ପୁରୀ ସମାବେଶରେ ଯୋଗ ଦେବେନି ଦାମ

ଭୁବନେଶ୍ୱର,: ପୁରୀ ବିଜେଡି ପ୍ରତିଷ୍ଠା ଦିବସ ସମାବେଶରେ ଯୋଗଦେବେ ନାହିଁ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ହେଲେ, ତାଙ୍କ ନିର୍ବାଚନମଣ୍ଡଳୀର ଲୋକେ କିନ୍ତୁ ଯୋଗଦେବେ। ଏଥିପାଇଁ ୭୫ଟି ଗାଡିର ଆୟୋଜନ କରାଯାଇଛି। ଆଜି ଡାକ୍ତର ରାଉତ ‘ସମ୍ବାଦ’କୁ କହିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ସେ ସମାବେଶରେ ଯୋଗଦେବାକୁ ଉଚିତ୍‌ ମଣୁନାହାନ୍ତି। ତାଙ୍କ ନିର୍ବାଚନମଣ୍ଡଳୀରୁ ଯେଉଁ କର୍ମୀ ଆସୁଛନ୍ତି, ସେମାନଙ୍କୁ ସେ ଟଙ୍କପାଣି ସାଇ ମନ୍ଦିର ନିକଟରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଥାଉକି, ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଡାକ୍ତର ରାଉତଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ। ଏହା ପରଦିନ ତାଙ୍କୁ ବିଜେଡି ଉପସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା। ମାଲକାନଗିରି ମାଲ୍ୟବନ୍ତ ଉତ୍ସବରେ ବ୍ରାହ୍ମଣଙ୍କ ସଂପର୍କରେ ଡାକ୍ତର ରାଉତ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ହୋଇଥିଲା। ପୁରୀରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ପୁରୀରେ ଡାକ୍ତର ରାଉତଙ୍କ ଫଟୋ ପୋଡି ଦେଇଥିଲେ। ଦାମ ବାବୁ କ୍ଷମା ନ ମାଗିବା ପର୍ଯ୍ୟନ୍ତ ତାଙ୍କୁ ପୁରୀରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଆହ୍ଵାନ ଦେଇଥିଲେ। ଯେହେତୁ ସମାବେଶ ପୁରୀରେ ହେଉଛି, ଏଣୁ ଉତ୍ତେଜନା ଆଶଙ୍କାରେ ଡାକ୍ତର ରାଉତଙ୍କୁ ବାରଣ କରାଯାଇଥାଇପାରେ ବୋଲି କୁହାଯାଉଛି। ଖାସ୍‌ ସେଥିପାଇଁ ହିଁ ଗତକାଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଡାକ୍ତର ରାଉତଙ୍କୁ ଭେଟିଥିବା ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର