ଦାନ ବୁଝିପାରିଲେ, ସରକାର ପାରୁନାହାନ୍ତି

ନୂଆ ବାଇକ୍‌ ମୋ ପରିବାର କାମରେ ଆସିବ, ତା’ଠୁ ମୋ ଗାଁ କାମରେ ଅଧିକ ଲାଗିବ: ଦାନ

ମେଲାଘର ରାସ୍ତାର ବିକାଶ କଥା ସମସ୍ତେ ଭୁଲିଗଲେ, ସ୍ଥିତି ଆହୁରି ଗମ୍ଭୀର

କଲ୍ୟାଣସିଂହପୁର : ଏକଦା ନିଜ ସ୍ତ୍ରୀର ଶବକୁ କାନ୍ଧେଇ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ ଦାନ ମାଝୀ। ଓ଼଼ଡ଼ିଶା ସ୍ୱାସ୍ଥ୍ୟ ସେବା ଓ ବିକାଶର ନଗ୍ନ ଚିତ୍ର ପ୍ରତିଫଳିତ ହୋଇଥିଲା ବିଶ୍ୱ ମାନଚିତ୍ରରେ। ତେବେ ଏହି ଘଟଣାରୁ ରାଜ୍ୟ ସରକାର କି ଶିକ୍ଷା ଲାଭ କଲେ ତାହା ବୁଝିବା ଦୁର୍ବୋଧ୍ୟ।

ଦାନ ମାଝୀ କିନ୍ତୁ ଆଜି ସମାଜକୁ ଆଉ ଏକ ବାର୍ତା ଦେଇଛନ୍ତି। କହିଛନ୍ତି, ସେ ଯେଉଁ ମୋଟର ସାଇକେଲ୍‌ କିଣିଛନ୍ତି, ତାହା ତାଙ୍କୁ ନୂଆ ଜୀବନ ଦେଇଛି। ସେ ନିଜ ସ୍ତ୍ରୀ, ପିଲାଙ୍କୁ ଧରି ବୁଲିପାରୁଛନ୍ତି। ହେଲେ ଗାଡିକିଣିବା ପଛର ଏହା ମୂଳ ଲକ୍ଷ୍ୟ ଆଦୌ ନୁହେଁ। ବରଂ ତାଙ୍କ ଭଳି ଆଉ କିଏ ସମସ୍ୟାରେ ନ ପଡ଼ନ୍ତୁ, ଏହି ମୋଟର ସାଇକେଲ୍‌ କିଣିବା ପଛର ଏହାହିଁ ହେଉଛି ଅସଲ ଉଦ୍ଦେଶ୍ୟ। କେଇ ମାସ ତଳେ ଗାଡି ନଥିଲା ବୋଲି ସେ ତାଙ୍କର ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିଲେ। ଏକଥାକୁ ସେ ଭୁଲିପାରୁନାହାନ୍ତି। ଏବେ ଗାଡ଼ିରେ ସେ ନିଜେ ବୁଲିବା ସହ ଗାଁର କେହି ରୋଗରେ ପଡ଼ିଲେ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପାରୁଛନ୍ତି। ସ୍ୱାସ୍ଥ୍ୟ ସେବା ଆଉ ତାଙ୍କ ଗାଁ ପାଇଁ ଦୂର ନୁହେଁ ବୋଲି ଦାନଙ୍କ ମନ୍ତବ୍ୟ ସହିତ ଦୃଢୋକ୍ତିକୁ ସହମତି ଜଣାଇଛନ୍ତି ତାଙ୍କର ନୂଆ ପତ୍ନୀ ଆଲମତି। ଦାନ ଗତକାଲି ନିଜ ଝିଅ ଶ୍ୱଶୁର ଘର ବୁଲି ଆସିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏଭଳି ସୂଚନା ଦେଇଥିଲେ।

ଦାନଙ୍କ ଏହି ମନ୍ତବ୍ୟ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଆଉ ଏକ ଶିକ୍ଷା ଦେଇଛି। କାରଣ, ଦାନଙ୍କୁ ନେଇ ଏତେ ହଲାପଟା ହେବା ପରେ ବି ରାଜ୍ୟ ସରକାର ସେଥିରୁ କିଛି ଶିଖିବା ଭଳି ମନେ ହେଉନାହିଁ। ଦାନର ଗାଁ ଥୁଆମୂଳରାମପୁରର ମେଲାଘରକୁ ଚାରି ଚକିଆ ଯାନ ଯିବା ଭଳି ରାସ୍ତାଟିଏ ସଂଯୋଗ କରିବା ଲାଗି ଏଯାଏ ପ୍ରଶାସନ ଆଗ୍ରହ ଦେଖାଇନାହିଁ । ଭବାନୀପାଟଣା ଠାରୁ ୫୮ କିଲୋମିଟର ଦୂର ଏହି ଗାଁର ସ୍ଥିତି ବରଂ ଗତ ବର୍ଷା ଓ ବନ୍ୟା ପରେ ଆହୁରି ଦୟନୀୟ ହୋଇଯାଇଛି। ଗତ ବର୍ଷା ପରେ ବାଟରେ ପଡୁଥିବା ଅନେକ ପୋଲର ଅବସ୍ଥା ଗୁରୁତର। ସରକାରଙ୍କ ରାସ୍ତାର ବିକାଶ ନେଇ ସେ ଦାବି କରିନାହାନ୍ତି। ବରଂ ଲୋକଙ୍କ କଷ୍ଟ ଦାନ ମାଝୀଙ୍କ ମନକୁ ଛୁଇଁପାରୁଛି, ଯାହା ସରକାରଙ୍କ ଆଖିରେ ପଡୁନି? ବଡ଼ବଡିଆ ବାବୁ ବା ମନ୍ତ୍ରୀ ଲୋକପ୍ରତିନିଧିଙ୍କ ହୃଦୟକୁ ଛୁଉଁନାହିଁ।

ପ୍ରଶ୍ନ ଉଠୁଛି, ଆଉ କେତେ ଅନୁଦାନ ଗଲେ, କେତେ ଯୋଜନା ହେଲେ ଜିଲ୍ଲା ପ୍ରଶାସନ ସବୁ ଗାଁକୁ ସଡ଼କ କରିପାରିବ? ସରକାରଙ୍କୁ ଏଥିପାଇଁ ଆଉ କେତେ ବର୍ଷ ଦରକାର?

ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଏବେ ବି ୭୩୩୨ ଗାଁକୁ ଠିକଣା ସଡ଼କ ଯୋଗାଯୋଗ ନ ଥିବାରୁ ସେଠାରୁ ରୋଗୀଙ୍କୁ ଆଣିବା ଲାଗି ଆମ୍ବୁଲାନ୍ସ ଯାଇପାରୁନାହିଁ। ସରକାର ଗର୍ଭବତୀ ମହିଳାଙ୍କୁ ଆଣିବା ଲାଗି ସମ୍ପୂର୍ଣ୍ଣା ଯୋଜନା କରିଛନ୍ତି। ଅନ୍ୟ ରୋଗୀଙ୍କ ପାଇଁ? କଳାହାଣ୍ଡି ଜିଲ୍ଲାରେ ଏଭଳି ୫୩୫ ଟି ଗାଁ ରହିଛି, ଯେଉଁଠିକି ଆମ୍ବୁଲାନ୍‌ସ ଯାଇପାରିବ ନାହିଁ। ଦାନ ମାଝୀ ଗାଁ ସେ ମଧ୍ୟରୁ ଅନ୍ୟତମ। ଏ ଗାଁକୁ ରାସ୍ତା କେବେ ହେବ?

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ମେଲଘରା ଗାଁର ଦାନ ମାଝୀ ଏବେ ପୁଣି ଗଣମାଧ୍ୟମର ଶିରୋନାମାରେ। ସେ ନୂଆ ରୂପରେ ସମାଜ ଆଗରେ ଉଭା ହୋଇଛନ୍ତି। ତାଙ୍କ ଆତ୍ମବିଶ୍ୱାସ ବହୁଗୁଣିତ ହୋଇଛି ଓ ପରିବର୍ତନକୁ ଆପଣାଇବା ଲାଗି ପ୍ରୟାସ କରିଛନ୍ତି।

ଗତକାଲି ସେ ନୂଆ ମୋଟର ସାଇକେଲ୍‌ରେ ନୂଆ ପତ୍ନୀଙ୍କୁ ନେଇ ନିଜ ଝିଅର ଶାଶୂଘରକୁ ବୁଲି ଆସିଥିଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତର ରାବୁଗୁଡ଼ା ଗାଁକୁ। ଦାନ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ରାବୁଗୁଡ଼ା ଆସି ଜ୍ୱାଇଁ ରାଜୀବରାଇ ବିଡିକା ଏବଂ ନାତିନାତୁଣୀଙ୍କ ସହ କିଛି ସମୟ କଟାଇଥିଲେ। ଫେରିବା ବେଳେ କଲ୍ୟାଣସିଂହପୁର ବଜାରରୁ ୩ ଝିଅଙ୍କ ପାଇଁ ପୋଷାକ କିଣିଥିଲେ। ତାଙ୍କ ଝିଅମାନେ ଭୁବନେଶ୍ୱରରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଥିବାରୁ ସେମାନଙ୍କୁ ଭେଟିବାକୁ ଯାଇ ଏହି ପୋଷାକ ଦେଇ ଆସିବେ ବୋଲି ଏଠି ଗଣମାଧ୍ୟମକୁ କହିଛନ୍ତି। ଦାନ ଏକ ଏକ ନୂଆ ଫୋନ ମଧ୍ୟ କିଣିଛନ୍ତି । ଏହି ଫୋନ୍‌ ଜରିଆରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ସହଜ ହେଉଛି ବୋଲି ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର