ବିଷ୍ଣୁ-ଦାମ ଗଇ ‌ଖୋଳାଖୋଳି

ଶୁଖିଲା ପଦ୍ମ ନାଡ଼ ଧରି ସାଗରରେ ବୁଡ଼ିଯିବେ: ବିଷ୍ଣୁ, ବିଷ୍ଣୁ ବିଧାନସଭା କି ଲୋକସଭା ପଶିପାରିବେନି: ଦାମ

ଜଗତସିଂହପୁର : ବିଜେଡିରୁ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଦା କରାଯିବା ପରେ ଜିଲ୍ଲା ସଭାପତି ବିଷ୍ଣୁଚରଣ ଦାସ କିଛିଦିନ ପାଇଁ ନିରବ ଥିଲେ। ନିଜର ବଡ଼ ରାଜନୈତିକ ଶତ୍ରୁ ରାସ୍ତାରୁ ହଟିଯିବାରୁ ବିଷ୍ଣୁ ତାଙ୍କ ବିରୋଧରେ କହିବା ବନ୍ଦ କରି ଦେଇଥିବା ବେଳେ ଦଳୀୟ କ୍ଷମତାରୁ ଦୂରରେ ଥିବା କାରଣରୁ ଦାମ ମଧ୍ୟ ବିଷ୍ଣୁଙ୍କ ବିରୋଧରେ କିଛି କହୁ ନଥିଲେ। ହେଲେ, ଦାମ ବିଜେପିରେ ଯୋଗ ଦେବା ପରେ ପୁଣି ଥରେ ଏହି ଦୁଇ ବରିଷ୍ଠ ନେତା ମୁହାଁମୁହିଁ ହୋଇଛନ୍ତି। ଦୁଇ ଜଣ ପରସ୍ପରକୁ ପୁଣିରେ କଟୁ ଭାଷାରେ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।

ଦୁଇଦିନ ତ‌ଳେ ଦାମ ବିଜେପିରେ ଯୋଗ ଦେବା ଘଟଣାକୁ ନେଇ ବିଷ୍ଣୁ ଆଜି ମୁହଁ ଖୋଲିଛନ୍ତି। ଏହା ଦ୍ବାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଦଳର ସୁପ୍ରିମୋ ଚାହିଁଲେ ଦାମଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଷ୍ଣୁ ଖୋଲାଖୋଲି କହିଛନ୍ତି। କେବଳ ସେତିକି ନୁହେଁ, ଦାମଙ୍କୁ କଟୁ ଭାଷାରେ ସମାଲୋଚନା କରି ସେ କହିଛନ୍ତି ଯେ, ଦାମ ଯେଉଁ ଦିବା ସ୍ବପ୍ନ ଦେଖୁଛନ୍ତି, ସେଥିରେ ସେ କଦାପି ସଫଳ ହେବେ ନାହିଁ। ମୁହାଁମୁହିଁ ଲଢେ଼ଇ ହେଲେ ଦାମ ନିଜର ଓଜନ କ’ଣ ଜାଣିପାରିବେ। ଶୁଖିଲା ପଦ୍ମ ନାଡ଼ ଧରି ଦାମ ସାଗରରେ ବୁଡ଼ିଯିବେ ବୋଲି ବିଷ୍ଣୁ କହିଛନ୍ତି।

ଅନ୍ୟପଟେ ଦାମ ନିଜ ଚିରାଚରିତ ଶୈଳୀରେ ବିଷ୍ଣୁଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ‘ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର କୌଣସି ରାଜନୈତିକ ଚରିତ୍ର ନାହିଁ। ସାଧାରଣ ଜୀବନରେ ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ଜୀବନ ଥିବା ପର୍ଯ୍ୟନ୍ତ ସେ ବିଧାୟକ କିମ୍ବା ଲୋକସଭାର ସାଂସଦ ହୋଇପାରିବେ ନାହିଁ। ସେଭଳି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହେଁ ନାହିଁ।’
ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଦୁଇ ବରିଷ୍ଠ ନେତାଙ୍କ ବାଦିପାଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ଦାମ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ବିଷ୍ଣୁ ତାଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଥିବାରୁ ଜିଲ୍ଲା ରାଜନୀତି ବେଶ୍‌ ସରଗରମ ହୋଇଛି। ଗୋଟିଏ ଦଳରେ ଥିବା ‌ବେଳେ ମଧ୍ୟ ଏହି ଦୁଇ ନେତା ନିର୍ବାଚନ ସମୟରେ ପରସ୍ପର ବିରୋଧରେ କଟୁ ମନ୍ତବ୍ୟ ଦେଉଥିଲେ। ଏଣୁ ଭିନ୍ନ ଭିନ୍ନ ଦଳରେ ରହିବା ପରେ ଆସନ୍ତା ସାଧାରଣ ନିର୍ବାଚନରେ ବିଷ୍ଣୁ ଓ ଦାମଙ୍କ ରଣନୀତି କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିବ।

ସମ୍ବନ୍ଧିତ ଖବର