ଡାକବଙ୍ଗଳାର ପୁନରୁଦ୍ଧାର କରାଯିବା ସହ ଜଣେ ରାତ୍ର ଜଗୁଆଳିଙ୍କୁ ନିଯୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର