ପୁଅ ଓ ଝିଅକୁ ଜିତେଇବା ପାଇଁ ଅଣ୍ଟା ଭିଡିଲେ ବାପା : ନିର୍ବାଚନୀ ମୈଦାନରେ ମାତିଛନ୍ତି ଗିରିଧାରୀ ଓ ହେମାନନ୍ଦ

ଭୁବନେଶ୍ୱର: କେଉଁଠି ଝିଅ ପାଇଁ ତ କେଉଁଠି ପୁଅ ପାଇଁ ପ୍ରଚାର ମଇଦାନରେ ବାପାମାନେ ଅବତୀର୍ଣ୍ଣ ହୋଇଛନ୍ତି। ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ପୁଅ ଶିଶିର ଗମାଙ୍ଗଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି।

ବିଧାୟକ ଭାବେ ଶିଶିର ଗମାଙ୍ଗଙ୍କୁ ଟିକେଟ ମିଳିବା ପରେ ଗୁଣୁପୁର ବିଜେପିରେ ବିଦ୍ରୋହ ଦେଖାଦେଇଛି । ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ରାମ ମୁରତି ମୁଟିକା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ପୁଅ ଶିଶିର ଗମାଙ୍ଗଙ୍କୁ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ପ୍ରଚାର ମୈଦାନରେ ପହଂଚିଛନ୍ତି  ଗିରିଧାରୀ ଗମାଙ୍ଗ । ୱାର୍ଡ଼ ୱାର୍ଡ଼ ବୁଲି ଭୋଟ ଭିକ୍ଷା କରୁଛନ୍ତି ଗିରିଧାରୀ ।

ସେପଟେ, ସୁନ୍ଦରଗଡର ୪୦ ଡିଗ୍ରିର ଖରା ତାତି ଠାରୁ ବଳିଯାଇଛି ରାଜନୈତିକ ତାତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ସହର ଠାରୁ ଗାଁ ଆଉ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲିଛି ଜୋରସୋର ପ୍ରଚାର । ଆଉ ଏହି କ୍ରମରେ ଆଜି ସୁନ୍ଦରଗଡରେ ପ୍ରଚାରକୁ ଜୋରଦାର କରିଛି କଂଗ୍ରେସ ।

ସାନ ଝିଅ ଅମିତା ବିଶ୍ୱାଳଙ୍କ ପାଇଁ ବାପା ହେମାନନ୍ଦ ବିଶ୍ୱାଳ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି ହେମାନନ୍ଦ । ଆଉ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ରାଜନୀତି ବାପ ଝିଅକୁ କିଭଳି ଅଲଗା କରିପାରେ । ହେମାନନ୍ଦ କହିଛନ୍ତି ସୁନୀତା ମୋର ଝିଅ ମୋର ତା’ ପ୍ରତି ଆର୍ଶୀବାଦ ରହିବ, କିନ୍ତୁ ରାଜନୀତି ମଇଦାନରେ ସେ ମୋର ବିରୋଧୀ ।

ସମ୍ବନ୍ଧିତ ଖବର