ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଚର୍ଚ୍ଚାରେ ଜଗତସିଂହପୁର ଜିଲ୍ଲା ରାଜନୀତି : ପୁଅ ବିରୋଧରେ ପ୍ରଚାର କରିବେ କି ଦାମ ?

ଜଗତସିଂହପୁର : ବିଜେପି କ୍ୟାମ୍ପରେ ବାପା । ବିଜେଡି ଶିବିରରେ ପୁଅ । ଦାମ-ସମ୍ବିତଙ୍କୁ ନେଇ ଚର୍ଚ୍ଚା । ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଗୋଟିଏ ପରିବାରର ଏହି ଦୁଇ ସଦସ୍ୟ ଏବେ ଭିନ୍ନଭିନ୍ନ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ । ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ରହିଆସୁଥିବା ଦାମ ବାବୁ, ପୁଅ ସମ୍ବିତଙ୍କ ବିରୋଧରେ ପ୍ରଚାର କରିବେ କି ? ପୁଅ ବିରୋଧରେ କ’ଣ କହିବେ ବାପା ? ନବୀନ ସରକାରକୁ ହଟାଇବା ପାଇଁ ଆହ୍ୱାନ ଦେଉଥିବା ଦାମ ବାବୁ, ପୁଅ ବିରୋଧରେ ଚୁପ୍ ରହିବା ସମ୍ଭବ କି ? ଏଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଚାରିପାଖରେ ଘୁରିବୁଲୁଛି ଜଗତସିଂହପୁର ଜିଲ୍ଲା ରାଜନୀତି ।

ବିଜେଡି ରାଜନୀତିରେ ଥିଲାବେଳେ ପ୍ରତିପକ୍ଷଙ୍କ ବିରୋଧରେ ଶାଣିତ ଟିପ୍ପଣୀ କରୁଥିବା ଦାମୋଦର ରାଉତ, ଏବେ ବିଜେପି ଶିବିରରେ ରହି ବିଜେଡି ବିରୋଧରେ ବର୍ଷୁଛନ୍ତି । ବିଶେଷ କରି ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେବା ପରେ ନବୀନ ସରକାରକୁ ହରାଇବା ଲାଗି ଆକ୍ରମଣକୁ ଜୋରଦାର କରିଛନ୍ତି । ସେପଟେ ପାରାଦୀପରେ ବିଜେଡିକୁ ପ୍ରତିନିଧିତ୍ୱ କରୁଛନ୍ତି ପୁଅ ସମ୍ବିତ ରାଉତରାୟ ।

ଡାକ୍ତର ଦାମୋଦର ରାଉତ । ବିଜେପି ବାଲିକୁଦା-ଏରସମା ପ୍ରାର୍ଥୀ । ୨୦୧୯ ନିର୍ବାଚନରେ ଜଗତସିଂହପୁର ରାଜନୀତିରେ ସଂପୂର୍ଣ୍ଣ ନୂଆ ସମୀକରଣ ଦେଖିବାକୁ ମିଳିଛି । ଦିନେ ବିଜେଡିର ଛାମୁଆ ନେତା ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ଏବେ ବିଜେପିର ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ । ଅନ୍ୟପକ୍ଷରେ କିଛିମାସ ତଳେ ଜଗତସିଂହପୁର ଜିଲ୍ଲା ବିଜେପି ରାଜନୀତିରେ ସକ୍ରିୟ ଥିବା ରଘୁନନ୍ଦନ ଦାସ ଏହି ନିର୍ବାଚନୀ କ୍ଷେତ୍ରରେ ଦାମ ବାବୁଙ୍କ ପ୍ରତିଦ୍ୱନ୍ଦ୍ୱୀ । କୁହାଯାଉଛି ରଘୁନନ୍ଦନ ବିଜେପି ସଂଗଠନର ଜଣେ ଟାଣୁଆ ନେତା ଥିବାରୁ ତାଙ୍କୁ ଭରସା କରି ଦାମ ବାବୁ ପଦ୍ମଫୁଲ ଧରି ଜିଲ୍ଲାରେ ନୂଆ ଇନିଂସ ଆରମ୍ଭ କରିବାକୁ ଗୋଡ କାଢିଥିଲେ । ପ୍ରଶାନ୍ତ ମୁଦୁଲିଙ୍କୁ ଲକ୍ଷ୍ୟ କରି ବାଲିକୁଦା-ଏରସମା ଉପରେ ଆଖି ପକାଇଥିଲେ । ହେଲେ ଦାମଙ୍କୁ ଚେକ୍ ଦେବାଲାଗି ନୂଆ ଚାଲ ଖେଳିଛି ବିଜେଡି । ପ୍ରଶାନ୍ତ ମୁଦୁଲିଙ୍କ ଆସନ ବଦଳାଇ ରଘୁନନ୍ଦନଙ୍କୁ ନିଜ କ୍ୟାମ୍ପରେ ସାମିଲ କରିବା ସହ ଏହି ଆସନରେ ମୈଦାନକୁ ଓହ୍ଲାଇଛି ।

ସମ୍ବିତ ରାଉତରାୟ । ବିଜେଡି ପାରାଦ୍ୱୀପ ପ୍ରାର୍ଥୀ । ବାପା ବିଜେଡି ଛାଡି ବିଜେପି ଚାଲିଯିବା ସତ୍ୱେ ନବୀନଙ୍କ ପ୍ରତି ନିଜ ଆନୁଗତ୍ୟରେ ଉଣା କରିନଥିଲେ ପୁଅ ସମ୍ବିତ ରାଉତରାୟ । ଯେଉଁଥିପାଇଁ ସମ୍ବିତଙ୍କୁ ମିଳିଛି ବଡ ପୁରସ୍କାର । ବାପା ଦାମ ରାଉତଙ୍କ ଗତ ନିର୍ବାଚନୀ କ୍ଷେତ୍ର ପାରାଦ୍ୱୀପରେ ତାଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ଅର୍ଥାତ ସଂପର୍କରେ ବାପା-ପୁଅ ହୋଇଥିଲେ ମଧ୍ୟ ନିର୍ବାଚନୀ ଲଢେଇରେ ଦୁହିଁଙ୍କ ରାସ୍ତା ଅଲଗା । ବାପାଙ୍କ ପୂର୍ବ ଆସନ ପାରାଦ୍ୱୀପରୁ ଶଙ୍ଖ ଚିହ୍ନରେ ଲଢିବେ ପୁଅ ସମ୍ବିତ ।

ଗୋଟିଏ ଛାତତଳେ ରହୁଥିଲେ ମଧ୍ୟ ଏବେ ରାଜନୀତିର ହାୱା ଅଲଗା କରିଦେଇଛି ନୀତି, ନେତାଗିରି ଓ ଆଦର୍ଶକୁ । ରାଜନୈତିକ ଫଇଦା ପାଇଁ ବିଜେଡି ଫନ୍ଦ କରୁଥିବା ଅଭିଯୋଗ କରି ପୁଅ ବିରୋଧରେ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି ଦାମ । ଅବଶ୍ୟ ପୁଅ ପାଇଁ ନୁହେଁ ବରଂ ପାର୍ଟି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ କେବଳ ଘରର ଚାରିକାନ୍ଥ ଭିତରେ ବାପା-ପୁଅର ସଂପର୍କ ବୋଲି ସ୍ପଷ୍ଟ କରିଦେଇଛନ୍ତି ସମ୍ବିତ । କେଉଁଠି ପ୍ରତିଶୋଧର ରାଜନୀତି ତ ଆଉ କେଉଁଠି ଟିକେଟର ଲୋଭ, ରକ୍ତର ସଂପର୍କକୁ ପର କରିଦେଇଛି । ଗୋଟିଏ ଛାତ ତଳେ ରହି ମଧ୍ୟ ଅଲଗା ଅଲଗା ଦଳ ପାଇଁ ନିର୍ବାଚନ ଲଢିବାକୁ ଅଂଟା ଭିଡିଛନ୍ତି ପରିବାର ସଦସ୍ୟ । ରାଜନୀତିରେ ସୁବିଧାବାଦ ଓ ସତାର ମୋହରୁ ବାପ-ପୁଅଙ୍କ ମଧ୍ୟରେ ଲଢେଇ ହେଉଛି ।

ସମ୍ବନ୍ଧିତ ଖବର