ପୁରୀ : ମରଣଯନ୍ତା ପାଲଟିଛି ଜହ୍ନିକୁଦା-ଚାରିଛକ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମଗିରି : ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ଚାରି ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ବାତ୍ୟା ମାଡ଼ରେ ନଷ୍ଟ ହୋଇଯାଇଥିବା ଜହ୍ନିକୁଦା-ଚାରିଛକ ରାସ୍ତାର ଏ ପର୍ଯ୍ୟନ୍ତ ମରାମତି ହୋଇପାରି ନାହିଁ। କିଛି ମୋରମ ପକାଇ ଦେଇ ପ୍ରଶାସନ ତାର କାମ ସାରି ଦେଇଛି। ଗତ ଦୁଇ ମାସ ମଧ୍ୟରେ ବାଇକ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନର ଚେତା ପଶୁନି। ଖବର ନେବାରେ ଜଣାପଡ଼ିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଜହ୍ନିକୁଦା-ଚାରିଛକ ରାସ୍ତା ସ୍ଥାନୀୟ ଅଞ୍ଚଳର ଏକ ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତାଟି ଚିଲିକା କୂଳ ଜହ୍ନିକୁଦା ଘାଟକୁ ସଂଯୋଗ କରିଛି। ପ୍ରତିଦିନ ଶହ ଶହ ଲୋକେ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ବାତ୍ୟା ଫନି ବେଳେ ଜୁଆର ମାଡ଼ରେ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ଅଧା ଧୋଇ ହୋଇଯାଇଥିଲା। ସେହିପରି ଚିଲିକାକୁ ଲାଗି ରହିଥିବା ସୁରକ୍ଷା ପ୍ରାଚୀର ମଧ୍ୟ ଧୋଇ ଯାଇଛି। ଏହାର ଖୁଣ୍ଟଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଛି। ଏହି ୫ ଶହ ମିଟର ରାସ୍ତାରେ ଗତ ଦୁଇ ମାସରେ ୨ଟି ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇସାରିଲେଣି। ଏ ନେଇ ବାରମ୍ବାର ଅଭିଯୋଗ ହେବାରୁ ପୂର୍ତ୍ତ ବିଭାଗ ରାସ୍ତାରେ କିଛି ମୋରମ ପକାଇ ଦେଇ ମରାମତି କାମ ସାରିଦେଇଛି। ମାତ୍ର ଲଗାଣ ବର୍ଷାରେ ମୋରମ ଧୋଇ ଯାଇଥିବାରୁ ରାସ୍ତାଟି ପୁଣି ବିପଦସଙ୍କୁଳ ହୋଇପଡ଼ିଛି। ତେବେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକମାନେ ବାଧ୍ୟ ହୋଇ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର