ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

କୋରାପୁଟ/ବ୍ରହ୍ମପୁର : ବଢ଼ୁଛି ବର୍ଷା। ଆଜି ଦିନତମାମ ଢାଳିଥିଲା ବେଳେ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ହେବ। ଏମିତି ପୂର୍ବାନୁମାନ କରିଛି ପାଣିପାଣ ବିଭାଗ। ଏପଟେ ବର୍ଷାରେ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଫୁଲି ଉଠିଛି।

ସୂଚନା ଅନୁସାରେ, ମାଛକୁଣ୍ଡ ଜଳଭଣ୍ଡାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ପରେ ଆଜି ଦୁଇଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟା‌ଜଳ ନିଷ୍କାସନ କରାଯାଇଛି। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୨୭୫୦ ଫୁଟ ରହିଥିଲାବେଳେ ଆଜି ସକାଳ ସୁଦ୍ଧା ଏହା ୨୭୪୮ ଫୁଟରେ ପହଞ୍ଚିଥିଲା। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଜି ଦୁଇଟି ସ୍ଲୁଇସ ଗେଟ ଖୋଲି ବନ୍ୟା ଜଳ ଛଡ଼ାଯାଇଛି। ସେହିପରି ତେଲିଙ୍ଗିରି ଜଳ ଭଣ୍ଡାରର ଜଳସ୍ତର ଆଜି ସକାଳ ସୁଦ୍ଧା ୬୨୪.୮୦ ମିଟରରେ ପହଞ୍ଚିଛି। ଜଳଭଣ୍ଡାରକୁ ୨୮.୫୨ କ୍ୟୁମେକ ଜଳ ପ୍ରବେଶ କରୁଥିଲାବେଳେ ୪୧ କ୍ୟୁମେକ ଜଳ ନିଷ୍କାସନ କରାଯାଉଛି। କୋଲାବ ଜଳଭଣ୍ଡାର ଜଳସ୍ତର ଆଜି ସକାଳ ସୁଦ୍ଧା ୮୫୪.୪୧ ମିଟରରେ ପହଞ୍ଚିଛି। ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେ ଗତକାଲି ସକାଳେ ଏଠାରେ ଜଳସ୍ତର ୮୫୪.୨୬ ମିଟର ରହିଥିଲା। ଜଳଭଣ୍ଡାରକୁ ଏବେ ୧୬୩.୬୪ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି ଏବଂ ୨୯.୪୯ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି।

ଅନ୍ୟପକ୍ଷ‌ରେ, ଗଞ୍ଜାମର ସୋରଡ଼ା ଜଳଭଣ୍ଡାରର ଜଳଧାରଣ କ୍ଷମତା ୪୯୭୫ ହେକ୍ଟୋମିଟର। ଏହି ଜଳଭଣ୍ଡାରରେ ୭୩.୦୪ ପ୍ରତିଶତ ପାଣି ରହିଥିଲା। ବର୍ଷା ଫଳରେ ଜଳସ୍ତର ବୃଦ୍ଧି ପାଇ ୭୮.୫୬ ପ୍ରତିଶତ ପାଣି ରହିଛି। ଅର୍ଥାତ ବର୍ତ୍ତମାନ ୩୦୯୮ ହେକ୍ଟୋମିଟର ପାଣି ରହିଛି। ସେହିପରି ଡହ ଡ୍ୟାମର ଜଳଧାରଣ କ୍ଷମତା ୨୧୯୫ ହେକ୍ଟୋମିଟର। ଏଥିରେ ୬୯.୪୮ ପ୍ରତିଶତ ପାଣି ରହିଥିଲା ବର୍ଷା ଫଳରେ ଜଳସ୍ତର ବୃଦ୍ଧି ପାଇଁ ୭୩.୩୫ ପ୍ରତିଶତ ଅର୍ଥାତ ୧୬୧୦ ହେ‌କ୍ଟୋମିଟରରେ ପହଞ୍ଚିଛି। ସେହିପରି ଧନେଇ ନଦୀର ଜଳସ୍ତର ୧୩୧୩ ହେକ୍ଟୋମିଟର। ଉକ୍ତ ଜଳଭଣ୍ଡାରରେ ୬୮ ପ୍ରତିଶତ ପାଣି ରହିଥିଲା। ବର୍ଷା ଫଳରେ ଜଳସ୍ତର ୪ ପ୍ରତିଶତ ବୃଦ୍ଧି ପାଇ ୭୨ରେ ପହଞ୍ଚିଛି। ବର୍ତ୍ତମାନ ଜଳଭଣ୍ଡାରରେ ୯୪୨.୩୧ ହେକ୍ଟୋମିଟର ଜଳ ରହିଛି। ଅନ୍ୟାନ ଜଳଭଣ୍ଡାର ଗୁଡିକରେ ଜଳସ୍ତରରେ ବିଶେଷ ବୃଦ୍ଧି ପାଇନାହିଁ।

ସମ୍ବନ୍ଧିତ ଖବର