୧୪ ବର୍ଷ ପରେ ଦାମ ବଦଳାଇଲେ ଇତିହାସ!

ଜୟୀ ରାଜଗୁରୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ

ଦାମଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ବିରୋଧ

ଭୁବନେଶ୍ୱର : ୨୦୦୩ ନଭେମ୍ବର। ଜୟୀ ରାଜଗୁରୁଙ୍କ ଉପରେ ପ୍ରକାଶ ପାଇଥିବା ଏକ ପତ୍ରିକାରେ ତତ୍‌କାଳୀନ ସଂସ୍କୃତି ଓ ପଞ୍ଚାୟତିରାଜ ମନ୍ତ୍ରୀ ଦାମୋଦର ରାଉତ ଏକ ଲିଖିତ ବାର୍ତ୍ତା ଦେଇଥିଲେ। ସେଥିରେ ସେ ଦର୍ଶାଇଥିଲେ, ଓଡ଼ିଶାରେ ହୋଇଥିବା ଜାତୀୟ ସ୍ୱାଧୀନତା ସଂଗ୍ରାମର ଜୟୀ ରାଜଗୁରୁ ହେଉଛନ୍ତି ପ୍ରଥମ ସହିଦ। ଯେଉଁଥି ପାଇଁ ବ୍ରିଟିସ୍‌ମାନେ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ମୃତ୍ୟୁଦଣ୍ଡ ଦେଇଥିଲେ। ଜାତି ପାଇଁ ବ୍ରିଟିସ୍‌ ସରକାର ବିରୋଧରେ ଜୟୀ ରାଜଗୁରୁଙ୍କୁ ଯୁଦ୍ଧ କୌଶଳ, ନିଷ୍ଠା ଓ ବଳିଦାନ ସବୁଦିନ ପାଇଁ ମନେ ରହିବ।

୧୪ ବର୍ଷ ପରେ…୨୦୧୭ ନଭେମ୍ବର। ବର୍ତ୍ତମାନର କୃଷି ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି। ବ୍ରିଟିସ୍‌ମାନଙ୍କ ବିରୋଧରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୦୪ ନୁହେଁ, ୧୮୧୭ ମସିହାରେ ହୋଇଥିଲା। ଜୟୀ ରାଜଗୁରୁ ନୁହେଁ, ବକ୍ସି ଜଗବନ୍ଧୁ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ।

ଗତକାଲି ଖୋର୍ଦ୍ଧାରେ ଆୟୋଜିତ ଏକ ଉତ୍ସବରେ କୃଷି ମନ୍ତ୍ରୀ ଦେଇଥିବା ଏହି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି। ଦାମଙ୍କ ଇତିହାସର ବାଖ୍ୟା ତାଙ୍କୁ ମହଙ୍ଗା ପଡ଼ିଛି। ବିଭିନ୍ନ ମହଲରେ ଏହାକୁ ବିରୋଧ ହୋଇଥିଲା ବେଳେ ମନ୍ତ୍ରୀ କ୍ଷମା ମାଗିବାକୁ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଦାବି କରାଯାଇଛି।

ଗତକାଲି ଦାମଙ୍କ ଯୁକ୍ତି ଥିଲା, ଜୟୀ ରାଜଗୁରୁ ବ୍ରିଟିସ୍‌ମାନଙ୍କ ବିରୋଧରେ ଲଢ଼ିଥିଲେ ସତ। କିନ୍ତୁ ତାହାର କାରଣ ଥିଲା ଭିନ୍ନ। ବ୍ରିଟିସ୍‌ମାନେ ତାଙ୍କୁ ଦୁଇଟି ପ୍ରଗଣା ଦେବାକୁ ଶପଥ କରିଥିଲେ। ସେମାନେ ସେହି ଶପଥ ରକ୍ଷା ନ କରିବାକୁ ଜୟୀ ରାଜଗୁରୁ ତାଙ୍କ ବିରୋଧରେ ୧୮୦୪ରେ ବିଦ୍ରୋହ କରିଥିଲେ। କିନ୍ତୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହ ହିଁ ବାସ୍ତବରେ ବ୍ରିଟିସ୍‌ମାନଙ୍କ ବିରୋଧରେ ଥିଲା ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଜୟୀ ରାଜଗୁରୁଙ୍କର ଅନ୍ୟାନ୍ୟ ପ୍ରତିଭାଙ୍କୁ ମନ୍ତ୍ରୀ ପ୍ରଶଂସା କରିଥିଲେ ବି ସ୍ୱାଧୀନତା ସଂଗ୍ରାମୀ ବୋଲି ମାନି ନ ଥିଲେ।

ଏହାକୁ ନେଇ ବିବାଦ ହେବାରୁ ଶ୍ରୀ ରାଉତ ଆଜି ଐତିହାସିକମାନଙ୍କ ତଥ୍ୟକୁ ଉଦ୍ଧାର କରି ନିଜ ମତକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହେଁ ବୋଲି ସେ ନିଜେ ମତ ଦେଉନାହାନ୍ତି। ଐତିହାସିକମାନେ ହିଁ ଏହାକୁ ଲିଖିତ ଭାବେ କହିଛନ୍ତି। ସେ ସଂସ୍କୃତି ମନ୍ତ୍ରୀ ଥିଲା ବେଳେ ଐତିହାସିକ ବି ସି ରାୟଙ୍କ ନେୃତ୍ୱରେ ଏକ କମିଟି ଗଠନ କରାଯାଇ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସ ଲେଖିବାକୁ କୁହାଯାଇଥିଲା। କମିଟି ଏହାକୁ ଲିଖିତ ଭାବେ ପ୍ରକାଶ କରିଛି।

ଦାମଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରୁ ବିରୋଧର ସ୍ୱର ଉଠିଛି। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ।

ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି, ମନ୍ତ୍ରୀ ଦାମୋଦର ରାଉତ ସଂସ୍କୃତି ମନ୍ତ୍ରୀ ଥିଲା ବେଳେ ଓଡ଼ିଶା ଇତିହାସ ବିଷୟରେ ଲେଖିବା ପାଇଁ ଯେଉଁ କମିଟି ଗଠନ କରାଯାଇଥିଲା, ସେହି କମିଟି ୧୮୦୪ରୁ ଇତିହାସ ନ ଲେଖି ୧୮୧୭ରୁ ଇତିହାସ ଲେଖିଛନ୍ତି। ଇଂରେଜମାନେ ୧୮୦୩ରେ ଓଡ଼ିଶା ଦଖଲ କରିଥିଲା ବେଳେ ୧୮୦୩ରୁ ୧୮୧୬ ଏହି ଇତିହାସରେ ସ୍ଥାନ ନ ପାଇ ଏକ ଅଜ୍ଞାତ ଅଧ୍ୟାୟ ରୂପେ ରଖାଯାଇଛି। ବାସ୍ତବରେ ୧୮୦୩ରୁ ୧୮୧୬ ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ଏବଂ ଏହି ସମୟରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଏକ ବିଧିବଦ୍ଧ ସଂଗ୍ରାମ ହୋଇଥିଲା ଏବଂ ଏହାର ପରିଣାମ ବି ଭୟଙ୍କର ଥିଲା। ଏଥି ପାଇଁ ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ୧୮୦୪ରୁ ଇତିହାସ ଲେଖିବା ପାଇଁ ମନ୍ତ୍ରୀ ଶ୍ରୀ ରାଉତଙ୍କୁ ପରିଷଦର ସଦସ୍ୟମାନେ ଭେଟିଥିଲେ। ମନ୍ତ୍ରୀ ପ୍ରତିଶ୍ରୁତି ବି ଦେଇଥିଲେ। ପରିଷଦ ପକ୍ଷରୁ ପ୍ରତୀକ ଧର୍ମଘଟ କରାଯାଇଥିଲା। କିନ୍ତୁ ଇତିହାସରେ ଜୟୀ ରାଜଗୁରୁଙ୍କ ବିଷୟରେ କିଛି ଲେଖାଗଲା ନାହିଁ।

ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର କହିଛନ୍ତି, ଐତିହାସିକ ବି ସି ରାୟଙ୍କ ମୁଣ୍ଡରେ ଅଠା ବୋଳି ମନ୍ତ୍ରୀ ଦାମୋଦର ରାଉତ ଖସିଯାଇପାରିବେ ନାହିଁ। ଭାରତ ସରକାର ଲୋକସଭା ସେଣ୍ଟ୍ରାଲ୍‌ ହଲ୍‌ରେ ସହିଦ ଭାବେ ଜୟୀ ରାଜଗୁରୁଙ୍କ ତୈଳ ଚିତ୍ର ସ୍ଥାନିତ କରିଛନ୍ତି। ଓଡ଼ିଶା ସରକାର ୧୯୯୨ ମସିାହରୁ ସହିଦଙ୍କ ଜୟନ୍ତୀ ପାଳନ କରୁଛନ୍ତି। ଏଜି ଛକଠାରେ ପ୍ରତିମୂର୍ତ୍ତି ସ୍ଥାପନ ହେଇଛି। ଏପରି ସ୍ଥଳେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି କହି ମନ୍ତ୍ରୀ ଏହି ମହାନ ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି। ତେଣୁ ମନ୍ତ୍ରୀ କ୍ଷମା ମାଗିବାକୁ ପରିଷଦ ଦାବି କରିଛି।

ପ୍ରଶ୍ନ ଉଠୁଛି, ଯଦି ଐତିହାସିକମାନଙ୍କ ମତକୁ ନେଇ ମନ୍ତ୍ରୀ ଏବେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି କହୁଛନ୍ତି, ତେବେ ୨୦୦୩ରେ କାହା ତଥ୍ୟକୁ ଆଧାର କରି ତାଙ୍କୁ ପ୍ରଥମ ସହିଦ ଆଖ୍ୟା ଦେଇଥିଲେ ? ସାଧାରଣ ଜନତା ଠିକ୍‌ ବୋଲି କାହାକୁ ଗ୍ରହଣ କରିବେ ? ୧୪ ବର୍ଷ ତଳର ମନ୍ତ୍ରୀଙ୍କ ଲିଖିତ ବାର୍ତ୍ତା ନା ବର୍ତ୍ତମାନ ମନ୍ତ୍ରୀଙ୍କ ତୁଣ୍ଡ ?

ସମ୍ବନ୍ଧିତ ଖବର