ପଞ୍ଚଭୂତରେ ବିଲୀନ ହେଲା ରଣଜିତ ଗୁରୁଙ୍କ ପାର୍ଥିବ ଶରୀର

ସମ୍ବଲପୁର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ନାଟ୍ୟବିଦ୍‌, କ୍ରୀଡ଼ାବିଦ୍‌ ତଥା ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସଂପାଦକ ରଣଜିତ ଗୁରୁଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସମ୍ବଲପୁର ରାଜଘାଟରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଅନ୍ତିମ ସଂସ୍କାର କରା ଯାଇଥିଲା। ଶ୍ରୀ ଗୁରୁଙ୍କ ପାର୍ଥିବ ଶରୀର ସମ୍ବଲପୁର ଅଣା ଯାଉଥିବା ଖବର ପାଇ ସହରର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଶତାଧିକ ଲୋକ ରାତି ୮ଟାରୁ ରାଜଘାଟଠାରେ ଜମା ହେବାରେ ଲାଗିଥିଲେ। ମର ଶରୀର ରାଜଘାଟରେ ପହଞ୍ଚିବା ପରେ ରାତି ପ୍ରାୟ ୧୦ଟାରେ ଜୁଇରେ ଅଗ୍ନି ସଂଯୋଗ ହୋଇଥିଲା। ଏକ ମାତ୍ର ଝିଅ ଡା. କ୍ରାନ୍ତି ସ୍ୱାଗତିକା ଗୁରୁ ମୁଖାଗ୍ନି ଦେଇଥିଲେ। ତିନି ଭାଇ ଦିଲୀପ କୁମାର ଗୁରୁ, ବିଶ୍ୱଜିତ ଗୁରୁ, ସତ୍ୟଜିତ ଗୁରୁଙ୍କ ସମେତ ପରିବାରର ବହୁ ସଦସ୍ୟ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ସ୍ୱର୍ଗତ ଗୁରୁଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ।

ରାଜଘାଟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ପ୍ରସାର ଭାରତୀର ପୂର୍ବତନ ମହାନିର୍ଦ୍ଦେଶକ ଅଭୟ ପାଢ଼ୀ, ନାଟ୍ୟକାର ଡ. ଦିଲୀପ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ଡ. ଦ୍ଵାରିକା ନାୟକ, ବ୍ରଜେନ୍ଦ୍ର ନାୟକ, ସାମ୍ବାଦିକ ଶିବ ଶଂକର ନନ୍ଦ, ସୁବାସ ପାଣିଗ୍ରାହୀ, ପ୍ରିୟ ରଂଜନ ବାବୁ, ପ୍ରଦୀପ ବହିଦାର, ଅତନୁ ଘୋଷ, ବେଣୁଧର ଦାଶ, ସମ୍ବଲପୁର ପ୍ରେସ୍‌ କ୍ଲବ ସଂପାଦକ ଭବାନୀ ଶଂକର ଭୋଇ, ଡ. ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଭାଗୀରଥି ମିଶ୍ର, ସୁରେଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଗୁରୁଙ୍କୁ ଅନ୍ତିମ ବିଦାୟ ଦେଇଥିଲେ।

ରବିବାର ସକାଳୁ ଶ୍ରୀ ଗୁରୁଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ସମ୍ବଲପୁର ସହରରେ ଶୋକର ଲହରି ଖେଳି ଯାଇଥିଲା। ଏହି ସହରରେ ସ୍ୱର୍ଗତ ଗୁରୁ ସ୍କୁଲ ଓ କଲେଜ ପାଠ ପଢ଼ିବା ସହ ଜଣେ ନାଟ୍ୟ କଳାକାର ଓ କ୍ରିକେଟ୍‌ ଖେଳାଳିଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଏଠାରେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି ଜଣେ ସୁସାମ୍ବାଦିକଭାବେ ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଥିଲେ। ଭୁବନେଶ୍ୱରରୁ ତାଙ୍କ ମରଶରୀର ଆସି ରବିବାର ସଂଧ୍ୟାରେ ତାଙ୍କ ନିଜ ଗାଁ ବରଗଡ଼ ଜିଲ୍ଲା ମହଖଣ୍ଡରେ ପହଞ୍ଚିଥିଲା। ସେଠାରେ ଶେଷ ଦର୍ଶନ ପରେ ରାତିରେ ସମ୍ବଲପୁର ରାଜଘାଟ ଅଣା ଯାଇ ଶେଷକୃତ୍ୟ କରା ଯାଇଥିଲା।

ସମ୍ବନ୍ଧିତ ଖବର