ଭାରରେ ବୁହାହୋଇ ହସ୍ପିଟାଲ ଆସିଲେ ଡଙ୍ଗରିଆ ମହିଳା

କଲ୍ୟାଣସିଂହପୁର : ପୁଣି ଫେଲ ମାରିଲା ସରକାରଙ୍କ ୧୦୮ ଓ ବାଇକ ଆମ୍ବୁଲାନ୍‌ସ ଯୋଜନା। ରୋଗୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ତେଣୁ ଭାରରେ ବୁହା ହୋଇ ମେଡିକାଲ ଗଲେ ଜ୍ୱରରେ ପୀଡିତ ଡଙ୍ଗରିଆ ମହିଳା। କିଛି ଦିନର ବ୍ୟବଧାନ ପରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଦୁର୍ଗମ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ କେଲିଟିପଦର ଗାଁର ଡଙ୍ଗରିଆ ମହିଳା ମଙ୍ଗଳି ଶିକକାଙ୍କୁ ଭାର କରି ଦୀର୍ଘ ରାସ୍ତା ଅତିକ୍ରମ କରି ହସ୍ପିଟାଲରେ ଭର୍ତି କରିଛନ୍ତି ପରିବାର ଲୋକ। ଏହି ଘଟଣା ପରେ ଚଳିତ ମାସ ଆରମ୍ଭ ହୋଇଥିବା ସରକାରଙ୍କ ବାଇକ ଆମ୍ବୁଲାନ୍‌ସ ଯୋଜନା ଉପରେ ପ୍ରଶ୍ନ ଚିହ୍ନ ଲାଗାଇ ଦେଇଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ମଙ୍ଗଳି ଶିକକା ଜ୍ୱରରେ ଆକ୍ରାନ୍ତ ହୋଇ ଘରେ ରହିଥିଲେ। ତେବେ ଆଜି ଅବସ୍ଥା ବିଗିଡିବାରୁ ପରିବାର ଲୋକ ମେଡିକାଲ ନେବାକୁ ବାହାରିଥିଲେ। କିନ୍ତୁ ଗାଁ ପର୍ଯ୍ୟନ୍ତ ପକ୍କା ରାସ୍ତା ନଥିବାରୁ ପାଦଚଲା ରାସ୍ତାରେ ଗୋଟିଏ କମ୍ବଳକୁ ବାଉଁଶରେ ବାନ୍ଧି ସେଥିରେ ଭାର କରି ଶିକକା ଉକୁଳଳା, ଶିକକା ଡ୍ରିଞ୍ଜୁ, ଜାକେଶିକା ସାନି ପ୍ରମୁଖ ରୋଗୀଙ୍କୁ ପ୍ରାୟ ୬କିଲୋମିଟର ବୋହିବୋହି ପାର୍ସାଲି ପର୍ଯ୍ୟନ୍ତ ଆଣିଥିଲେ। ପାର୍ସାଲିରେ ଗୋଟିଏ ଅଟୋ ଭଡା କରି କଲ୍ୟାଣୀ ନଦୀ ଘାଟକୁ ଯାଇଥିଲେ। ନଦୀ ପାର ହେବାକୁ ପୁଣି ଭାରରେ ମଙ୍ଗଳିକୁ ବସାଇ ପାଣିରେ ପଶିଥିବା ବେଳେ ଗୋଟିଏ କିଲୋମିଟର ଚାଲିବା ପରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଖବର ଲେଖା ହେବା ସୁଦ୍ଧା ଡାକ୍ତରଙ୍କ ଚିକିତ୍ସା ଜାରି ରହିଥିଲା।

ଏଭଳି ଘଟଣା ଏହି ଅଞ୍ଚଳରେ ଆଦୌ ନୂଆ ନୁହେଁ। ବାରମ୍ବାର ଏମିତି ଘଟଣା ସବୁ ଘଟି ଚାଲିଥିବା ବେଳେ ପ୍ରଶାସନକୁ ନିନ୍ଦିତ ହେବାକୁ ପଡୁଛି। କିଛି କ୍ଷେତ୍ରରେ ସଚେତନତା ଅଭାବରୁ ଏମିତି ଘଟଣା ଘଟୁଥିବା ବେଳେ କିଛି ସ୍ଥାନରେ ରାସ୍ତା ନଥିବାରୁ ସମସ୍ୟା ହେଉଥିବା କୁହାଯାଉଛି। ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇ ଡଙ୍ଗରିଆ ଚର୍ଚ୍ଚାରେ ରହୁଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇପାରି ନାହିଁ। ତେଣୁ ପ୍ରଶାସନ ପକ୍ଷରୁ ପ୍ରଥମେ ଭିତ୍ତିଭୂମି ପ୍ରସ୍ତୁତ କରି ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର