ଜଙ୍ଗଲରୁ ମିଳିଲା ନିଖୋଜ ସୁକଲସାଏଙ୍କ ଗଳିତ ଶବ!

ଖଡ଼ିଆଳ/ ନୂଆପଡ଼ା/ କରଙ୍ଗାମାଳ/ ଖଇରା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଁଷାଦାନୀ ଗାଁ ନିକଟ ଜଙ୍ଗଲରୁ ଏକ ଗଳିତ ମୃତଦେହ ରବିବାର ଉଦ୍ଧାର କରାଯାଇଛି। ଏହା ଗତ ଏପ୍ରିଲ ୧୯ ତାରିଖରୁ ନିଖୋଜ ଥିବା ଶିକ୍ଷିତ ଆଦିବାସୀ ଯୁବକ ସୁକଲସାଏ ପହରିଆଙ୍କ ବୋଲି ସନ୍ଦେହ କରାଯାଉଛି। ମାଓବାଦୀଙ୍କ ସହ ସଂପର୍କ ଥିବା ସନ୍ଦେହରେ ପୁଲିସ ସୁକଲସାଏଙ୍କୁ ଡାକି ନେବା ପର ଠାରୁ ତାଙ୍କ ପତ୍ତା ମିଳୁ ନଥିଲା। ନିଖୋଜ ପଛରେ ମାଓବାଦୀଙ୍କ ହାତ ଥିବା ପୁଲିସ ପକ୍ଷରୁ କୁହାଯାଉଥିଲା। ଅନ୍ୟପକ୍ଷରେ ମାଓବାଦୀ ସଂଗଠନ ପକ୍ଷରୁ ପୋଷ୍ଟର ଜରିଆରେ ସୁକଲସାଏଙ୍କ ନିଖୋଜ ପଛରେ ପୁଲିସର ହାତ ଥିବା ଅଭିଯୋଗ କରାଯାଇଥିଲା। ସୁକଲସାଏଙ୍କ ପରିବାର ଲୋକେ ମଧ୍ୟ ପୁଲିସକୁ ଦାୟୀ କରୁଥିଲେ। ପୁଣି ତାଙ୍କୁ ଖୋଜି ବାହାର କରିବା ଦାବିରେ କଂଗ୍ରେସ ପକ୍ଷରୁ ବୋଡ଼େନ ଥାନା ଘେରାଉ କରାଯାଇଥିଲା।

ସୁକଲସାଏଙ୍କ ପତ୍ନୀ ସୌଭାଗ୍ୟ ପହରିଆଙ୍କ କହିବା ଅନୁସାରେ, ମାଓବାଦୀଙ୍କ ସହ ସଂପର୍କ ଥିବା ସନ୍ଦେହ କରି ବୋଡ଼େନ ପୁଲିସ ଗତ ଏପ୍ରିଲ ୧୯ ତରିଖ ଦିନ ତାଙ୍କ ସ୍ୱାମୀଙ୍କୁ ଥାନାକୁ ଡାକିଥିଲା। ସେହିଦିନ ଠାରୁ ସେ ଆଉ ଘରକୁ ଫେରି ନଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ସ୍ୱାମୀଙ୍କୁ ନ ପାଇ ସୌଭାଗ୍ୟ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେତେବେଳେ ପୁଲିସ ପକ୍ଷରୁ ନିଖୋଜ ପଛରେ ମାଓବାଦୀଙ୍କ ହାତ ଥିବା କୁହା ଯାଇଥିଲା। ହେଲେ ମାଓ ସଂଗଠନ ଏହାକୁ ଅସ୍ୱୀକାର କରିଥିଲା।

ଏବେ ସୁକଲସାଏଙ୍କ ଶବ ଉଦ୍ଧାର ପରେ ଲୋକମାନଙ୍କ ସନ୍ଦେହ ବଢ଼ିଛି। ପୁଲିସର ନିର୍ଦେଶକ୍ରମେ ସୁକଲଙ୍କ ସମ୍ପର୍କୀୟମାନେ ଗଳିତ ଶବକୁ ଉଦ୍ଧାର କରି ବୋଡ଼େନ ଥାନା ଜିମାରେ ଦେଇଛନ୍ତି। ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର