ଦକ୍ଷତା ବିକାଶରେ ଦେଶରେ ଓଡ଼ିଶା ଶ୍ରେଷ୍ଠ : ଦୁଇବର୍ଷରେ ଆଉ ୧ ଲକ୍ଷଙ୍କୁ ତାଲିମ ଲକ୍ଷ୍ୟ

ଭୁବନେଶ୍ୱର : ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି। ବିଶେଷକରି ଏ କ୍ଷେତ୍ରରେ ନୂତନ ଭାବେ ପ୍ରତିଷ୍ଠିତ ପ୍ରଧାନମନ୍ତ୍ରୀ ପୁରସ୍କାର ହାସଲ କରିବା ରାଜ୍ୟ ପାଇଁ ଗୌରବର ବିଷୟ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ୯୬ ହଜାର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ସେଥିମଧ୍ୟରୁ ୭୦ ହଜାରଙ୍କ ପାଇଁ ରୋଜଗାରର ମାଧ୍ୟମ ସୃଷ୍ଟି କରାଯାଇଛି। ଆଗାମୀ ଦୁଇବର୍ଷରେ ଆଉ ୧ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

ଏହି ସଫଳତା ସଂପର୍କରେ ଘୋଷଣା କରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ଓଡ଼ିଶା ଏହି ପୁରସ୍କାର ଅତ୍ୟନ୍ତ ଯୋଗ୍ୟ। ଗୋଷ୍ଠୀ ପଦାଧିକାରୀ ଓ ତୃଣମୂଳ ସ୍ତରର କର୍ମକର୍ତାମାନଙ୍କୁ ଏକାଠି କରି ହେଉ ବା ନୀତି ନିର୍ଧାରଣ ପାଇଁ ନିର୍ଦେଶାବଳୀ ପ୍ରସ୍ତୁତି, ଟୁଲ୍‌ ଡିଜାଇନ୍‌, ଅନ୍ତର୍ଜାତୀୟ ସାର୍ଟିଫିକେସନ୍‌ ମାଧ୍ୟମରେ ତାଲିମଦାତାଙ୍କ ତାଲିମର ଆରମ୍ଭ, ମାଇଗ୍ରେସନ୍‌ କେନ୍ଦ୍ର ପ୍ରତିଷ୍ଠା, ଓ୍ଵବ୍‌ ପ୍ଲାଟ୍‌ଫର୍ମ ସୃଷ୍ଟି ଆଦି କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ୨୦୧୬-୧୭ରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ କେନ୍ଦ୍ର ଦୀନ ଦୟାଲ୍‌ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାକୁ ସାମଗ୍ରିକ ଭାବେ ଓଡ଼ିଶା କାର୍ଯ୍ୟକାରୀ କରିଛି। ଗତ ୫ ତାରିଖରେ କେନ୍ଦ୍ର ପଞ୍ଚାୟତିରାଜ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କଠାରୁ ଓଡ଼ିଶା ଜୀବିକା ମିସନ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଏବଂ ଓର୍‌ମାସ କାର୍ଯ୍ୟନିର୍ବାହୀ ନିର୍ଦେଶକ ବି.ଏନ୍‌ ଦାସ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଦେଶର ଶ୍ରେଷ୍ଠ ୮ଟି ଆରଏସ୍‌ଇଟିଆଇ ମଧ୍ୟରେ ଥିବା ବରଗଡ଼ ଜିଲ୍ଲାକୁ ପୁରସ୍କୃତ କରିଥିଲେ।

ଆଗାମୀ ଦିନରେ ଦକ୍ଷତା ବିକାଶ ତାଲିମ ନିମନ୍ତେ ଏସ୍‌କର୍ଟସ, ଟାଟାସ୍‌ ଓ୍ଵଷ୍ଟସାଇଡ୍‌, ଜିଏମ୍‌ଆର ଗ୍ରୁପ୍‌, ସାହି ଏକ୍ସପୋର୍ଟସ୍‌, କିଟ୍‌ ବିଶ୍ୱବିଦ୍ୟାଳୟ, କେୟାର ହସ୍‌ପିଟାଲ୍‌ ଗ୍ରୁପ୍‌, ଆପୋଲୋ ହସ୍‌ପିଟାଲ୍‌, ଗ୍ରାମ ତରଙ୍ଗ ପ୍ରଭୃତି ଶିଳ୍ପ ସଂସ୍ଥା, ପ୍ରତିଷ୍ଠାନ ଓର୍‌ମାସ ସହିତ ସହଭାଗିତା ପାଇଁ ଆଗ୍ରହ ପ୍ରକାଶ କରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର