ଡାଲି, ତେଲ, ପିଆଜ ମହଙ୍ଗା

ଭୁବନେଶ୍ବର : କାର୍ତ୍ତିକ ପାଇଁ ପରିବା ଦର ଆକାଶ ଛୁଆଁ ଥିବାବେଳେ ଏବେ ଡାଲି, ତେଲ ଓ ପିଆଜ ଦର ବଢ଼ିଯାଇଛି। ହେଲେ ଡାଲି ଦର ସବୁଠୁ ଅଧିକ ବାଧୁଛି। ମୁଗ, ହରଡ଼, ବୁଟ ଡାଲି କେଜି ପିଛା ୫ରୁ ୧୦ଟଙ୍କା ବଢ଼ିଥିବାବେଳେ ଖୁଚୁରା ବଜାରରେ ଏହା ୭ରୁ ୧୨ଟଙ୍କା ବଢ଼ିଛି। ମାସକରେ ଡାଲି ଦର ଏତେ‌ ବଢ଼ିବା ଲୋକଙ୍କ ଉପରେ ମହଙ୍ଗା ମାଡ଼ ସଦୃଶ ହୋଇଛି।

ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ପାଇକାରୀ ଦରରେ ହରଡ଼ ଡାଲି ଦର ଗତ ମାସରେ ୬୦ଟଙ୍କା ଥିବାବେଳେ ଆଜି ଏହା ୭୦ଟଙ୍କାରେ ପହଞ୍ଚିଛି। ଏକସଙ୍ଗେ ୧୦ଟଙ୍କା ବଢ଼ିଛି। ଖୁଚୁରା ବଜାରରେ ଏହା ୭୫ରୁ ୭୭ଟଙ୍କାରେ ବିକ୍ରି ‌େହଉଛି। ଯେତେବେଳେ କି ଗତବର୍ଷ ଏହି ସମୟରେ ହରଡ କେଜି ୬୫ଟଙ୍କା ଥିଲା। ସେହିପରି ମୁଗ ଡାଲି କେଜି ଗତ ମାସରେ ୭୦ଟଙ୍କା ଥିବାବେଳେ ଆଜି ଏହା ୭୫ଟଙ୍କାରେ ପହଞ୍ଚିଛି। ମାସକରେ ଏକାଥରକେ ୫ଟଙ୍କା ବଢ଼ିଯାଇଛି। ଯେତେବେଳେ କି ଖୁଚୁରା ବଜାରରେ ମୁଗ ଡାଲି ୮୦ଟଙ୍କା ଛୁଇଁଲାଣି। ଗତବର୍ଷ ଏହି ସମୟରେ ମୁଗ ଡାଲି କେଜି ପିଛା ପାଇକାରୀ ଦର ୬୮ଟଙ୍କା ଥିଲା। ବର୍ଷକରେ ୭ଟଙ୍କା ବଢ଼ିଛି। ବୁଟ ଡାଲି ବି ଗତ ମାସ ତୁଳନାରେ ୬ଟଙ୍କା ବଢ଼ିଛି। ୬୨ରୁ ୬୮ଟଙ୍କାରେ ପହଞ୍ଚିଲାଣି।

କେବଳ ଡାଲି ନୁହେଁ ସୋରିଷ ତେ‌ଲ ଗତବର୍ଷ ୯୬ଟଙ୍କା ଥିବାବେଳେ ଏବେ ଲିଟର ୧୦୬ଟଙ୍କା ଛୁଇଁଛି। ଖୁଚୁରା ବଜାରରେ ଏହା ୧୧୦ରୁ ୧୧୨ଟଙ୍କାରେ ବିକ୍ରି ହେଉଛି। ରିଫାଇନ୍ ତେଲ ଯଦିଓ ଗତ ମାସ ଅପେକ୍ଷା ତିନି ଟଙ୍କା କମିଛି ବୋଲି କୁହାଯାଉଛି ‌କିନ୍ତୁ ଗତ ବର୍ଷ ତୁଳନାରେ ୭ଟଙ୍କା ବଢ଼ିଛି। ଏବେ ରିଫାଇନ୍ ପାଇକାରୀ ମୂଲ୍ୟ ୮୨ଟଙ୍କା ରହିଛି।

ଆଳୁ ୧୬ଟଙ୍କାରୁ ଖସି ୧୪ଟଙ୍କାରେ ପହଞ୍ଚିଥିବାବେଳେ ପିଆଜ ୧୮ରୁ ୨୦ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଖୁଚୁରା ବଜାରରେ ଆଳୁ ୧୮ଟଙ୍କା ଏବଂ ପିଆଜ ୨୫ଟଙ୍କାରେ ବିକ୍ରି ହେଉଛି।

ଗତ ମାସରେ ଡିଜେଲ୍ ଦର ହୁ ହୁ ହୋଇ ବଢ଼ିଥିବାରୁ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଇଁ ତେଲ ବୃଦ୍ଧିକୁ ଦାୟୀ କରାଯାଇଥିଲା। କିନ୍ତୁ ଏବେ ତେଲ ଦର କମିବା ପରେ ଦାମ୍ କମୁନି। ଯେତେବେଳେକି ଡାଲି ଦର ବୃଦ୍ଧି ପାଇଁ ଏହାର ଏମ୍‌ଏସ୍‌ପି ବଢ଼ିଥିବା କାରଣ ଦର୍ଶାଯାଉଛି।

ସମ୍ବନ୍ଧିତ ଖବର