ସେହି ନଭେମ୍ବର କାଳ : ଦୁର୍ଘଟଣା ବେଳର ଲୋମଟାଙ୍କୁରା ଅନୁଭୂତି

କଟକ: ଏସି ସ୍ଲିପର ବସରେ ବେଶ ଆରାମରେ ଆସୁଥିଲେ ଯାତ୍ରୀ। ଆଉ ମାତ୍ର କେତେ ମିନିଟ ଭିତରେ କଟକରେ ଓହ୍ଲାଇଥାନ୍ତେ ପ୍ରାୟ ଅଧା ଯାତ୍ରୀ। କିନ୍ତୁ ସବୁ ଓଲଟପାଲଟ ହେଇଗଲା। ମହାନଦୀ ପୋଲ ମଝିରେ ହାବୁଡି ଗଲା ମଇଁଷି। ଅପେକ୍ଷାକୃତ ଦ୍ରୁତ ଗତିରେ ଆସୁଥିବା ବସଟି ମଇଁଷିକୁ ଧକ୍କା ଦେଇ ନିୟନ୍ତ୍ରଣ ହରାଇ ଖସି ପଡିଲା ତଳକୁ। ମଇଁଷି ତ ମଲା, ୧୦ ଅମୂଲ୍ୟ ଜୀବନ ବି ଚାଲିଗଲା। ଯମଙ୍କ ବାହନ ମଇଁଷି କାଳ ରୂପରେ ବସ ଆଗକୁ ଆସି ଏଭଳି ଜୀବନ ନେଲା ବୋଲି ଏବେ ଚର୍ଚ୍ଚା ହେଉଛି।

ଚାଲିଗଲେ ଆରପାରିକୁ…
ଅନିତା ଆଚାର୍ଯ୍ୟ, ଡିଏଭି ସ୍କୁଲ, ଡେରା, ତାଳଚେର
ବସନ୍ତ କୁମାର ପ୍ରଧାନ, ହୋଲିପୁର, କିଶନନଗର, କଟକ
ଅଶ୍ବିନୀ କୁମାର ବେହେରା, ନରସିଂହପୁର; କଟକ
ମାନସ ତ୍ରିପାଠୀ, ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର
ସନ୍ତୋଷ କୁମାର ଦାସ, ଏଲ୍‌ସିଆର ୫୧୦, ରାଉରକେଲା
ମୀନତି ବେହେରା, ହିନ୍ଦୋଳରୋଡ଼, ‌ମୋଟଗାଁ, ଢେଙ୍କାନାଳ
ପୂର୍ଣ୍ଣଚନ୍ଦ୍ର ମହାରଣା (ମନିପର୍ସରେ ଲେଖା ହୋଇଥିବା ନାମ) 
ପିକେ ମହାପାତ୍ର (ମନିପର୍ସରେ ଲେଖା ହୋଇଥିବା ନାମ)
ଯାମିନୀ ବଲ୍ଲଭ ଦାସ, ପୁରୀ
ବର୍ଷା ପାଣି (ଚନ୍ଦ୍ରଶେଖରପୁର, ଭୁବନେଶ୍ବର)

କିଛି ସମୟ ଝୁଲି ରହି ଖସି ପଡ଼ିଲା  

ଦୁର୍ଘଟଣାର ପ୍ରଥମ ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଟ୍ରକ ଡ୍ରାଇଭର ମନୋଜ ସ୍ବାଇଁ। ମନୋଜ କହିବା ଅନୁଯାୟୀ ସେ‌ ସେହି ସମୟରେ କଟକରୁ ଜଗତପୁର ଆଡକୁ ଯାଉଥିଲେ। ବସଟି ପ୍ରଥମେ ମଇଁଷିକୁ ଧକ୍କା ଦେଇ ଡାହାଣ ପଟକୁ ମାଡିଗଲା। ଟାୟାର ଫାଟିଗଲା। ବାଡ ଭାଙ୍ଗି ନଦୀ ଭିତରକୁ ବସଟି କିଛି ସମୟ ଝୁଲି ରହିବା ପରେ ତଳକୁ ଖସି ପଡିଲା। ସେ ତୁରନ୍ତ ଏ ସଂପର୍କରେ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଲେ। ସମୀର ମହାନ୍ତି ଓ କାହ୍ନୁ ବେହେରା ନଈ ଭିତରେ କିନ୍ତୁ ଆଗରେ ପହଞ୍ଚି ଯାଇଥିଲେ ଦୁର୍ଘଟଣାସ୍ଥଳରେ।

ବଞ୍ଚିଗଲେ ଡ୍ରାଇଭର ‘ଲମ୍ବୁ’

ଦୁର୍ଘଟଣାଗ୍ରସ୍ତ ‘ଜଗନ୍ନାଥ’ ବସର ଡ୍ରାଇଭର ‘ଲମ୍ବୁ’ ବଞ୍ଚି ଯାଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ଡ୍ରାଇଭରଙ୍କ ପାଖରେ ଆଗ ସିଟରେ ବସିଥିବା ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଡ୍ରାଇଭର ଲମ୍ବୁ କିନ୍ତୁ ଷ୍ଟିଅରିଂ ଭିତରେ ଫସି ରହିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟିଅରିଂକୁ କଟରରେ କାଟି ତାଙ୍କୁ ଉଦ୍ଧାର କରିଥିଲେ।

୪୫ ସିଟର ଏସି ସ୍ଲିପର ବସ୍ 

ବଲଣ୍ଡାରୁ ସାଢେ ଦୁଇଟା ବେଳେ ‘ଜଗନ୍ନାଥ’-‘କିଙ୍ଗ ଫେରି ପାଣିସ’ ବାହାରି ଥିଲା ଭୁବନେଶ୍ବର ଅଭିମୁଖେ। ଦିନରେ ଆଜି ଗୋଟିଏ ଟ୍ରିପ ଭୁବନେଶ୍ବରରୁ ବଲଣ୍ଡା କରିବା ପରେ ପୁଣି ବଲଣ୍ଡାରୁ ଫେରୁଥିଲା ବସ। ବସରେ ୪୫ ସିଟ୍ ରହିଥିବା ବେଳେ ୧୨ଟି ସ୍ଲିପର ସିଟ ରହିଛି। ଏହି ଏସି ବସର ମାଲିକ ହେଉଛନ୍ତି ତାଳଚେର ବସ ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି।

ଦୁଇ ମାସ ତଳେ ହେଇଥିଲା ବାହାଘର

ମୁଣ୍ଡ ପିଟି କାନ୍ଦୁଥିଲେ ପରିବାର ଲୋକ। କାହା ମୁହଁରେ ଭାଷା ନଥିଲା। ମାତ୍ର ୩ ମାସ ତଳେ ବାହା ହୋଇଥିଲେ କଟକର ଦୀପକ ମହାପାତ୍ର। ଆଜି ବସରେ ଘରକୁ ଫେରୁଥିଲେ। ମାତ୍ର କେତେ ମିନିଟ ଭିତରେ ବସରୁ ଓହ୍ଲାଇ ଯାଇଥାନ୍ତେ ଘରକୁ। କିନ୍ତୁ ହଠାତ ସବୁ କିଛି ଓଲଟପାଲଟ ହେଇ ଯାଇଥିଲା। ବଡ ମେଡିକାଲରେ ଦୀପକଙ୍କ ମୃତଦେହ ପାଇଥିଲେ ପରିବାର ଲୋକ।

ଉଦ୍ଧାର କାର୍ଯ୍ୟ ଖୁବ କଷ୍ଟକର ଥିଲା

ବସଟି ବାଲିରେ ପଡିଥିବାରୁ ଉଦ୍ଧାର କାର୍ଯ୍ୟ ବେଶ କଷ୍ଟକର ଥିଲା। ଡୋର ଓ ଝରକା କାଟି ସମସ୍ତଙ୍କୁ ଉଦ୍ଧାର କରିବାକୁ ପଡିଥିଲା। ଦୁଇ ପଟ କୂଳରୁ ପାଣି ପରେ ମଝିରେ ବାଲି ଥିବା ଜାଗାରେ ବସ ପଡିଥିଲା। ପାଣିରୁ ପ୍ରାୟ ୪୦୦ ମିଟର ବାଲିରେ ଯିବାକୁ ପଡୁଥିଲା। ଏଭଳି ସ୍ଥିତିରେ ମୋଟ ୪୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଜଣେ ବାଳକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ନିରାପଦ ଅଛନ୍ତି। କିନ୍ତୁ ଉଦ୍ଧାର ହୋଇଥିବା ୭ରୁ ଅଧିକ ବରିଷ୍ଠ ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।

ଦୁର୍ଘଟଣାର କାରଣ ଖୋଜାଯିବ: ଆର୍‌ଟିଓ

ଦୁର୍ଘଟଣା କିପରି ଘଟିଲା, ତାର କାରଣ ବର୍ତ୍ତମାନ ଖୋଜାଯିବ। ଯିଏ ଦୋଷୀ ବାହାରିବ, ତା’ ବିରୋ‌ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ) ଦୀପ୍ତିରଂଜନ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ଯାଞ୍ଚରୁ ବସ୍‌ରେ ସମସ୍ତ କାଗଜପତ୍ର ବୈଧ ଥିବା ଜଣାପଡ଼ିଛି। ବସଟି ମାତ୍ର ୨ ବର୍ଷ ତଳର। ତା‌ଳଚେର ଆର୍‌ଟିଓ ବି ଆସୁଛନ୍ତି। ଡ୍ରାଇଭର୍‌ଙ୍କୁ ଜେରା ପରେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଖାଲି ଚିତ୍କାର ଆଉ ଚିତ୍କାର

ଦୁର୍ଘଟଣା ଘଟିବାର ମାତ୍ର ୧୦ ମିନିଟ ଭିତରେ ଖବର ପାଇ ଉଦ୍ଧାର କାର୍ଯ୍ୟ ପାଇଁ ତୟାର ହେଇଯାଇଥିଲେ ଗାନ୍ଧୀପଲ୍ଲୀର ୭ ଜଣ ଯୁବକ। ସେମାନେ ବୋଟକୁ ଅପେକ୍ଷା ନକରି ପାଣିରେ ପହଁରି ପହଞ୍ଚି ଯାଇଥିଲେ ବସ୍ ପାଖରେ। କାଳିଆ ରେଡ୍ଡୀଙ୍କ କହିବା ଅନୁଯାୟୀ ବସ ଭିତରୁ ସେତେବେଳେ ଚିତ୍କାର ଶୁଭୁଥିଲା। ସଂପୂର୍ଣ୍ଣ ଅନ୍ଧାର ଥିବାରୁ ଠିକରେ କିଛି ଜଣା ପଡୁ ନଥିଲା। ଓଡ୍ରାଫ ଟିମ ପହଞ୍ଚିବା ପରେ ତାଙ୍କ ସହ ମିଶି ଆହତଙ୍କୁ କାନ୍ଧରେ ବୁହାଇ କୂଳକୁ ଆଣିଥିଲେ। ଗାନ୍ଧୀ ପଲ୍ଲୀର ରାଜୁ, କିଶୋର, ସୀମା, କାଳିଆ, ଟୁନୁ, ରାକେଶ, ଉମା ଏଥିରେ ସାମିଲ ହୋଇଥିଲେ।

୨୦ ବର୍ଷ ପୂର୍ବର ଲୋମଟାଙ୍କୁରା ଅନୁଭୂତି… : ବିପିନ କୁମାର ସାମଲ, କନକଦୁର୍ଗା ବସ୍‌ କଣ୍ଡକ୍ଟର୍‌

ମହାନଦୀ ପୋଲ ମଝିରେ ବସ୍‌ ହେଇଥିଲା। ହଠାତ୍‌ ଚକ ଫାଟିଗଲା। ଡାହାଣ ପଟକୁ ବସ୍‌ ମାଡ଼ି ପୋଲ ବାଡ଼ା ଭାଂଗି ଚାଲିଲା। ଡ୍ରାଇଭର୍ ‌େଡଇଁ ପଡ଼ିଲା। ଡବଲ୍ ଡୋର୍‌ରେ ଦୁଇ ହେଲପର୍‌ ବି ନଥିଲେ। ମୁୁଁ ସେତେବେଳକୁ ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ ସାରି ବସ୍‌ ମଝିରେ ଠିଆ ହେଇଥିଲି। ବସ୍‌ ଖଚାଖଚ ଭିଡ଼ ଥିଲା। ପାଖାପାଖି ୮୦ରୁ ୯୦ ଯାତ୍ରୀ ଥିଲେ। ଚକା ଫାଟିବା ଶବ୍ଦ ଏବଂ ପୋଲ ବାଡ଼ା ଭାଂଗିବା ଦୃଶ୍ୟ ଦେଖିବା ପରେ ମୋ’ର ଆଉ ଚେତା ନଥିଲା। ତା’ପରେ କ’ଣ ହେଲା, କିଛି ଜାଣିପାରିଲି ନାହିଁ। ପାଣି ଭିତରୁ ବସ୍‌ କାଚ ଭାଂଗି ଡଙ୍ଗା ବାଲା ଯେତେବେଳେ ମୋ’ତେ ଉଦ୍ଧାର କଲେ, ସେ‌େତବେଳେ ଅଳ୍ପ କିଛି ସମୟ ପାଇଁ ହୋସ୍‌ ଆସିଲା। କିନ୍ତୁ ଘଟଣା ସଂପର୍କରେ କିଛି ଜାଣି ପାରିଲି ନାହିଁ। ଲୋକ ମାନେ ମୋ’ତେ ଘେରି ରହିଥିଲେ। ସକାଳ ପ୍ରାୟ ୯ଟାରେ ଦୁର୍ଘଟଣା ଘଟିଲା କିନ୍ତୁ ସଂଧ୍ୟାରେ ମେଡିକାଲରେ ମୋ’ର ହୋସ୍ ଆସିଲା। ଭଗବାନଙ୍କ ପାଇଁ ମୋ’ ଜୀବନ ବଂଚିଗଲା। ଏବେବି ବସ୍‌ରେ କଣ୍ଡକ୍ଟର୍‌ କାମ କରୁଛି। ସେହି ମହାନଦୀ ପୋଲ ଦେଇ ପ୍ରତିଦିନ ବସ୍‌ରେ ଯା’ଆସ କରୁଛି। କିନ୍ତୁ ସେହି ଦିନର ଅଙ୍ଗେ ନିିଭା କଥା ମନକୁ ଆସିଲେ ଲୋମମୁଳ ଟାଙ୍କୁରି ଉଠୁଛି।

 

ଦୁର୍ଘଟଣା ପରେ ବସ ସହ ପରମିଟ ବି ବିକି ଦେଇଥିଲି : ପ୍ରମୋଦ କୁମାର ସାହୁ, କନକଦୁର୍ଗା ବସ୍‌ ମାଲିକ

ସେତେବେଳେ ଖରାପ ସମୟ ଥିଲା। ଏଭଳି ଘଟଣା ଘଟିବ ବୋଲି କେବେ ଭାବି ନଥିଲୁ। ଦୁର୍ଘଟଣା ଘଟିବା ସମୟରେ ମୁଁ ଦୁୁହୁରିଆରେ ଥିଲି। ଖବର ପାଇ ମହାନଦୀ ପୋଲରେ ପହଞ୍ଚିଲି। ବସ୍‌ ଭାଙ୍ଗିରୁଜି ଚୁରମାର ହେଇଯାଇଥିଲା। ସଂଯୋଗବଶତଃ ଯେଉଁ ଦିନ ଦୁର୍ଘଟଣା ଘଟିଥିଲା, ସେହି ଦିନ ରାତି ୧୨ଟା ଯାଏଁ ଇନ୍ୟୁସରାନ୍‌ସ ଶେଷ ତାରିଖ ଥିଲା। ତା’ ଛଡ଼ା ବସ୍‌ରେ ୫୩ ଯାତ୍ରୀ ବସିବା ପାଇଁ ଏବଂ ୧୬ଜଣ ଛିଡ଼ା ହେବା ପାଇଁ ଅନୁମତି ଥିଲା। ଧୈର୍ଯ୍ୟର ସହିତ ପରିସ୍ଥିତିକୁ ମୁକାବିଲା କଲୁ। ଏହାପରେ ‌ଦୁର୍ଘଟଣାଗ୍ରସ୍ତ ବସ୍‌ ସହିତ ପରମିଟ୍‌କୁ ବିକି ଦେଲୁ।

 

ସମ୍ବନ୍ଧିତ ଖବର