କାମରେ ଆସୁନି ‘ମୋ ସରକାର’ ଯୋଜନା : ଫାର୍ମାସିଷ୍ଟଙ୍କ ଉପରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାଗ୍ୟ

ଦଶପଲ୍ଲା : ରାଜ୍ୟରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଆବଶ୍ୟକ ଭିତ୍ତିଭୂମି ସାଙ୍ଗକୁ ରୋଗୀ ଯେଭଳି ଠିକ୍ ଭାବେ ସେବା ପାଇପାରିବେ ସେଥିପ୍ରତି ସରକାର ଆଗ୍ରାଧିକାର ଦେଉଛନ୍ତି। ରାଜ୍ୟରେ ମୋ ସରକାର ଯୋଜନା ଓ ୫-ଟି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ପରେ ୫-ଟି ସଚିବ ଭିକେ ପାଣ୍ତିଆନ୍ ବିଭିନ୍ନ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରୁଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ କେଉଁଠି କର୍ମଚାରୀଙ୍କ ମୁଣ୍ତ ଗଡ଼ୁଛି ତ ପୁଣି କେଉଁଠି ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଏହା ମଧ୍ୟରେ ରାଜ୍ୟ ସରକାର ନିଜର ପାରିବାପଣିଆ ଦେଖାଇବା ପାଇଁ ବିଭିନ୍ନ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମି ବିକାଶ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଜିଲ୍ଲାର ବହୁ ସ୍ବାସ୍ଥ୍ୟକେନ୍ଦ୍ରର ବାସ୍ତବ ଚିତ୍ର ଅତ୍ୟନ୍ତ ଦୟନୀୟ। କେଉଁଠି ଆବଶ୍ୟକ ଭିତ୍ତିଭୂମି ନାହିଁ ତ ପୁଣି କେଉଁଠି ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି। କେଉଁଠି ଆମ୍ବୁଲାନ୍ସ ନାହିଁ ତ ପୁଣି କେଉଁଠି ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟକର୍ମୀଙ୍କ ହାତକୁ ଟେକି ଦିଆଯାଉଛି ସ୍ବାସ୍ଥ୍ୟକେନ୍ଦ୍ରର ଭାଗ୍ୟ। ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।

ଗୋଟିଏ ପାର୍ଶ୍ବରେ ଦେଖିବାକୁ ଗଲେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ରୋଗୀ ଡହଳବିକଳ ହେଉଥିବା ବେଳେ ମୋ ସରକାର ଯୋଜନା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୌଗୋଳିକ ଦୃଷ୍ଟିକୋଣରୁ ଦଶପଲ୍ଲା ବ୍ଲକ୍‌ଟି ଏକ ଆଦିବାସୀ ବହୁଳ ଓ ଅନୁନ୍ନତ ଅଞ୍ଚଳ। ରାଜ୍ୟର ଚତୁଃପାର୍ଶ୍ବକୁ ଯୋଗାଯୋଗ କରିବାର ଏହା ଏକ ସୁଗମ ପଥ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଦେଶ ସ୍ବାଧୀନତା ପୂର୍ବରୁ ଅର୍ଥାତ୍ ୧୯୦୫ ମସିହାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ସ୍ଥାପନ ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନର ୨୫ ବର୍ଷ ପରେ ତଥା ୧୯୩୦ ମସିହାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲା। ଏହା ପରେ ୧୯୮୦ ମସିହାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ହରିହର କରଣ ଏହି ଶଯ୍ୟାକୁ ୩ କୁ ବୃଦ୍ଧି କରିଥିବା ବେଳେ ଏବେ ଏହା ପର୍ଯ୍ୟାୟ କ୍ରମେ ୫୦ ଶଯ୍ୟାରେ ପହଞ୍ଚିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୦ଟି ପଞ୍ଚାୟତ ଓ ଏନ୍ଏସି ସମେତ ପଡ଼ୋଶୀ ଗଣିଆ, ଖଣ୍ତପଡ଼ା ଏବଂ ନୂଆଗାଁ ବ୍ଲକ୍‌ର ହଜାର ହଜାର ଜନସାଧାରଣ ନିର୍ଭରଶୀଳ। ଏଥି ସହିତ ଦୈନିକ କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଭଳି ପଶ୍ଚିମ ଓଡ଼ିଶାର ରୋଗୀମାନଙ୍କୁ ଭୁବନେଶ୍ବର ଏବଂ କଟକ ନେବା ସମୟରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଜରୁରିକାଳୀନ ପରିସ୍ଥିତିରେ ପହଞ୍ଚାଇବାକୁ ପଡ଼ିଥାଏ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସମୁଦାୟ ୫ ଜଣ ବିଶେଷଜ୍ଞଙ୍କ ସମେତ ୨ ଜଣ ଏମ୍‌ବିବିଏସ୍‌ ଡାକ୍ତର ପଦବି ରହିଛି। ବିଶେଷଜ୍ଞଙ୍କ ମଧରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମେତ ଶିଶୁ, ଶଲ୍ୟ, ଭେଷଜ ଓ ନିଶ୍ଚେତକ ପଦବି ସ୍ଥାନରେ ଜଣେ ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ସମେତ ଆସିଷ୍ଟାଣ୍ଟ୍‌ ସର୍ଜନ (ପୁରୁଷ) କାର୍ଯ୍ୟ କରୁଛନ୍ତି।

ସେହିପରି ଆଦିବାସୀ ବହୁଳ ଚଢ଼େୟାପଲ୍ଲୀ, କୁଜାମେଣ୍ଢି, କଳସାଖମଣ ନୂଆଗାଁ ଓ ଟାକରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ବର୍ଷ ଧରି କୌଣସି ଡାକ୍ତର ନିଯୁକ୍ତି ହେଉ ନଥିବା ବେଳେ କିଛି ଦିନ ତଳେ ବାଣୀଗୋଛା ଡାକ୍ତରଙ୍କ ବଦଳି ପରେ ଏଠାରେ ମଧ୍ୟ ଡାକ୍ତର ପଦବି ଖାଲି ପଡ଼ିଛି। ସେହିପରି ମଧ୍ୟଖଣ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା। ସେଠାରେ ଦୁଇ ଜଣ ବିଶେଷଜ୍ଞଙ୍କ ସମତେ ୪ ଡାକ୍ତର ପଦବି ରହିଥିବା ବେଳେ ଏବେ କେବଳ ଦୁଇ ଜଣ ଡାକ୍ତର ଅଛନ୍ତି। ସେଥି ମଧ୍ୟରୁ ଜଣଙ୍କୁ ଡେପୁଟେସନ୍‌ରେ ଦଶପଲ୍ଲା ଆସିବାକୁ ପଡ଼ୁଛି। ଏହା ମଧ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କେଉଁଠି ଫାର୍ମାସିଷ୍ଟ ତ ପୁଣି କେଉଁଠି ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ଭାଳିବାକୁ ପଡ଼ୁଛି। ଅଧିକାଂଶ ସମୟରେ ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣାକୁ ନେଇ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଲେ ଡାକ୍ତର ନଥିବା ହେତୁ ନୟାଗଡ଼ କିମ୍ବା ଭୁବନେଶ୍ବର ସ୍ଥାନାନ୍ତର ହେବାକୁ ପଡ଼ୁଛି। ଫଳରେ ଠିକ୍ ସମୟରେ ଚିକିତ୍ସା ନପାଇ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ହେଉଛି।

ଏପଟେ ମଧ୍ୟ ଦଶପଲ୍ଲା ବ୍ଲକ୍‌ଟି ଆଦିବାସୀ ବହୁଳ ତଥା ଅନୁନ୍ନତ ଅଂଚଳ ହୋଇଥିବା ବେଳେ ଦୈନିକ ଅଧିକାଂଶ ରୋଗୀ ନୟାଗଡ଼ କିମ୍ବା ଭୁବନେଶ୍ବର ଯାଇ ଶୋଷଣର ଶିକାର ହେଉଛନ୍ତି। ମାତ୍ର ଦୀର୍ଘ ଦିନ ଧରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ରକ୍ତ ସଂରକ୍ଷଣ କେନ୍ଦ୍ରଟି ଅଚଳ ହୋଇ ପଡ଼ିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବକୁ ନେଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି। ସେହିପରି ଗୋଟିଏ ମାତ୍ର ୧୦୮ ଆମ୍ବୁଲାନ୍ସକୁ ଛାଡ଼ିଦେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ଅକାମି ହୋଇ ପଡ଼ିରହିଛି। ଗୋଟିଏ ପାର୍ଶ୍ବରେ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବିକାଶ ନେଇ ସରକାର ୫-ଟିର ଡିଣ୍ତିମ ପିଟୁଥିବା ବେଳେ, ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଦୟନୀୟ ଚିତ୍ର ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର