ଜନ୍ମଦିନରେ ଦାମ-ବିଜୟ କୋଳାକୋଳି

ପାରାଦୀପ : ଆଜି ଏଠାରେ ମନ୍ତ୍ରୀ ଦାମୋଦର ରାଉତଙ୍କ ୭୬ତମ ଜନ୍ମଦିନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଯୋଗଦେଇ ଦାମଙ୍କ ରାଜନୈତିକ ଦକ୍ଷତାର ପ୍ରଶଂସା କରି କହିଥିଲେ ଯେ ଦାମଙ୍କୁ ବାଦ୍‌ ଦେଇ ଓଡ଼ିଶା ରାଜନୀତି ଲେଖାଯାଇ ପାରିବ ନାହିଁ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ କହିଥିଲେ ଯେ, ଶ୍ରୀ ରାଉତ ଜଣେ ବିଚକ୍ଷଣ ରାଜନେତା ହୋଇଥିବାରୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ଉପଲବ୍‌ଧ ଥାଏ। ନିଜ ଦଳ ଭିତରେ ତାଙ୍କୁ ବିରୋଧ ହେଉଥିଲେ ମଧ୍ୟ ସର୍ବଦା ସତ ଓ ଅକାଟ୍ୟ ଯୁକ୍ତିରେ ସେ ବିଶ୍ୱାସ ରଖନ୍ତି ବୋଲି ଶ୍ରୀ କାନୁନଗୋ କହିଥିଲେ। ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଭାତ ସାମନ୍ତରାୟ, ଶିକ୍ଷାବିତ୍‍ ହିମାଂଶୁ ଆଚାର୍ଯ୍ୟ, ଶ୍ରମିକ ନେତା ସୁଧାକର ମନ୍ତ୍ରୀ, ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ କିଶୋର କୁମାର ପରିଡ଼ା, ପ୍ରମୁଖ ଡାକ୍ତର ରାଉତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ରାଜନୀତି ଜୀବନ ଉପରେ ଆଲୋଚନା କରିଥିଲେ। ଆଇଓସିଏଲରେ ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ରାଉତ ଆଜି ପୁଣି କେନ୍ଦ୍ର ସରକାର ଉପରେ ବର୍ଷିଥିଲେ।

ସମ୍ବନ୍ଧିତ ଖବର