ଦଇତା ନିଯୋଗର ଗୁପ୍ତ ବୈଠକ

ପ୍ରାପ୍ୟ, ପାଉଣା ଭୋଗରେ କାଣ୍ଟଛାଣ୍ଟ୍‌ ଚଳିବ ନାହିଁ, ଆଇନ ମନ୍ତ୍ରୀଙ୍କୁ ଫେରାଦ ହେବେ ଆଜି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦଇତାପତି ନିଯୋଗର ଏକ ଗୁରୁତ୍ଵପୂର୍ଣ୍ଣ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି। ରାଧାବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ଏହି ବୈଠକ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ରଥଯାତ୍ରାରେ ବହୁ କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଭୋଗରେ କାଣ୍ଟ୍‌ଛାଣ୍ଟ୍‌ କରାଯାଉଛି। ଏହା ଶୁଭଙ୍କର ନୁହେଁ, ଏଥିରେ କାଣ୍ଟଛାଣ୍ଟ୍‌କୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ପ୍ରାପ୍ୟ ପାଉଣାକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଆସନ୍ତା ୨୩ ତାରିଖ ବୈଠକରେ ଭୋଗ, ପ୍ରାପ୍ୟ ପାଉଣା ସଂପର୍କରେ ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନ ହେଲେ ସେମାନେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି (ବୁଧବାର) ଦଇତା ନିଯୋଗ ବିଭିନ୍ନ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀଙ୍କ ନିକଟରେ ଦଇତା ନିଯୋଗ ସେମାନଙ୍କର ଦାବି ଉପସ୍ଥାପନ କରିବେ। ପ୍ରାପ୍ୟ, ପାଉଣାକୁ ନେଇ ଆଲୋଚନା କରିବେ। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବଦଳି ଦାବି କରାଯିବ ବୋଲି ଜଣେ ଜଣେ ଦଇତା ସେବକ ତାଙ୍କ ନାମ ଗୋପନ ରଖି କହିଛନ୍ତି। ପ୍ରକାଶ ଯେ, ଗତ ଗତ ୧୭ ତାରିଖ ଦିନ ଦଇତା ନିଯୋଗର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଇତାଙ୍କ ଦାବି ମୁତାବକ ଜିଲ୍ଲପାଳ ଓ ଏସ୍‌ପିଙ୍କୁ ବାଦ ଦେଇ ଏହି ବୈଠକ ହୋଇଥିଲା। ବୈଠକ ପ୍ରାପ୍ୟ ପାଉଣାକୁ ନେଇ ଆଲୋଚନା ତୁଟି ନ ଥିବାରୁ ଆଜି ଦଇତା ସେବକମାନେ ଏ ସଂପର୍କରେ ଆଲୋଚନା କରିଛନ୍ତି। ରଥଯାତ୍ରା ପୂର୍ବରୁ ଦଇତାଙ୍କ ଏ ବୈଠକ ଗୁରୁତ୍ଵବହନ କରୁଛି। ବୈଠକରେ ଦଇତା ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସମେତ ଅନ୍ୟ ଦଇତାପତି ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର