କଣିହାଁ ବ୍ଲକ୍ ସଦର ମହକୁମା ଦେଇ ଯାଇଥିବା ଗୋଡ଼ିବନ୍ଧ-ରେଙ୍ଗାଳି ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

କଣିହାଁ : କଣିହାଁ ବ୍ଲକ୍ ସଦର ମହକୁମା ଦେଇ ଯାଇଥିବା ଗୋଡ଼ିବନ୍ଧ-ରେଙ୍ଗାଳି ୫୩ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇ କେତେକ ସ୍ଥାନରେ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଛି। ବର୍ଷା ଦିନେ ସେଥିରେ ପାଣି ଜମି ରହୁଛି। ଏହି ରାସ୍ତାରେ ଯିବା ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି। ୫୩ ନମ୍ବର ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ବର୍ଷ ବର୍ଷ ଧରି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ କି ଖରାପ ହୋଇଥିବା ରାସ୍ତା ମରାମତି ହୋଇ ପାରୁନଥିବା ଅଭିଯୋଗ ହେଉଛି। ବିଶେଷ କରି ରେଙ୍ଗାଳି ଗାଁ’ଠାରୁ ଗୋଡିବନ୍ଧ ପର୍ଯ୍ୟନ୍ତ ରାସ୍ତାର କିଛି ସ୍ଥାନର ନିର୍ମାଣ କାର୍ଯ୍ୟ ଗତବର୍ଷ ଆରମ୍ଭ ହୋଇଥିବା ବେଳେ କିଛି ଜାଗାର ନିର୍ମାଣ ହୋଇ ନପାରି ବର୍ଷ ବର୍ଷ ଧରି ପଡ଼ି ରହିଛି। କେଉଁ କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଏହି ରାସ୍ତାର ‌ଶୋଚନୀୟ ଅବସ୍ଥା ଦେଖି ଲୋକ ମାନେ ସେଥିରେ ଯିବାକୁ ପସନ୍ଦ କରୁନାହାନ୍ତି । ରେଙ୍ଗାଳି ଗାଁ, ବୌଦବେଡା ମନ୍ଦିର ଠାରୁ ବୌଦ ବେଡା ଗାଁ, ଟାକୁଆ ପୋଳଠାରୁ କଣିହାଁ , ପଥରମୁଣ୍ଡା, ଭୀମକାଣ୍ଡ, ଲୋଧାବନ୍ଧ ଗାଁ, ଏନଟିପିସି ବଜାର ଦେଇ ଗୋଡିବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ଗୋଡିବନ୍ଧରୁ ଏନଟିପିସି ଦେଇ କଣିହାଁ ପର୍ଯ୍ୟନ୍ତ ଓ ରେଙ୍ଗାଳି ଗାଁ’ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଛି। ପ୍ରତିଦିନ ଗାଁ’ର ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ନିକଟ ସ୍କୁଲ, କଲେଜକୁ ପାଠ ପଢିବା ପାଇଁ ଯିବା ସମୟରେ ବେଳେ ବେଳେ ପାଣିରେ ପଡି ଯାଉଥିବା ଦେଖିବାକୁ ମିଳୁଛି। ତେଣୁ ଏହି ୫୩ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର