ଭୁବନେଶ୍ୱର: ଆଜି ସକାଳେ ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାକୁ ନିର୍ବାଚନୀ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୂରଦର୍ଶନର ଜଣେ କ୍ୟାମେରାମାନ ମାଓବାଦୀମାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ମାଓବାଦୀମାନଙ୍କ ସହିତ ଗୁଳି ବିନିମୟରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଥିିବା ଜଣାପଡ଼ିଛି। ମୃତ ଦୂରଦର୍ଶନର କାମେରାମ୍ୟାନଙ୍କ ନାମ ଅଚ୍ୟୁତାନନ୍ଦ ସାହୁ ଓ ତାଙ୍କ ଘର ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବ ଦିଲ୍ଲୀରୁ ଦୂରଦର୍ଶନର ଏକ ଟିମ୍ ଛତିଶଗଡ଼ ଆସିଥିଲା। ସେମାନେ ସୁରକ୍ଷାକର୍ମୀମାନଙ୍କ ସହିତ ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲା ଅରଣପୁରର ନୀଳବାୟା ଜଙ୍ଗଲ ଦେଇ ଯାଉଥିବା ବେଳେ ମାଓବାଦୀମାନଙ୍କ ଆମ୍ବୁସର ଶିକାର ହୋଇଥିଲେ। ମାଓବାଦୀମାନେ ଉଭୟ ପଟରୁ ସୁରକ୍ଷା କର୍ମୀଙ୍କୁ ଗୁଳି କରିବା ସହିତ ତାଙ୍କ ସହିତ ଥିବା ଦୂରଦର୍ଶନ ଟିମକୁ ମଧ୍ୟ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ସହିତ ୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି।
#UPDATE A Doordarshan cameraman has been killed in an attack by Naxals in Dantewada's Aranpur #Chhattisgarhhttps://t.co/N2y4ed00xI
— ANI (@ANI) October 30, 2018
ଖବର ପାଇ ଦାନ୍ତେଓ୍ଵାଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅନ୍ୟ ଆହତମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏପରିକି ମାଓବାଦୀଙ୍କ ଆକ୍ରମଣରେ କେତେକ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିବା ଦାନ୍ତେଓ୍ଵାଡା ଏଏସପି ଗେରେଖନାଥ ବଘେଲ କହିଛନ୍ତି।
Today our patrolling party was ambushed by Naxals in Aranpur. Two of our personnel were martyred, and a DD cameraman was also injured and later succumbed. Two more personnel injured: DIG P Sundarraj #Chhattisgarhpic.twitter.com/ZgZMF6xdRJ
— ANI (@ANI) October 30, 2018
ଗୁରୁତର ଅବସ୍ଥାରେ କ୍ୟାମେରାମ୍ୟାନ ଶ୍ରୀ ସାହୁଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଦୂରଦର୍ଶନ ଟିମ୍କୁ ସୁରକ୍ଷା ଦେବାକୁ ଯାଇ ଦୁଇଜଣ ଯବାନ ମଧ୍ୟ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ ଯେ, ଛତିଶଗଡ଼ରେ ନିର୍ବାଚନ ପ୍ରକିୟା ଚାଲିଥିବା ବେଳେ ନିର୍ବାଚନ ବର୍ଜନ ପାଇଁ ମାଓବାଦୀମାନେ ଧମକ ଦେବା ସହିତ ସାମ୍ବାଦିକ, ପୁଲିସ, ରାଜନେତାଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ୨ ଦିନ ତଳେ ସିଅାରପିଏଫର ଏକ ବୁଲେଟ୍ ପ୍ରୁଫ୍ ଗାଡ଼ିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ। ଏଥିରେ ଜଣେ ଓଡ଼ିଅାଙ୍କ ସମେତ ୪ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।