ଏସ୍‌ସିବି ମେଡିସିନ୍‌ ଓ୍ଵାର୍ଡ ଅନ୍ଧାର : ମୋବାଇଲ ଫୋନ୍‌ ଲାଇଟ୍‌ରେ ଦିଆଗଲା ଇଞ୍ଜେକସନ୍‌, ସାଲାଇନ୍‌

କଟକ : କଟକ ବଡ଼ ମେଡିକାଲରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି। ଗତକାଲି ବଡ଼ ମେଡିକାଲ୍‌ର ସେଣ୍ଟ୍ରାଲ୍‌ ଆଇସିୟୁ ଓ ଟ୍ରମା ଆଇସିୟୁ ତିନି ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ରହିଥିବା ବେଳେ ଆଜି ମେଡିସିନ୍‌ ଓ୍ଵାର୍ଡ ୩ ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ରହିଛି। ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କୁ ମୋବାଇଲ୍‌ ଫୋନ୍‌ ଲାଇଟ୍‌ରେ ଇଞ୍ଜେକସନ୍‌, ସାଲାଇନ୍‌ ଦିଆଯିବା ଘଟଣା ଅଭାବନୀୟ ଦୃଶ୍ୟ ସୃଷ୍ଟି କରିଛି। ଆଜି ନୂଆ କେବୁଲ ବିଛା ଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ବି ସାରା ଦିନ ବିଭିନ୍ନ ଓ୍ଵାର୍ଡରେ ବାରମ୍ବାର ବିଦ୍ୟୁତ କାଟ ଚାଲିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ମେଡିସିନ୍‌ ଓ୍ଵାର୍ଡ ଅନ୍ଧାର ରହିଥିଲା। ନୂଆ କେବୁଲ ବିଛା ଯାଉଥିବାରୁ ମେଡିସିନ୍‌ ଓ୍ଵାର୍ଡର ବିଦ୍ୟୁତ୍‌ ସଂଯୋଗ କଟାଯାଇଥିଲା ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଥିବା ବେଳେ ଏତେ ସମୟ ଧରି ବିଦ୍ୟୁତ କାଟ ପାଇଁ କିଭଳି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ଡେଙ୍ଗୁ ଓ୍ଵାର୍ଡରେ ମଧ୍ୟ ବିଦ୍ୟୁତ୍‌ ସମସ୍ୟା ପାଇଁ ଦୁଇ ଦିନ ହେଲା ଏସି କାମ କରୁ ନାହିଁ। ଏସ୍‌ସିବି ଆଶୁ ଚିକିତ୍ସା କେନ୍ଦ୍ର ଟ୍ରମା ବିଲିଡିଂରେ ଆଲୁମିନିୟମ୍‌ କେବୁଲରେ ଗତକାଲି ପାଣି ପଶି ଏଭଳି ସମସ୍ୟା ସୃଷ୍ଟି କରିଥିବା କୁହାଯାଉଛି। ଆଜି ରାତିରେ ବିଦ୍ୟୁତ୍‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବା ଆଶା କରାଯାଉଛି ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର