ପୁଅର ଶବକୁ ଟ୍ରଲିରେ ନେଲା ମା’

ସୁନ୍ଦରଗଡ଼ : କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ, ବରଂ ସୁନ୍ଦରଗଡ଼ ସହରର ଓ୍ଵାର୍ଡ଼ ନଂ-୧୬ରେ ମହାପ୍ରୟାଣ ଗାଡ଼ି ପାଇଁ ଟଙ୍କା ଦେଇନପାରି ଜଣେ ଦରିଦ୍ର ବିଧବା ମା’ ନିଜ ପୁଅର ଶବକୁ ଟ୍ରଲିରେ ନେବାକୁ ବାଧ୍ୟ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଥିଲା ଗତ ଜୁଲାଇ ୩୦ ତାରିଖରେ। ଆଜି ଏହି ଲଜ୍ଜାଜନକ ଘଟଣାର ଭିଡ଼ିଓ ଭାଇରାଲ୍‌ ହେବା ପରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ସୁନ୍ଦରଗଡ଼ ପୌରପାଳିକାର ଲୁହୁରାଢ଼ିପା ପଡ଼ାର ଟିକେଶ୍ୱର ରୋହିଦାସ (୨୫)ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୨୩ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୯ ତାରିଖ ରାତି ପ୍ରାୟ ୨ଟାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଅର ମୃତଦେହ ନେବାକୁ ବିଧବା ମା’ ମୀରା ମହାପ୍ରୟାଣ ଗାଡ଼ି ଚାଳକଙ୍କୁ ଅନୁରୋଧ କରିଥିଲେ। ତେବେ ଗାଡ଼ି ଚାଳକ ୟୁଜର୍ସ ଫି’ ବାବଦକୁ ୩ଶହ ଟଙ୍କା ଦାବି କରିଥିଲେ। ଗୁରୁତର ଆର୍ଥିକ ଅନଟନରେ ଥିବା ମୀରା ଏତେ ଟଙ୍କା ଯୋଗାଡ଼ କରିବାକୁ ଅସାମର୍ଥ୍ୟ ପ୍ରକାଶ କରିବାରୁ ଗାଡ଼ି ଚାଳକ ମୃତ ଦେହ ନେବାକୁ ସିଧାସଳଖ ମନା କରିଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ମୀରା ଗାଡ଼ି ଚାଳକଙ୍କୁ କାକୁତିମିନତି ହୋଇଥିଲେ ମଧ୍ୟ ସେ କିମ୍ବା ଅନ୍ୟ ଦେଖଣାହାରୀ କେହି ଶୁଣିନଥିଲେ। ଏଣୁ ବାଧ୍ୟ ହୋଇ କିଛି ପଡ଼ୋଶୀଙ୍କ ସହାୟତାରେ ଭୋର୍‌ ପ୍ରାୟ ୪ଟାରେ ମୀରା ଭେଣ୍ଡିଆ ପୁଅର ଶବକୁ ଟ୍ରଲିରେ ଲୁହୁରାଢ଼ିପା ସ୍ଥିତ ନିଜ ଘରକୁ ନେଇଥିଲେ।

ସମ୍ବନ୍ଧିତ ଖବର