ଦାମଙ୍କ କଟାକ୍ଷ: ‘ଚାରି ବର୍ଷ ପରେ ବିଷ୍ଣୁଙ୍କ ନିଦ ଭାଙ୍ଗିଲା’

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିଜେଡିରେ ପୁଣି ଥରେ ଆରମ୍ଭ ହୋଇଯାଇଛି ବିଷ୍ଣୁ-ଦାମ ବିବାଦ। ଜିଲ୍ଲା ସଭାପତି ବିଷ୍ଣୁ ଚରଣ ଦାସଙ୍କ ଉପସ୍ଥିତିରେ ଗତକାଲି ଆୟୋଜିତ ବୈଠକରେ ବିଷ୍ଣୁଙ୍କ ଅନୁଗତମାନେ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ।ଉତ୍ତରରେ ବିଧାୟିକା ରାଜଶ୍ରୀ ବିଷ୍ଣୁଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ। ଆଜି ଡାକ୍ତର ରାଉତ ପାଦେ ଆଗେଇ ଯାଇ ବିଷ୍ଣୁଙ୍କୁ କଟାକ୍ଷ କରିଛନ୍ତି। ହାରିବାର ଚାରିବର୍ଷ ପରେ ବିଷ୍ଣୁଙ୍କୁ ଦଳ ବିରୋଧୀ କାର୍ଯ୍ୟ କେମିତି ଦିଶିଲା ବୋଲି ପ୍ରଶ୍ନ କରିଛନ୍ତି ଦାମ। ୨୦୧୪ ନିର୍ବାଚନରେ ହାରିବାର କାରଣ ଏବେ ଖୋଜିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ବୋଲି ଦାମ କହିଛନ୍ତି। ବିଷ୍ଣୁଙ୍କୁ ସମାଲୋଚନା କରି ଡାକ୍ତର ରାଉତ କହିଛନ୍ତି ଯେ, ‘ତାଙ୍କ ପୁଅ ବିଜୟଶଙ୍କର ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି କି’ ନାହିଁ ତାହା ସନ୍ଦେହ। ମାତ୍ର, ତିର୍ତ୍ତୋଲରେ ବିଜୟଶଙ୍କରଙ୍କୁ ବିଧାୟକ କରାଇବା ପାଇଁ ସ୍ୱପ୍ନ ଦେଖୁଥିବାରୁ ବିଧାୟିକା ଶ୍ରୀମତୀ ମଲିକଙ୍କୁ ବିଷ୍ଣୁ ପ୍ରତ୍ୟେକ କ୍ଷେତ୍ରରେ ବିରୋଧ କରୁଛନ୍ତି। ସେହିପରି ପାରାଦୀପରେ ମଧ୍ୟ ସେ ଖୋଲାଖୋଲି ଭାବେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ଏଣୁ, ଦଳର ଶୃଙ୍ଖଳା କିଏ ଭାଙ୍ଗୁଛି? ରାଜ୍ୟ ସରକାର ତାଙ୍କୁ ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇଥିଲେ ବି ସେ ଗତ ଚାରିବର୍ଷ ହେଲା କେବଳ ତାଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଦାମ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଦାମ ଆହୁରି ଅଭିଯୋଗ କରିଛନ୍ତି, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ପାଣ୍ଠିର ଗୋଟିଏ ଟଙ୍କା ପାରାଦୀପରେ ଖର୍ଚ୍ଚ ହୋଇନାହିଁ। ଜିଲ୍ଲାରେ ଦଳର ଶୃଙ୍ଖଳାକୁ ବିଷ୍ଣୁ ହିଁ ନଷ୍ଟ କରୁଛନ୍ତି।

ଉଲ୍ଲେଖ୍ୟ, ଜଗତସିଂହପୁର ସର୍କିଟ୍‌ ହାଉସ୍‌ରେ ବିଷ୍ଣୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏକାଧିକ ସରପଞ୍ଚ, ସଭ୍ୟ ଏବଂ ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ। ବୈଠକରେ ବିଷ୍ଣୁ ଚୁପ୍‌ ବସିଥିଲେ ହେଁ ତାଙ୍କ ଅନୁଗତମାନେ ବିଧାୟକ ଡାକ୍ତର ରାଉତ ଓ ବିଧାୟିକା ଶ୍ରୀମତୀ ମଲିକଙ୍କୁ କଡ଼ା ସମାଲୋଚନା କରିଥିଲେ। ଆଜି ଡାକ୍ତର ରାଉତଙ୍କ ଆକ୍ଷେପ ପରେ ଶ୍ରୀ ଦାସ କହିଛନ୍ତି ଯେ, ‘ମୁଁ ସର୍ବଦା ଦଳର ଶୃଙ୍ଖଳା ମଧ୍ୟରେ ରହି କାମ କରିଛି। ଯେଉଁମାନେ ଦଳର ଶୃଙ୍ଖଳା ଭାଙ୍ଗୁଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଜନତା ତାହାର ଜବାବ ଦେବେ’। ଗତ ଦୁଇଦିନର ଘଟଣା ବିଜେଡି ଭିତରେ ବଢ଼ୁଥିବା କନ୍ଦଳକୁ ପଦାରେ ପକାଇବା ସହ ଜଗତସିଂହପୁର ଜିଲ୍ଲା ରାଜନୀତିକୁ ସରଗରମ କରିଛି।

ସମ୍ବନ୍ଧିତ ଖବର