ମହଙ୍ଗା ପଡ଼ିଲା ଜାତିଆଣ ମନ୍ତବ୍ୟ, ଦାମ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ

ଭୁବନେଶ୍ୱର: ଜାତିଆଣ ମନ୍ତବ୍ୟ ମହଙ୍ଗା ପଡ଼ିଛି। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କୁ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଛନ୍ତି। ମନ୍ତ୍ରୀ ଡା. ରାଉତଙ୍କ ବହିଷ୍କାର ସଂପର୍କିତ ପତ୍ର ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ସକାଶେ ପଠାଯାଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟ ସଚିବାଳାୟଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଅତି ସ୍ପଷ୍ଟ ଏବଂ ଶାଣିତ ଭାଷାରେ କହିଛନ୍ତି, ‘କୌଣସି ଜାତି, ବର୍ଣ୍ଣ ଓ ଧର୍ମ ବାବଦରେ ଅପମାନସୂଚକ ମନ୍ତବ୍ୟ ଓ ଟିପ୍ପଣୀକୁ ବରଦାସ୍ତ କରାଯିବ ନାହିଁ। ଏଭଳି ମନ୍ତବ୍ୟ ଲାଗି ମୁଁ ଡା.ଦାମୋଦର ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରୁଛି।’

ଉଲ୍ଲେଖଯୋଗ୍ୟ, ନିକଟରେ କୋରାପୁଟରେ ଆୟୋଜିତ ମାଲ୍ୟବନ୍ତ ଉତ୍ସବରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ ‘ଆଦିବାସୀମାନେ କେବଳ ପାଣି ପିଇ ବଞ୍ଚନ୍ତି ଏବଂ ବ୍ରାହ୍ମଣମାନେ ଭିକ୍ଷା ମାଗି ସେମାନଙ୍କର ଜୀବିକା ନିର୍ବାହ କରନ୍ତି।’ ମନ୍ତ୍ରୀ ଶ୍ରୀ ରାଉତଙ୍କର ଏ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ସାରା ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବାହ୍ମଣ ସମାଜ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଆସନ୍ତା ୨୪ ତାରିଖରେ ମନ୍ତ୍ରୀଙ୍କ ବକ୍ତବ୍ୟ ବିରୋଧରେ ତାଙ୍କ ବାସଭବନ ଘେରାଉ କରାଯିବାକୁ ମଧ୍ୟ ପ୍ରସ୍ତୁତି ଚାଲିଥିଲା।

ସମ୍ବନ୍ଧିତ ଖବର