ଦାତୁମ୍‌ ଚିଟଫଣ୍ଡ ଠକେଇ ମାମଲା: ପୁଣି ଜେଲ୍ ଗଲେ ମାଲିକ ଦମ୍ପତି

ବ୍ରହ୍ମପୁର: ୫୦ କୋଟି ଟଙ୍କା ଠକେଇରେ ସଂପୃକ୍ତ ଚିଟଫଣ୍ଡ ସଂସ୍ଥା ଦାତୁମ୍‌ର ମାଲିକ ଦମ୍ପତି ପୁଣିଥରେ ବନ୍ଧା ହୋଇଛନ୍ତି। ଉଭୟେ ଜାମିନ୍‌ରେ ଥିବା ବେଳେ ଅନ୍ୟ ଏକ ଠକେଇ ମାମଲାରେ ସଂସ୍ଥାର ମାଲିକ ତଥା ନିର୍ଦ୍ଦେଶକ ବ୍ରଜମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଓ ପରିଚାଳନା ନିର୍ଦ୍ଦେଶିକା ତ୍ରିଧାରା ମହାନ୍ତିଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ଉଭୟଙ୍କୁ ଆଜି ସଂଧ୍ୟାରେ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ପାଇଁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ହିଲପାଟଣା ଗୋପବନ୍ଧୁନଗର ନିବାସୀ ତଥା ମହାମାୟୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ସାରଦା ମହାପାତ୍ର ଗତ ୨୦୧୧ ଜୁଲାଇ ମାସରେ ଏହି ସଂସ୍ଥାରେ ପ୍ରାୟ ୨ଲକ୍ଷ ଟଙ୍କା ଜମା କରିଥିଲେ। ୩ବର୍ଷ ପରେ ଟଙ୍କା ଦ୍ବିଗୁଣିତ ହେବ ବୋଲି ସଂସ୍ଥା ତରଫରୁ ତାଙ୍କୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ମାଚ୍ୟୁରିଟି ପରେ ସାରଦା ଟଙ୍କା ଫେରି ପାଇ ନଥିଲେ। ଏ ନେଇ ସେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ସାରଦାଙ୍କ ଅଭିଯୋଗ ଆଧାରରେ ଗୋଳନ୍ଥରା ଥାନାରେ ଗତକାଲି କେସ୍ ନମ୍ବର ୨୧/୧୯ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶଥାଉକି, ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରୁ ପୂର୍ବରୁ ଗିରଫ ହୋଇ ଗତ ଜାନୁଆରି ୨୧ତାରିଖରେ ଉଭୟେ ଜାମିନ୍‌ ପାଇଥିଲେ।

ସମ୍ବନ୍ଧିତ ଖବର