ବେଳାମାର୍ଗରୁ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା : ଯୁବକଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା ସ୍କର୍ପିଓ

ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ, ଡ୍ରାଇଭର ଗିରଫ

କୋଣାର୍କ : ଗତ ୯ ତାରିଖରେ କୋଣାର୍କ-ପୁରୀ ବେଳାମାର୍ଗରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା ଉପରୁ ପରଦା ହଟିଛି। ଗିରଫ ଡ୍ରାଇଭର ସରୋଜ କୁମାର ମଲ୍ଲିକ ଦୁର୍ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ପୁଲିସକୁ ଦେଇଛି।

ପୁଲିସ ସୂଚନା ମୁତାବକ, ୯ ତାରିଖ ସନ୍ଧ୍ୟାରେ ଡ୍ରାଇଭର ସରୋଜ ନିଜ ମାଲିକଙ୍କୁ ପୁରୀରେ ଛାଡ଼ି କୋଣାର୍କ ଥାନା ବାଲିଦୋକାନ ସୁଆର ଗ୍ରାମରେ ଥିବା ନିଜ ଘରକୁ ଫେରୁଥିଲା। ନିଆଖିଆ ବ୍ରିଜ୍‌ ନିକଟରେ ସାମ୍‌ନା ପଟୁ ଏକ ପଲସର୍‌ରେ ଯାଉଥିବା ଯୁବକ (ଉମାଶଙ୍କର) ଓ ତାଙ୍କ ସହ ବସିଥିବା ଯୁବତୀଙ୍କ ସହିତ ସ୍କର୍ପିଓର ଧକ୍କା ହୋଇଥିଲା। ଧକ୍କା ପରେ ଉଭୟ ଯୁବକ, ଯୁବତୀ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ସ୍କର୍ପିଓ ଚକା ତଳେ ଉମାଶଙ୍କର ପଡ଼ିଯାଇଥିବା ବେଳେ ତାଙ୍କ ମୁଣ୍ଡ ଉପରେ ଗାଡ଼ି ଚଢି ଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ସରୋଜ ଗାଡି ଧରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଯାହାକି ପରଦିନ ଯୁବକଙ୍କ ମୁଣ୍ଡ କଟା ଯାଇଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇ ଥିଲା।

ରାମଚଣ୍ଡୀ ଥାନା ଅଧିକାରୀ ସଂଜୟ ନାୟକ ଗାଡି ନମ୍ବର ସଂଗ୍ରହ କରି ରବିବାର ରାତିରେ ଖଣ୍ଡଗିରି ଅଞ୍ଚଳରୁ ଡ୍ରାଇଭର ସରୋଜକୁ ଗିରଫ କରିଥିଲେ। ସରୋଜ ଗିରଫ ହେବା ପରେ ମୁଣ୍ଡବିହୀନ ମୃତଦେହ ଘଟଣା ଉପରୁ ପରଦା ଉଠିଛି।

ସମ୍ବନ୍ଧିତ ଖବର