କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ : ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ

କଣ୍ଟିଲୋ : କେବଳ ଚାଷ ଓ ଚାଷୀର ଉନ୍ନତି ହିଁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶର ମୂଳଦୁଆ। ଚାଷୀଙ୍କ କ୍ଷେତକୁ ପାଣି, ହାତକୁ ବିହନ, ସାର, କୀଟନାଶକ, ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ। ମାତ୍ର ମହାନଦୀ ଉପକୂଳରେ ଥାଇ ମଧ୍ୟ ଜଳସେଚନ ବ୍ୟବସ୍ଥାର ଅତ୍ୟନ୍ତ ଦୁର୍ବଳ ସ୍ଥିତି ଚାଷୀକୁ ହତାଶ କରିଛି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଦୁର୍ବଳ ଜଳସେଚନ ବ୍ୟବସ୍ଥା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହ ଚାଷ କାଯ୍ୟର୍ରୁ ଆଶାନୁରୂପ ଆୟ ହେଉନଥିବାରୁ ଚାଷ କାମ ପ୍ରତି ବିମୁଖ ହେଉଥିବା ଦେଖାଯାଉଛି।

ଅନୁସନ୍ଧାନରୁ ଜଣାପଡ଼ିଛି, ଖଣ୍ଡପଡ଼ା ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରାଯିବା ପାଇଁ ୧୯୯୪ ମସିହାରେ ଜର୍ମାନ ସରକାର କେଏଫଡବ୍ଲ୍ୟୁ ସଂସ୍ଥା ମାଧ୍ୟମରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକ୍‌ର ମହାନଦୀ ଉପକୂଳବର୍ତ୍ତୀ ୩ଟି ଗ୍ରାମ ଯଥା: କରବର, ପଦ୍ମାବତୀ ଓ ହାଟୁଆରୀ ଏବଂ ଖଣ୍ଡପଡ଼ା ବ୍ଲକ୍‌ ବଡ଼ବାଣପୁରଠାରେ ୧ଟି ଏହି ଭଳି ୪ଟି ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ସେତେବେଳେ ଏଥିପାଇଁ କରବର ପ୍ରକଳ୍ପ ପାଇଁ ପ୍ରାୟ ୫୬ ଲକ୍ଷ, ପଦ୍ମାବତୀ ପାଇଁ ୬୧ ଲକ୍ଷ, ହାଟୁଆରୀ ପାଇଁ ୬୫ ଲକ୍ଷ ଓ ବଡ଼ବାଣପୁର ଜଳସେଚନ ପ୍ରକଳ୍ପ ପାଇଁ ୫୩ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ କାଯ୍ୟର୍ ସଂପନ୍ନ କରାଯାଇଥିଲା। ପ୍ରକଳ୍ପଗୁଡ଼ିକରେ ୨ଟି ୪୦ ଅଶ୍ୱଶକ୍ତି ସଂପନ୍ନ ମୋଟର ବସାଯାଇ ପ୍ରତି ପ୍ରକଳ୍ପ ମାଧ୍ୟମରେ ୪ ଶହରୁ ୫ ଶହ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବା ପାଇଁ ଲକ୍ଷ୍ୟ ଧାଯ୍ୟର୍ ହୋଇଥିଲା। ମାତ୍ର ବିଭାଗୀୟ ଅପାରଗତା ପ୍ରକଳ୍ପଗୁଡ଼ିକର ନିର୍ମାଣଜନିତ ବୈଷୟିକ ତ୍ରୁଟି ଯୋଗୁଁ ଏଗୁଡ଼ିକ ଖୁବ୍‌ କମ୍‌ଦିନ ଚାଲିବା ପରେ ଅଚଳ ହୋଇପଡ଼ିଥିଲା। ପ୍ରକଳ୍ପଗୁଡ଼ିକରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଥିବାବେଳେ ବିଛାଯାଇଥିବା ପାଇପ ଲାଇନ୍‌ଗୁଡ଼ିକୁ ଦୁବୃର୍ତ୍ତମାନେ ଚୋରି କରି ନେଇଯାଇଛନ୍ତି। ଜଳସେଚନର ଏଭଳି ଦୁର୍ବଳ ସ୍ଥିତି ଚାଷୀଙ୍କୁ ହତୋତ୍ସାହିତ କରିବା ସହ ଅଞ୍ଚଳର ସାମଗ୍ରିକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଛି। ଉକ୍ତ ପ୍ରକଳ୍ପ ସବୁର ପୁନଃରୁଦ୍ଧାର କରାଗଲେ ଅଞ୍ଚଳର ଚାଷୀ ଉପକୃତ ହେବା ସହ ସାମଗ୍ରିକ ବିକାଶ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ପ୍ରକଳ୍ପଗୁଡ଼ିକୁ ପୁନଃ ଚଳନକ୍ଷମ କରାଯିବା ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର