ବାଇକ୍‌ରେ ବୁହା ହେଲା ଶବ

କୁଡୁମୁଲୁଗୁମ୍ମା/ଖଇରପୁଟ : ଶବ ନେବାକୁ ମେଡିକାଲରେ ମିଳିଲାନି ମହାପ୍ରୟାଣ ଗାଡ଼ି। ବାଇକ୍‌ରେ ଗାଁକୁ ନିଆଗଲା ଶବ। ଏଭଳି ଘଟଣାର ପୁନରାବୃତ୍ତି ହୋଇଛି ମାଲକାନଗିରି ଜିଲ୍ଲାରେ । ଏମିତି ଅଭାବନୀୟ ଦୃଶ୍ୟ ଆଜି ଅପରାହ୍ନରେ କୁଡୁମୁଲୁଗୁମ୍ମା-ନୂଆଗୁଡା ରାସ୍ତାରେ ଦେଖିବାକୁ ମିଳିଥିଲା। ଖୋଲାମେଲାରେ ଏଭଳି ଶବ ନିଆଯିବା ଦୃଶ୍ୟ ଏହି ଅଞ୍ଚଳ ପାଇଁ ଆଦୌ ନୂଆ ହୋଇ ନଥିଲେ ହେଁ ମୃତ୍ୟୁ ପରେ ବି ସରକାରୀ ଯୋଜନାରେ ସୁବିଧ ନମିଳିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାରମ୍ବାର ଏମିତି ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁ ନଥିବା କୁହାଯାଉଛି।

ସୂଚନା ଅନୁଯାୟୀ, କୁଡୁମୁଲୁଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗୁଡା ଗାଁର ଭଗବାନ ଗଲୋରୀ (୪୫)ଗତ ଦିନରେ ରୋଗାକ୍ରାନ୍ତ ହୋଇ କୁଡୁମୁଲୁଗୁମ୍ମା ମେଡିକାଲରେ ଭର୍ତି ହୋଇଥିଲେ। ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାରମ୍ବାର ଯୋଗାଯୋଗ ସତ୍ୱେ ଶବ ନେବା ପାଇଁ ଆମ୍ବୁଲାନ୍‌ସ କିମ୍ବା ମହାପ୍ରୟାଣ ଗାଡି ମିଳି ନଥିଲା। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ସରକାରୀ ଗାଡି ନମିଳିବାରୁ ଶେଷରେ ବାଇକରେ ଶବ ନେବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକ। ଗୋଟିଏ କମ୍ବଳରେ ଶବକୁ ଘୋଡାଇ ବାଇକ ମଝିରେ ରଖି ପ୍ରାୟ ୫କିଲୋମିଟର ଦୂରରେ ଥିବା ଗାଁକୁ ନେଇଥିଲେ।

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଭଗବାନଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଆମ୍ବୁଲେସନ କିମ୍ବା ମହାପରାୟଣ ନଚେତ ସ୍ୱର୍ଗରଥ ପ୍ରଦାନ କରିବା ପାଇଁ ନେହୁରା ହୋଇଥିଲେ। ତେବେ ଡାକ୍ତର ରଂକନିଧି ବେହେରା ଏଠାରେ ସେଭଳି କୌଣସି ସୁବିଧା ନାହିଁ ବୋଲି କହିଥିଲେ। ତୁରନ୍ତ ଏଠାରୁ ଶବ ହଟାଇବାକୁ ନିର୍ଦେଶ ଦେଇଥିଲେ। ବହୁ ଚେଷ୍ଟା କରିବା ପରେ ମଧ୍ୟ କୌଣସି ଗାଡିର ବ୍ୟବସ୍ଥା ହୋଇପାରିନଥିବାରୁ ବାଧ୍ୟ ହୋଇ ମଟର ସାଇକେଲରେ ଶବ ଗାଁକୁ ନେଇଥିଲେ।

ମାଲକାନଗିରି ଭଳି ଉପାନ୍ତ ତଥା ଆଦିବାସୀ ବହୁଳ ଜିଲ୍ଲାରେ ଏମିତି ଘଟଣା ବାରମ୍ବାର ଘଟୁଥିବାରୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି। ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିଲେ ମଧ୍ୟ ଭଗବାନ ବଞ୍ଚିତ ହେଲେ। ତେଣୁ ଏମିତି ଯୋଜନା ସବୁ କାହା ପାଇଁ କାର୍ଯ୍ୟକାରୀ କରାଯାଇଛି ବୋଲି ପ୍ରଶ୍ନ ଉଠିଛି। ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅମରେନ୍ଦ୍ରନାଥ ମହାନ୍ତିଙ୍କୁ ପଚାରିବାରୁ ସେ ବାହାରେ ଥିବା କହିଥିଲେ। ଆସନ୍ତାକାଲି ମାଲକାନଗିରିରେ ପହଞ୍ଚିବା ପରେ ଘଟଣାର ତଦନ୍ତ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର