ପୁରୀ ସଦର ଡାକ୍ତରଖାନାରେ ଦଲାଲରାଜ୍‌ : ହାଡ଼ ଭାଙ୍ଗିଲେ ଘରୋଇ ହସ୍ପିଟାଲକୁ ରେଫର୍‌

ଅସ୍ତ୍ରୋପଚାର ପରେ ପୁଣି ଫେରୁଛନ୍ତି ରୋଗୀ

ପୁରୀ : ହରି ବେହେରା। ବୟସ ୫୮। ଘର କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଅରଖକୁଦା। ଗତ ୨ ତାରିଖ ହୋଲି ଦିନ ଗାଁ ଗଣ୍ଡଗୋଳରେ ଆକ୍ରମଣର ଶିକାର ହୋଇଥିଲେ। ଗୋଡ଼ ଭାଂଗିଯାଇଥିଲା। ହରିଙ୍କୁ ପୁରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଡମିସନ୍‌ ହେବା ପର ଦିନ ତାଙ୍କୁ ପୁରୀ ମେଡିକାଲରୁ ଏକ ଘରୋଇ ମେଡିକାଲକୁ ରେଫର କରାଗଲା ଏବଂ ଦୁଇ ଦିନ ପରେ ପୁଣି ପୁରୀ ମେଡିକାଲକୁ ଫେରାଇ ଅଣାଯାଇଥିଲା। ଏବେ ସେ ପୁରୀ ମେଡିକାଲର ଅସ୍ଥିଶଲ୍ୟ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। କେବଳ ହରି ନୁହଁନ୍ତି, ଏହି ୱାର୍ଡରେ ଚିକିତ୍ସାଧୀନ ଥିବା ଅଧିକାଂଶ ଅସ୍ତ୍ରୋପଚାର ରୋଗୀ ଏଠାରେ ପୋଷ୍ଟ ଅପରେସନ୍‌ ରୋଗୀ ଭାବେ ରହିଥିବା ଜଣାପଡିଛି। ରାଜଧାନୀର କେତେକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରି ରୋଗୀଙ୍କ ଠାରୁ ଅର୍ଥ ନେଇ ସାରିବା ପରେ ଡାକ୍ତର ପରବର୍ତ୍ତୀ ସେବା ପାଇଁ ପୁଣି ପୁରୀ ମେଡିକାଲକୁ ଆଣୁଛନ୍ତି। ଏଠାରେ ସରକାର ରୋଗୀର ଔଷଧ, ସେବା ଓ ରୋଗୀ ଖାଦ୍ୟ ଭରଣା କରୁଛନ୍ତି। ଅନ୍ୟପକ୍ଷରେ ଦିନେ ଦୁଇ ଦିନ ସେବା ଦେଇ ଘରୋଇ ମେଡିକାଲ ରୋଗୀଙ୍କଠାରୁ ହଜାର ହଜାର ଟଙ୍କା ଲୁଟି ନେଉଥିବା କଥା ଆଜି ଧରାପଡିଛି। ସମସ୍ତଙ୍କ ଜାଣତରେ ଏଭଳି ଏକ ବିଚିତ୍ର ବ୍ୟବସ୍ଥା ଭିତରେ ପୁରୀ ମେଡିକାଲ ଫସିିଛି। ମେଡିକାଲର ଅସ୍ଥିଶଲ୍ୟ ୱାର୍ଡ ଭୁବନେଶ୍ୱରର କିଛି ଘରୋଇ ମେଡିକାଲର ବିଶ୍ରାମସ୍ଥଳ ପାଲଟିଛି।

ସମ୍ବାଦ ଟିମ୍‌ ଆଜି ହରିଙ୍କ ସହିତ ଆଉ ଜଣେ ରୋଗୀଙ୍କୁ ଭେଟିବା ପରେ ସମାନ କଥା ସାମ୍ନାକୁ ଆସିଛି। ତିଗିରିଆର ସ୍ମୃତି ରଂଜନ ଦାସ ୱାର୍ଡର ୨୨ନଂ ବେଡ୍‌ରେ ଚିକିତ୍ସାଧୀନ ରହିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ସ୍ମୃତିରଂଜନ ଗତ ପହିଲା ଦିନ ସିଡ଼ିିରୁ ଗଳି ପଡିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲକୁ ଅଣାଯାଇଥିଲା। ତେବେ ଗୋଟିଏ ଦିନ ମେଡିକାଲ ରହିବା ପରେ ଡାକ୍ତର ତାଙ୍କୁ ରେଫର କରିଥିଲେ। ସ୍ମୁତି ଦିନକ ପରେ ପୁଣି ପୁରୀ ମେଡିକାଲକୁ ଆସିଥିଲେ। ପୋଷ୍ଟ ଅପରେସନ୍‌ ରୋଗୀ ହୋଇ ସେ ଏବେ ଚିକିତ୍ସାଧୀନ ରହିଛନ୍ତି। ଗତ ୩ ତାରିଖରୁ ସେ ଏଠାରେ ଚିକିତ୍ସାଧୀନ ରହିଛନ୍ତି। ଦୁଇ ତାରିଖ ଦିନ ସେ ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରୁ ଅସ୍ତ୍ରୋପଚାର ହୋଇ ଏଠାକୁ ଫେରିଥିବା କହିଛନ୍ତି। ମାସ ମାସ ଧରି ଏଭଳି ଦଲାଲି ଚାଲିଥିବା କିଛି କର୍ମଚାରୀ ନାମ ଗୋପନ ରଖି କହିଛନ୍ତି।

ସୂଚନା ମୁତାବକ, ପୁରୀ ଜିଲ୍ଲା ସଦର ମହକୁମା ମେଡିକାଲରେ ଗତ କିଛି ଦିନ ହେବ ଦଲାଲ ସକ୍ରିୟ ଥିବା ନେଇ ଅଭିଯୋଗ ହୋଇଥିଲା। ଡାକ୍ତର ସୁବ୍ରତ ମହାନ୍ତି ପୁରୀ ମେଡିକାଲର ଅସ୍ଥିଶଲ୍ୟ ଡାକ୍ତର ଭାବେ ନିୟୋଜିତ ରହିଛନ୍ତି। ତେବେ ଏହି ମେଡିକାଲକୁ ଆସୁଥିବା ହାଡ଼ଭଂଗା ରୋଗୀଙ୍କୁ ପୁରୀ ମେଡିକାଲରେ ଦିନକ ପାଇଁ ରଖିବା ପରେ ତୁରନ୍ତ ଭୁବନେଶ୍ୱରର କିଛି ଘରୋଇ ମେଡିକାଲକୁ ନେଇ ଅସ୍ତ୍ରୋପଚାର କରାଇବା ପରେ ପୁଣି ଥରେ ପୁରୀ ମେଡିକାଲକୁ ପଠାଇ ଦେଉଥିବା ଅଭିଯୋଗ ହେଉଛି।

ଏଭଳି ବ୍ୟବସ୍ଥା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରେ ସେ ଏଭଳି ଅନିୟମିତାକୁ ସ୍ୱୀକାର କରିଛନ୍ତି। ତେବେ ଏହାର ତଦନ୍ତ ପାଇଁ ସେ ଏଡିଏମ୍‌ଓଙ୍କୁ ଦାୟିତ୍ଵ ଦେଇଥିବା କଥା କହିଛନ୍ତି।

ସମ୍ବନ୍ଧିତ ଖବର